Categories: ଜାତୀୟ

କିଏ ହେବେ କଂଗ୍ରେସ ଅଧ୍ୟକ୍ଷ: ଯୁବନେତାଙ୍କ ଉପରେ ନାହିଁ ଭରସା

ନୂଆଦିଲ୍ଲୀ, ୧୬।୭: ବିଭିନ୍ନ ରାଜ୍ୟରେ ଶାସକ କଂଗ୍ରେସ ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦଳୀୟ ନେତାଙ୍କୁ ହାଇକମାଣ୍ଡ ଏକଜୁଟ କରି ରଖିବାକୁ ଅସମର୍ଥ ହେଉଛନ୍ତି। ଏପରିସ୍ଥଳେ ଦଳରେ ନୂଆ ମୁଖିଆ ଖୋଜା ଚାଲିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କାର୍ଯ୍ୟକାଳ ଅଗଷ୍ଟରେ ଶେଷ ହେବ। ତାଙ୍କପରେ କିଏ ଏହି ଡୋର ଧରିବ ସେ ନେଇ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ତତ୍‌କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ରାହୁଲଙ୍କ ଇସ୍ତଫା ପରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ଭାବେ ବର୍ଷକ ପାଇଁ ନିର୍ବାଚିତ କରାଯାଇଥିଲା। ବର୍ଷେ ମଧ୍ୟରେ ନୂଆ ଅଧ୍ୟକ୍ଷ ନିର୍ବାଚନ କରାଯିବ ବୋଲି ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ କୁହାଯାଇଥିଲା। କରୋନା ସଂକ୍ରମଣ ଯୋଗୁ ଦଳର ଅଧ୍ୟକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହୋଇଥିବା କଂଗ୍ରେସ କହିଛି। ଅଗଷ୍ଟ ୧୦ ସୁଦ୍ଧା ନୂଆ ଅଧ୍ୟକ୍ଷ ନିର୍ବାଚିତ ନ ହେଲେ ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରିବାର ସମ୍ଭାବନା ରହିଛି। ରାହୁଲ ପୁଣି ଥରେ ଅଧ୍ୟକ୍ଷ ହେବାକୁ ଅମଙ୍ଗ। ଦଳ ଯୁବନେତାଙ୍କ ଉପରେ ଭରସା ମଧ୍ୟ କରିପାରୁ ନାହିଁ। ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ ଏବେ ରାଜସ୍ଥାନରେ ସଚିନ ପାଇଲଟଙ୍କ ଭଳି ଯୁବନେତାଙ୍କ କାର୍ଯ୍ୟ କଂଗ୍ରେସକୁ ହତାସ କରିଛି। ରାହୁଲଙ୍କ ପରେ ଦଳର ପ୍ରଥମ ପସନ୍ଦ ଏବେ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରହିଛନ୍ତି। ପ୍ରିୟଙ୍କାକୁ ସୋନିଆ ଜାଣିଶୁଣି ଦଳରୁ ଦୂରେଇ ରଖିଥିଲେ ବୋଲି କୁହାଯାଉଛି। ରାହୁଲ କଂଗ୍ରେସ ପୋଷ୍ଟର ବୟ ହୁଅନ୍ତୁ ବୋଲି ସୋନିଆ ଚାହୁଁଥିଲେ। ଦଳରେ ଦୁଇଟି କ୍ଷମତା କେନ୍ଦ୍ର ସୃଷ୍ଟି କରିବାକୁ ସୋନିଆ ଚାହୁଁ ନ ଥିଲେ। ତେବେ ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ରାହୁଲଙ୍କୁ ସେନାପତି କରି ସଫଳତା ହାସଲ କରି ପାରି ନାହିଁ। ଏହାର ଫାଇଦା ଭାଜପା ନେଇଛି। ତେଣୁ ହୁଏତ ସୋନିଆଙ୍କ କାର୍ଯ୍ୟକାଳ ପୁଣି ବଢ଼ାଯାଇପାରେ କିମ୍ବା ପ୍ରିୟଙ୍କାଙ୍କ ହାତରେ ଡୋର ଦିଆଯିବା ନେଇ ଚର୍ଚ୍ଚା ହେଉଛି। ପ୍ରିୟଙ୍କା ଦଳ ଏବଂ ଦେଶବାସୀଙ୍କ ପସନ୍ଦ ବୋଲି ଚର୍ଚ୍ଚା ହେଉଛି। ୨୦୧୯ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ରାଜନୀତିରେ ପ୍ରବେଶ କରିଥିଲେ। ସେ ଲୋକଙ୍କୁ ସହଜରେ ଇନ୍ଦିରା ଗାନ୍ଧୀଙ୍କ ଭଳି ଆକର୍ଷିତ କରିବାକୁ ସକ୍ଷମ ବୋଲି ଦଳରେ ଚର୍ଚ୍ଚା ହେଉଛି।

Share