ରାହୁଲ ଦ୍ରାବିଡଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌? ରେସ୍‌ରେ ୩ କ୍ରିକେଟର

ନୂଆଦିଲ୍ଲୀ,୧୫।୫: ଭାରତରେ ଏବେ ଚାଲିଛି ଆଇପିଏଲ କ୍ରେଜ । ଏହା ପରେ ପରେ ଆରମ୍ଭ ହୋଇଯିବ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । T20 ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହାରି ମଧ୍ୟରେ ଏକ ବଡ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ।

ମେ ୧୩ ତାରିଖରେ ବିସିସିଆଇ ପକ୍ଷରୁ ବଡ ଘୋଷଣା କରାଯାଇଥିଲା । ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଶେଷ ହେବାକୁ ଯାଉଛି । ତେବେ ଶୁଣିବାକୁ ମିଳୁଛି ରାହୁଲ ଦ୍ରାବିଡ ପୁଣି ହେଡ କୋଚ ପଦବୀ ପାଇଁ ଆବେଦନ କରିପାରନ୍ତି । ତାଙ୍କ ବାଦ ଆଉ କେଉଁ କିମ୍ବଦନ୍ତୀ କ୍ରିକେଟର ମୁଖ୍ୟ କୋଚ ପାଇଁ ଦାବିଦାର ଅଛନ୍ତି, ଆସନ୍ତୁ ଜାଣିବା…

VVS ଲକ୍ଷ୍ମଣ: ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ସବୁଠାରୁ ଅଧିକ ପସନ୍ଦ ତଥା ଡିମାଣ୍ଡଡେ ହେଉଛନ୍ତି ପୂର୍ବତନ କ୍ରିକେଟର VVS ଲକ୍ଷ୍ମଣ । ୪୯ ବର୍ଷୀୟ ଲକ୍ଷ୍ମଣ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ (NCA) ର ମୁଖ୍ୟ ଅଛନ୍ତି । ଦ୍ରାବିଡ ଛୁଟିରେ ଥିବାବେଳେ ଲକ୍ଷ୍ମଣ ସିନିଅର ଟିମର ପ୍ରଶିକ୍ଷକ କାମ ବି କରୁଥିଲେ । ତେଣୁ ଲକ୍ଷ୍ମଣ ଭାରତୀୟ ଦଳର ପରବର୍ତ୍ତୀ ହେଡ କୋଚ ହୋଇପାରନ୍ତି ।

ଗୌତମ ଗମ୍ଭୀର: ଗତ ଦଶ ବର୍ଷ ମଧ୍ୟରେ ଶୀର୍ଷ ସ୍ତରରେ କ୍ରିକେଟ ଖେଳିଥିବା ଗମ୍ଭୀର କ୍ରିକେଟରେ ତାଙ୍କ ଦକ୍ଷତା ଏବଂ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରିବା ଦିଗରେ ବେଶ ଦକ୍ଷ। KKRର ଅଧିନାୟକ ଥିବା ବେଳେ ଦୁଇ ଦୁଇଟି IPL ଟ୍ରଫି ହାତେଇଥିଲେ ଗମ୍ଭୀର । ସେହିଭଳି ୨୦୦୭ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଏବଂ ୨୦୧୧ ଦିନିକିଆ ବିଶ୍ବକପରେ ତାଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଭାରତ ବିଶ୍ବ ଚାମ୍ପିୟନ ହୋଇଥିଲା । ତେଣୁ ଗମ୍ଭୀର ମଧ୍ୟ ମୁଖ୍ୟ କୋଚ ଦୌଡରେ ରହିଛନ୍ତି ।

ଜଷ୍ଟିନ ଲାଙ୍ଗର: ଅଷ୍ଟ୍ରେଲିଆ ଦଳର ମୁଖ୍ୟ କ୍ରିକେଟ କୋଚ ଜଷ୍ଟିନ ଲାଙ୍ଗର ଭାରତୀୟ ଦଳର କୋଚ ହେବା ଦୌଡରେ ଅଛନ୍ତି । ନିକଟରେ ସେ ହେଡ କୋଚ ହେବାକୁ ଇଚ୍ଛା ବ୍ୟକ୍ତ କରିଥିଲେ । କଙ୍ଗାରୁ ଟିମ ଟି-୨୦ ବିଶ୍ବକପ ବିଜୟୀ କରାଇବା ହେଉ କିମ୍ବା ଆସେସ ବିଜୟୀ କରାଇବା ସବୁଥିରେ ପ୍ରମୁଖ ଭୂମିକା ତୁଲାଇଥିଲେ ଜଷ୍ଟିନ ଲାଙ୍ଗର । ତେବେ ସେ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ ରେସରେ ଅଛନ୍ତି ।

Share