Categories: ଖେଳ

ବର୍ଷା ଯୋଗୁ ଦ୍ୱିତୀୟ ସେମିଫାଇନାଲ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ, କିଛି ଏଭଳି ରହିଛି ନିୟମ…

ନୂଆଦିଲ୍ଲୀ,୧୬।୧୧: ଭାରତ ବିଶ୍ୱକପ୍‌ ୨୦୨୩ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ବିରୋଧୀ ଟିମ୍‌ ସମ୍ମୁଖରେ ୩୯୮ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ମହମ୍ମଦ ଶାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଦଳ ୩୨୭ରନ୍‌ରେ ସୀମିତ ରହିଥିଲା। ଏହାପୂର୍ବରୁ ଦଳ ୧୯୮୩ରେ କପିଲ ଦେବ, ୨୦୦୩ରେ ସୌରଭ ଗାଙ୍ଗୁଲୀ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱ ସମୟରେ ବିଶ୍ୱକପ୍‌ ଫାଇନାଲ ଖେଳିଥିଲା।

ବିଶ୍ୱକପ୍‌ର ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଗୁରୁବାର ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ବିଜେତା ଟିମ୍‌ ଭାରତ ସହ ଟାଇଟଲ ପାଇଁ ଲଢ଼ିବ।

ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ କୋଲକାତାରେ ଖେଳାଯିବାକୁ ଥିବା ବେଳେ ବର୍ଷା ହେବା ଆଶଙ୍କା କରାଯାଉଛି। ଏଣୁ ଯଦି ଏହି ମ୍ୟାଚ୍‌ରେ ବର୍ଷା ବାଧା ସୃଷ୍ଟି କରେ ତେବେ ଆଇସିସି ନକଆଉଟ୍‌ ମ୍ୟାଚ୍‌ ଲାଗି ରିଜର୍ଭ ଡେ’ ନିର୍ଦ୍ଧାରିତ କରିଛି। ଦ୍ୱିତୀୟ ଦିନ ମଧ୍ୟ ଖେଳର ନିଷ୍କର୍ସ ନ ବାହାରିଲେ ପଏଣ୍ଟ ଟେବୁଲ ଆଧାରରେ ବିଜେତା ଘୋଷଣା କରାଯିବ। ତଦନୁଯାୟୀ ଦକ୍ଷିଣ ଆଫ୍ରିକା ଟିମ୍‌ ଫାଇନାଲରେ ପ୍ରବେଶ କରିବ। ସେଠାରେ ଦଳ ଭାରତ ସହ ଖେଳିବ।

Share