ଭାଜପାର ପ୍ରଥମ ସରକାରରେ କିଏ ସବୁ ହେବେ ମନ୍ତ୍ରୀ: ଲିଷ୍ଟ୍‌ରେ ଅଛି ଏସବୁ ନାଁ

ଭୁବନେଶ୍ୱର,୧୧।୬:ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ସସ୍‌ପେନ୍ସ ଲାଗି ରହିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏହାପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ରେସ୍‌ରେ ମନମୋହନ ସାମଲ ଏବଂ ସୁରେଶ ପୁଜାରୀଙ୍କ ନାଁ ସର୍ବାଗ୍ରେ ରହିଛି। ଏହାବାଦ ଭାଜପାର ପ୍ରଥମ ସରକାରରେ କାହାକୁ ମନ୍ତ୍ରୀ ପଦ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ମନ୍ତ୍ରୀ ରେସରେ କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି। ଏହା ସହ ନୂଆ ମୁହଁ ଭାବେ ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ବାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବାର ସମ୍ଭବନା ରହିଛି।
ଆଜି ଅନୁଷ୍ଠିତ ହେବାକୁ ଥିବା ଭାଜପା ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏହାପରେ ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂତନ ବିଧାୟକ ଯିବେ। ବୁଧବାର ଜନତା ମଇଦାନଠାରେ ଭାଜପାର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚି ରାଜଭବନ ଯିବେ। ସେଠାରୁ ଅପରାହ୍ନ ୪ଟାରେ ବାହାରି ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିବେ। ଏହାପରେ ୪ଟା ୪୫ରେ ଜନତା ମଇଦାନଠାରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

Share