ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କାହାକୁ ମିଳିବ ଇ-ପାସ୍‌

ନୂଆଦିଲ୍ଲୀ,୬।୪: ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମଙ୍ଗଳବାରଠୁଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ରାତ୍ର ୧୦ଟାରୁ ସକାଳ ୫ଟା ଯାଏଁ ଏହି କର୍ଫ୍ୟୁ ଲାଗୁ ହେବ। ତେବେ ରାତ୍ରୀକାଳୀନ କର୍ଫ୍ୟୁ ପାଇଁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ ଅନୁସାରେ ରାତିରେ ଭାକ୍ସିନ ନେବାକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ କଟକଣା କୋହଳ କରାଯିବ। କିନ୍ତୁ ସେମାନଙ୍କ ପାଖରେ ଇ-ପାସ୍‌ ରହିବା ନିହାତି ଆବଶ୍ୟକ। ସେହିପରି କର୍ଫ୍ୟୁ ସମୟରେ ରାଶନ, ଖାଦ୍ୟସାମଗ୍ରୀ, ଫଳ ପନିପରିବା, ଦୁଗ୍ଧ ଓ ଔଷଧ ଦୋକାନୀମାନଙ୍କୁ ଇ-ପାସ୍‌ ମାଧ୍ୟମରେ ଯିବା ଆସିବାକୁ ଅନୁମତି ମିଳିବ। ଏତ୍‌ଦ ବ୍ୟତୀତ ପ୍ରିଣ୍ଟ୍‌ ଓ ଇଲେକ୍‌ଟ୍ରୋନିକ ଗଣମାଧ୍ୟମ ମଧ୍ୟ ଇ-ପାସ୍‌ ଜରିଆରେ ଗମନାଗମନ କରିପାରିବେ। ଏହି ସମୟରେ ଘରୋଇ ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍‌ ନିଜର ଆଇଡି କାର୍ଡ ଦେଖାଇ କଟକଣା ମୁକ୍ତ ହୋଇପାରିବେ। ତେବେ ବିମାନ ବନ୍ଦର, ରେଲଓ୍ବେ ଷ୍ଟେସନ୍‌ ଓ ବସ୍‌ ଷ୍ଟାଣ୍ଡ ଯାଉଥିବା ଯାତ୍ରୀଙ୍କ ପାଖରେ ଯଦି ବୈଧ ଟିକେଟ ରହିଥିବ ତେବେ ସେମାନଙ୍କୁ ଛାଡ଼ ଦିଆଯିବ। ଏଥିସହ ଗର୍ଭବତୀ ମହିଳା ଓ ରୋଗୀଙ୍କ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କଟକଣା କୋହଳ ରହିବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩,୫୪୮ ନୂଆ କରୋନା ମାମଲା ଚହ୍ନଟ ହୋଇଥିବା ବେଳେ ୧୫ଜଣଙ୍କ ମୃତ୍ୟୁ ଘଟିଛି।

Share