ମର୍ଯ୍ୟାଦା ଜଗିବ କିଏ

ପ୍ରେଷ୍ଟିଜ୍‌ ବା ମର୍ଯ୍ୟାଦା। ଏହା ଏକ ଶବ୍ଦ ବା ଅନୁଭବ ହୋଇପାରେ। କିନ୍ତୁ ଅନେକେ ଏହାକୁ ସାମଗ୍ରୀ ଭାବେ ଦେଖିଥାଆନ୍ତି। କଥା କଥାରେ ଲୋକେ କହିଥାଆନ୍ତି ‘ମୋର କ’ଣ ପ୍ରେଷ୍ଟିଜ୍‌ ନାହିଁ’। ଆଉ ଥୋକେ କହିବସନ୍ତି-ମୋ ପ୍ରେଷ୍ଟିଜ୍‌ ପଳାଇଲା। ବାସ୍ତବରେ ଏହାକୁ ନିଜ ହୃଦୟ ଭିତରେ ରଖାଯାଇଥାଏ, ପଦାରେ ପକାଯାଏ ନାହିଁ। ଏଇଥିରୁ ଖିଅ ଟାଣି ସୁପ୍ରିମକୋର୍ଟ ବିଷୟରେ ଆଲୋଚନା କରାଗଲେ, ଏହି ନ୍ୟାୟିକ ଅନୁଷ୍ଠାନ ଏବେ ମାର୍ଯ୍ୟାଦା ସଙ୍କଟରେ ପଡ଼ିଯାଇଛି। ଅଚାନକ ବାତ୍ୟା ଆସିଗଲେ ସାମଗ୍ରୀକୁ ଘର ଭିତରେ ରଖାଗଲେ ସୁରକ୍ଷିତ ହୋଇଥାଏ। ହେଲେ ଆଜିର ସାମାଜିକ ବାତ୍ୟା ବହୁଥିବା ବେଳେ ସୁପ୍ରିମକୋର୍ଟ ମର୍ଯ୍ୟାଦାକୁ ଗମ୍ବୁଜ ଉପରେ ଥୋଇଦେଇଛନ୍ତି। ଏଭଳିସ୍ଥଳେ କେହି ସମାଲୋଚନା କଲେ ଭୀଷଣ ଉତ୍‌କ୍ଷିପ୍ତ ହୋଇ ଦଣ୍ଡ ଦେବାକୁ ଆଗେଇ ଆସୁଛନ୍ତି। ଅନ୍ୟପକ୍ଷରେ ଦେଶର ସର୍ବୋଚ୍ଚ ଅଦାଲତର ପ୍ରତ୍ୟେକଟି କାର୍ଯ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବା ଇଙ୍ଗିତରେ ହେଲା ଭଳି ପରିଲକ୍ଷିତ ହେଉଛି। ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି ପିଏମ୍‌ କେୟାର୍ସ ଫଣ୍ଡ୍‌ ବା ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚୁଏଶନ୍ସ ଫଣ୍ଡ୍‌। ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ନ୍ୟାଶନାଲ ଡିଜାଷ୍ଟର ରେସପନ୍ସ ଫଣ୍ଡ୍‌ ବା ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)କୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ୧୮ ଅଗଷ୍ଟରେ ଆଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ପୀଠ ରାୟ ଶୁଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ସେଣ୍ଟର ଫର୍‌ ପବ୍ଲିକ୍‌ ଇଣ୍ଟରେଷ୍ଟ ଲିଟିଗେଶନ ନାମକ ଏକ ଏନ୍‌ଜିଓ ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲା ଯେ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ମିଳୁଥିବା ଅର୍ଥ ଏନ୍‌ଡିଆର୍‌ଏଫ୍‌କୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦିଆଯାଉ। ହେଲେ ପୀଠ ଯୁକ୍ତି ଦର୍ଶାଇଛନ୍ତି ଯେ, ପିଏମ୍‌ କେୟାର୍ସ ଦ୍ୱାରା ହାସଲ କରାଯାଇଥିବା ଅର୍ଥ ସମ୍ପୂର୍ଣ୍ଣ ଭାବେ ଦାତବ୍ୟ ଟ୍ରଷ୍ଟ ଭାବେ ଅଭିହିତ କରାଯାଉଥିବାରୁ ତାହା ଏକ ଭିନ୍ନ ପାଣ୍ଠି। ଯଦି ସରକାର ଅନୁଭବ କରିବେ ଯେ ସେହି ପାଣ୍ଠି ଏନ୍‌ଡିଆର୍‌ଏଫ୍‌କୁ ଦିଆଯିବା ଦରକାର, ତାହା ହେଲେ ନିଷ୍ପତ୍ତି ନେଇପାରିବେ। ଏଥିରୁ ସିଧାସଳଖ ପ୍ରମାଣ ମିଳୁଛି ଯେ ଶୀର୍ଷ ଅଦାଲତ ଜନମଙ୍ଗଳ ପାଇଁ ଯେତିକି ଦରଦ ଦେଖାଉ ନାହାନ୍ତି, ସରକାରରେ ଥିବା ବ୍ୟକ୍ତିବିଶେଷଙ୍କ ଲକ୍ଷ୍ୟସାଧନ ପାଇଁ ଅଧିକ ତତ୍ପର। ଏହା ବ୍ୟତୀତ ସୁପ୍ରିମକୋର୍ଟଙ୍କ ଅନେକ ରାୟ ବଡ଼ କମ୍ପାନୀ ସପକ୍ଷରେ ଯାଇ ଦେଶର କ୍ଷତି ଘଟାଇଛି। ସେଭଳି ବିଷୟ ସମ୍ପର୍କରେ ଯଦି କିଏ ପ୍ରଶ୍ନ ଉଠାଉଛି, ତେବେ ଦମନଲୀଳା ଆରମ୍ଭ ହୋଇଯାଉଛି।
ଭାରତରେ କୌଣସି ବ୍ୟକ୍ତିଙ୍କୁ ସମାଲୋଚନା କରାଗଲେ ତାଙ୍କ ପ୍ରତି ଡେରୋଗେଟୋରୀ ରିମାର୍କସ୍‌ ବା ମର୍ଯ୍ୟାଦାହାନିକର ମନ୍ତବ୍ୟ ଭାବେ ଗଣାଯାଇଥାଏ। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କୁ ଦେଖିଲେ ଏହା ଏକ ଅନୁଷ୍ଠାନ ପଦବାଚ୍ୟ। କିନ୍ତୁ ଏଥିରେ ଅଧିଷ୍ଠିତ ବିଚାରପତିମାନେ ସମାଲୋଚନାକୁ ସାଧାରଣ ନାଗରିକଙ୍କ ପରି ଦେହକୁ ନେଇଯାଉଛନ୍ତି। କାଳ ବିଳମ୍ବ ନ କରି କୋର୍ଟ ପ୍ରତି ଦିଆଯାଇଥିବା ମନ୍ତବ୍ୟକୁ କଣ୍ଟେମ୍ପଟ୍‌ ଅଫ୍‌ କୋର୍ଟ ବା ଅଦାଲତ ଅବମାନନା ବର୍ଗରେ ପକାଇ ସମାଲୋଚନାକାରୀଙ୍କୁ ଦୋଷୀଙ୍କ ସ୍ଥାନରେ ବସାଇ ଦେଉଛନ୍ତି। ଜଣାଶୁଣା ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ପ୍ରଶାନ୍ତ ଭୂଷଣ ଏବେ ସର୍ବୋଚ୍ଚ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ କେଉଁ ଦଣ୍ଡ ମିଳିବ ୨୦ ଅଗଷ୍ଟରେ ଜଣାପଡ଼ିବ। ମନେପକାଇ ଦିଆଯାଇପାରେ ଯେ, ସୁପ୍ରିମକୋର୍ଟର ବର୍ତ୍ତମାନର ପ୍ରଧାନ ବିଚାରପତି ଓ ପୂର୍ବତନ ୪ ପ୍ରଧାନ ବିଚାରପତିଙ୍କ ବିରୋଧରେ କେତେକ ଟୁଇଟ୍‌ କରି ଅଦାଲତର ମର୍ଯ୍ୟାଦାହାନି କରିଥିବା ଅଭିଯୋଗରେ ତାଙ୍କୁ ଦୋଷୀ କରାଯାଇଛି। ଏସବୁ ଟୁଇଟ୍‌ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା କଷ୍ଟକର ହୋଇଥାଆନ୍ତା। ସେଥିପାଇଁ ୧୧ ବର୍ଷ ପୂର୍ବେ ତାଙ୍କ ବିରୋଧରେ ହୋଇଥିବା କୋର୍ଟ ଅବମାନନା ମାମଲାକୁ ଟଣାଗଲାଣି।
