Categories: ଜାତୀୟ

ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୫ ନାମ: ଆଗରେ ଅଛନ୍ତି ପ୍ରତିଭା ସିଂ

ଶିମଲା,୯।୧୨: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ୬୮ ସିଟ୍‌ରୁ କଂଗ୍ରେସ ୪୦ଟି ଆସନ ଜିତିଥିବା ବେଳେ ଭାଜପା ୨୫ ଏବଂ ନିର୍ଦ୍ଦଳୀୟଙ୍କ ସପକ୍ଷରେ ୩ଟି ଆସନ ଯାଇଛି। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ମୁହଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ନୂତନ ସରକାର ଗଠନକୁ ନେଇ କଂଗ୍ରେସ ଶୁକ୍ରବାର ଶିମଲାରେ ନବ ନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି। ଏଥିରେ ହିମାଚଳ କଂଗ୍ରେସର ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡା ମଧ୍ୟ ସାମିଲ ହେବେ। ଏହି ବୈଠକରେ ନୂଆ ସରକାର ଗଠନ ଏବଂ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆଲୋଚନା କରାଯିବ। ତେବେ ମୁଖ୍ୟମନ୍ତ୍ରୀ ଦୌଡରେ କଂଗ୍ରେସ ସଭାପତି ପ୍ରତିଭା ସିଂଙ୍କ ସମେତ ପୂର୍ବତନ ରାଜ୍ୟ ସଭାପତି ସୁଖବିନ୍ଦର ସିଂ ସୁଖୁ, ମୁକେଶ ଅଗ୍ନିହୋତ୍ରୀ, ଠାକୁର କୌନ ସିଂ ଏବଂ ଆଶା କୁମାରୀଙ୍କ ନାମ ଉପରେ ଆଲୋଚନା ହେଉଛି। ତେବେ ମୁଖ୍ୟମନ୍ତ୍ରୀ ଦୌଡରେ ପ୍ରତିଭା ସିଂଙ୍କ ନାଁ ସବୁଠୁ ଆଗରେ ରହିଛି।

Share