କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ୩ ବରିଷ୍ଠ IPS ଙ୍କୁ ଗଲା ଚିଠି

ଭୁବନେଶ୍ୱର,୫।୮: ରାଜ୍ୟରେ ସାଧାରଣ ନିର୍ବାଚନ ଶୃଙ୍ଖଳାର ସହିତ ଶେଷ ହୋଇଛି। ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି। ଏଥିପାଇଁ ଖୋଦ ଜାତୀୟ ନିର୍ବାଚନ କମିଶନର ଓଡ଼ିଶା ପୋଲିସକୁ ପ୍ରଶଂସା କରିଛନ୍ତି। ତେବେ ଏହାରି ଭିତରେ ମୋହନ ମାଝି ସରକାର ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କୁ ଅପସାରଣ କରିବେ ବୋଲି କ୍ଷମତା କରିଡ଼ରରେ ଚର୍ଚ୍ଚା ଜୋର ଧରିଲାଣି। ଶୁକ୍ରବାର କେନ୍ଦ୍ର ସରକାର ୧୯୯୦ ବ୍ୟାଚ ଆଇପିଏସ ଓ୍ବାଇ ବି ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟିଶେନରେ ଓଡ଼ିଶା ଫେରାଇଛନ୍ତି।

ତେବେ ସୋମବାର ୩ ଆଇପିଏସଙ୍କୁ ଚିଠି ପଠାଯାଇଛି। ସେମାନଙ୍କୁ ନିଜ ବାୟୋଡାଟା ଦେବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ୧୯୮୮ ବ୍ୟାଚ IPS ଏ.କେ ରାୟ, ୧୯୮୯ ବ୍ୟାଚ IPS ଏସ.ଏମ ନରୱାଣେ, ୧୯୯୦ ବ୍ୟାଚ IPS ୱାଇ.ବି ଖୁରାନିଆଙ୍କୁ ଚିଠି ପଠାଯାଇଛି। ଏହି ୩ଜଣ ବାୟୋଡାଟା ଦେବା ପରେ ଗୃହ ବିଭାଗ ଡିଜିପି ଚୟନ ନେଇ ଗଠିତ କମିଟିଙ୍କୁ ଏହି ତଥ୍ୟ ପଠାଇବ ବୋଲି ଜଣାପଡିଛି।

କହିରଖୁଛୁ କି, ତତକାଳୀନ ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ୧୯୯୦ ବ୍ୟାଚ ଆଇପିଏସ ଅରୁଣ ଷଡଙ୍ଗୀଙ୍କୁ ରାଜ୍ୟ ପୁଲିସ ଡିଜି ଭାବେ ଅସ୍ଥାୟୀ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଗତ ଜୁନ ମାସରେ ରାଜ୍ୟରେ ମୋହନ ସରକାର କ୍ଷମତାକୁ ଆସିବା ପରେ ସେବେଠୁ ରାଜ୍ୟରେ ଅସ୍ଥାୟୀ ଡିଜି ଭାବେ ଷଡଙ୍ଗୀ କାର୍ଯ୍ୟ କରୁଛନ୍ତି। ସେ ଦୀର୍ଘ ୭ମାସ ଧରି ଅସ୍ଥାୟୀ ଡିଜି ଭାବେ ଦାୟିତ୍ୱ ତୁଲାଉଛନ୍ତି।

ଅରୁଣ ଷଡଙ୍ଗୀଙ୍କ ଉପରେ ବରିଷ୍ଠତା ଭିତ୍ତିରେ ୧୯୮୮ ବ୍ୟାଚର ଅରୁଣ କୁମାର ରାୟ,୧୯୮୯ ବ୍ୟାଚ୍‌ର ଏଏମ ପ୍ରସାଦ ଓ ଏସଏମ ନରୱାଣେ ରହିଥିବା ବେଳେ ୧୯୯୦ ବ୍ୟାଚର ୱାଇବି ଖୁରାନିଆ ଓ ସୁଧାଂଶୁ ଷଡଙ୍ଗୀ ରହିଛନ୍ତି। ଅରୁଣ ରାୟ ଏବେବି ସରକାରଙ୍କ ପନିସମେଂଟ ପୋଷ୍ଟରେ ରହିଛନ୍ତି। ତେବେ ଅରୁଣ ରାୟ, ଏସଏମ ନରଓ୍ବାଣେ ଓ ଖୁରାନିଆଙ୍କୁ ଚିଠି ଯାଇଥିବାବେଳେ ତାଙ୍କ ଭିତରୁ କିଏ ଡିଜିପି ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି।

Share