ଭାରତୀୟ ସମ୍ବିଧାନରେ ଅଭିବ୍ୟକ୍ତିର ସ୍ବାଧୀନତା ମୌଳିକ ଅଧିକାର ଭାବେ ଦର୍ଶାଯାଇଛି। କିନ୍ତୁ ତାହାକୁ ଅଦାଲତି ଚାପରେ କଦର୍ଥ କରାଯାଇସାରିଲାଣି। ଏଭଳି ସମୟରେ ଯଦି ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡିତ କରାଯାଏ ତାହା ହେଲେ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରତି ଭୟ ବା ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା କରି ହୋଇଥିବା ଆବେଦନରେ ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ସ୍ବାକ୍ଷର କରିସାରିଲେଣି। ଏମାନଙ୍କ ମଧ୍ୟରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟର ପୂର୍ବତନ ବିଚାରପତି, ଆଇନଜୀବୀ, ପ୍ରଶାସନିକ ଅଧିକାରୀ, ସେଲିବ୍ରିଟି ଏବଂ ବୁଦ୍ଧିଜୀବୀ ଅଛନ୍ତି। ସାଧାରଣତଃ କୋର୍ଟ ଅବମାନନା ସଂକ୍ରାନ୍ତ ବିତର୍କ ସମ୍ଭ୍ରାନ୍ତ ସମାଜ ଭିତରେ ଚାଲିଛି। ତଥାପି ଯେଉଁ ହାରରେ ପ୍ରଶାନ୍ତଙ୍କୁ ଦଣ୍ଡିତ କରିବା ପାଇଁ ସୁପ୍ରିମକୋର୍ଟ ଲାଗିଛନ୍ତି, ତାହାଠାରୁ କାହିଁ କେତେ ଅଧିକ ମାତ୍ରାରେ ବିରୋଧ କରାଯାଉଛି। ଏହା କରାଯିବା ସ୍ବାଭାବିକ। କାରଣ ପାଶ୍ଚାତ୍ୟର ଅନେକ ରାଷ୍ଟ୍ରରେ ଅଦାଲତ ଅବମାନନା ଅବ୍‌ସୋଲିଟ୍‌ ବା ଅପ୍ରଚଳିତ ହୋଇଗଲାଣି। ସେହି ଦୃଷ୍ଟିରୁ ଦେଖିଲେ କଣ୍ଟେମ୍ପଟ୍‌ ଅଫ୍‌ କୋର୍ଟକୁ ଏଠାରେ ସମୀକ୍ଷା କରାଯିବା ଉଚିତ। ଯୁକ୍ତିତର୍କ ମାଧ୍ୟମରେ ନିଷ୍କର୍ଷ ଆସିଥାଏ। ଆଜିର ଆଧୁନିକ ଯୁଗରେ ତାହାକୁ ଗୁରୁତ୍ୱ ଦିଆ ନ ଯାଇ ପୁରୁଣାକାଳିଆ ଚିନ୍ତାଧାରାକୁ ଧାରି ରଖିଲେ ଗଣତନ୍ତ୍ର ବିପଦରେ ପଡ଼ିବା ନିଶ୍ଚିତ। କାରଣ ଏକ ସୁସ୍ଥ ଗଣତନ୍ତ୍ର ସମାଲୋଚନାକୁ ସମ୍ମାନ ଦେବା ଦରକାର, ଏହାକୁ ଚାପି ଦେଇ ନୁହଁ। ଯେତେବେଳେ ଦେଶର ନ୍ୟାୟପାଳିକାର ଶୀର୍ଷରେ ଥିବା ଅନୁଷ୍ଠାନ ପ୍ରେଷ୍ଟିଜ୍‌ ବା ମର୍ଯ୍ୟାଦା ସଙ୍କଟରେ ପଡ଼ିଛି ବୋଲି ଭାବି ଅସହାୟ ହୋଇପଡ଼ିବ, ସେତେବେଳେ କାହାର ମର୍ଯ୍ୟାଦାକୁ କେହି ସୁରକ୍ଷା ଦେଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri