ପ୍ରଦୀପଙ୍କ ପରେ କିଏ ହେବେ ମୁଖ୍ୟ ଶାସନ ସଚିବ, ରେସ୍‌ରେ ବଡ଼ ବଡ଼ ଆଇଏଏସ ଅଫିସର

ଭୁବନେଶ୍ୱର,୨୧।୬: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ପ୍ରଦୀପ ଜେନା ରହିବେ ନା ତାଙ୍କ ସ୍ଥାନ ଆଉ କିଏ ନେବ। ନୂଆ ସରକାର ଗଠନ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ସରକାର ପରିବର୍ତ୍ତନ ପରେ ପ୍ରଶାସନିକ ସ୍ତରରେ ବଡ ଅଦଳବଦଳ ହୋଇପାରେ । ତେବେ ମୋହନ ସରକାର ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢାଇବେ ନା ନୂଆ ଅଧିକାରୀଙ୍କୁ ନିଯୁକ୍ତ ଦେବେ , ତା ଉପରେ ସମସ୍ତଙ୍କ ନଜର ରହିଛି । ରେସରେ ଅନ୍ୟ ବରିଷ୍ଠ ଅଧିକାରୀ ବି ରହିଛନ୍ତି ।

ସରକାର ବଦଳିବା ପରେ ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳବଦଳ ହୋଇପାରେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଏହିମାସ ୩୦ ତାରିଖରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ତାଙ୍କୁ ପୁଣିଥରେ ରିପିଟ କରାଯିବ ନା ନୂଆ ପ୍ରଶାସନିକ ମୁଖିଆଙ୍କୁ ସରକାର ନିଯୁକ୍ତି ଦେବେ ତା ଉପରେ ଚର୍ଚ୍ଚା ଚାଲିଛି । ୧୯୮୯ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କୁ ଚାକିରୀରୁ ଅବସର ପରେ ବି ୬ ମାସ ପାଇଁ ଥଇଥାନ କରିଥିଲେ ତତ୍‌କାଳୀନ ସରକାର । ଆଉ ୧୦ଦିନ ପରେ ତାଙ୍କ କାର୍ଯ୍ୟକାଳ ସରୁଥିବାରୁ ତାଙ୍କ ବଦଳରେ କାହାକୁ ନିଯୁକ୍ତି ଦିଆଯିବ ସେ ନେଇ ଚର୍ଚ୍ଚା ଲାଗିରହିଛି।

ପ୍ରଦୀପ ଜେନାଙ୍କ ପରେ ଆଉ କିଛି ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ଯେଉଁମାନେ ମୁଖ୍ୟ ଶାସନ ସଚିବ ରେସରେ ଅଛନ୍ତି। ସେମାନେ ହେଲେ, ୧୯୯୧ ବ୍ୟାଚର ଆଇଏଏସ ସତ୍ୟବ୍ରତ ସାହୁ। ବର୍ତ୍ତମାନ ଏସଆରସି ଦାୟିତ୍ୱ ତୁଲାଇବା ସହ ରାଜସ୍ବ ବିଭାଗର ପ୍ରମୁଖ ସଚିବ ଅଛନ୍ତି। ଏହାପରେ ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ଧଳ ରେସ୍‌ରେ ଅଛନ୍ତି। ଯିଏକି ବର୍ତ୍ତମାନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଅଛନ୍ତି। କୁହାଯାଉଛି, ରାଜ୍ୟ ସରକାରଙ୍କ ଗୁଡବୁକରେ ଅଛନ୍ତି ନିକୁଞ୍ଜ ଧଳ। ତେବେ ସେ ମଧ୍ୟ ଏହି ପଦବୀ ପାଇପାରନ୍ତି ବୋଲି କୁହାଯାଉଛି। ପରେ ୧୯୯୧ ବ୍ୟାଚର ଆଇଏଏସ ଅନୁ ଗର୍ଗ, ବର୍ତ୍ତମାନ ଉନ୍ନୟନ କମିଶନର ସହିତ ଜଳସେଚନ ବିଭାଗର ସଚିବ ଅଛନ୍ତି। ବିଶେଷ କରି ବରିଷ୍ଠତା ଦୃଷ୍ଟିରୁ ଆଗରେ ଥିବାରୁ ତାଙ୍କର ଚାନ୍ସ ଅଧିକ ରହିଛି।

Share