Categories: ଜାତୀୟ

କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଇଣ୍ଡିଆର ଚିନ୍ତା ବଢ଼ିଲା, ବୈଠକ ଶେଷ…

ନୂଆଦିଲ୍ଲୀ,୧୯।୧୨ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି। ଏହି ପରିପ୍ରେକ୍ଷୀରେ ଦଳ ମଙ୍ଗଳବାର ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟି ଗଠନ କରି  ସମ୍ଭାବ୍ୟ ମିଳିତ ମଞ୍ଚରେ ଆଲୋଚନା କରିଛି। ଏହି ସମୟରେ, ଦିଲ୍ଲୀରେ ଆୟୋଜିତ ଇଣ୍ଡିଆର ବୈଠକରେ କଂଗ୍ରେସ  ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଏକ ପ୍ରସ୍ତାବ ଆସିଥିଲା। ତେବେ ଏହା ନିଶ୍ଚିତ ହୋଇପାରି ନାହିଁ ।

ଅନୁଷ୍ଠିତ ବୈଠକରେ ଆସନ ବଣ୍ଟନ ମୁଖ୍ୟ ପ୍ରସଙ୍ଗ ଥିଲା। ଏହା ସହିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଖାର୍ଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରସ୍ତାବ ଦେଇଛନ୍ତି ବୋଲି ଖବର ଆସିଥିଲା । ତେବେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସିପିଆଇ (ଏମ) ନେତା ସୀତାରାମ ୟେଚୁରୀ ଏହାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ସଭାରେ ଉପସ୍ଥିତ ନେତାମାନେ ଏହିପରି କିଛି ଶୁଣି ନାହାନ୍ତି, ତେବେ ଆପଣ ଏହା କିପରି ଶୁଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି? ଏପରି କୌଣସି ଏଜେଣ୍ଡା ଉପରେ ଆଲୋଚନା ହୋଇ ନ ଥିବା ସେ କହିଛନ୍ତି ।

କଂଗ୍ରେସ ଏକ ବିବୃତ୍ତିରେ କହିଛି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଏକ ଜାତୀୟ ମିଳିତ କମିଟି ଗଠନ କରିଛନ୍ତି। ଏହି କମିଟିରେ ଦଳର ବରିଷ୍ଠ ନେତା ମୁକୁଲ ୱାସନିକ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁରସିଦ ଏବଂ ବରିଷ୍ଠ ନେତା ମୋହନ ପ୍ରକାଶଙ୍କୁ  ସାମିଲ କରାଯାଇଛି।

ନିର୍ବାଚନରେ ଜିତିବା ପରେ ଇଣ୍ଡିଆର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବା ଉଚିତ ବୋଲି ସମସ୍ତ ଦଳର ନେତା କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ଇଣ୍ଡିଆର ଚିନ୍ତା ବଢ଼ିବାରେ ଲାଗିଛି।

Share