ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ ପରେ ହେଲିକପ୍ଟର ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ, ଯେଉଁଠାରେ କେହି ବଞ୍ଚିବାର କୌଣସି ଚିହ୍ନ ନଥିଲା।
ଏହି ହେଲିକପ୍ଟରରେ ରାଷ୍ଟ୍ରପତି ରଇସି ଏବଂ ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଆମୀର ଅବଦୁଲ୍ଲାୟାନଙ୍କ ସମେତ ମୋଟ ୯ଜଣ ଲୋକ ଥିଲେ ଏବଂ ଏହି ଦୁର୍ଘଟଣାରେ ସମସ୍ତେ ମରିଥିବେ ବୋଲି ଆଶଙ୍କା କରାଯାଉଛି। ଇବ୍ରାହିମ ରାଇସିଙ୍କ ହଠାତ୍ ଦେହାନ୍ତ ପରେ ପ୍ରଶ୍ନ ଉଠୁଛି ଯେ ତାଙ୍କ ପରେ ଇରାନର ଦାୟିତ୍ୱ କିଏ ନେବେ? ଇରାନର ସମ୍ବିଧାନ କ’ଣ କହୁଛି ଜାଣନ୍ତୁ।
ଇରାନର ସମ୍ବିଧାନ ଅନୁଯାୟୀ, ଯଦି ଜଣେ ସିଟିଂ ରାଷ୍ଟ୍ରପତିଙ୍କର ହଠାତ୍‌ ମୃତ୍ୟୁ ହୁଏ, ତେବେ ଧାରା ୧୩୧ ଅନୁଯାୟୀ, ପ୍ରଥମ ଉପରାଷ୍ଟ୍ରପତିଙ୍କୁ ସର୍ବାଧିକ ୫୦ ଦିନ ଏହି ଦାୟିତ୍ୱ ଦିଆଯାଇପାରିବ। ତେବେ ଏଥିପାଇଁ ଇରାନର ସର୍ବୋଚ୍ଚ ନେତା ଅର୍ଥାତ୍‌ ଅଯାତୁଲ୍ଲା ଖାମୋନେଇଙ୍କ ଅନୁମୋଦନ ଆବଶ୍ୟକ ହେବ। ଏହି ଅନୁଯାୟୀ ଇରାନର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ମୋଖବରଙ୍କୁ ବର୍ତ୍ତମାନ ରାଷ୍ଟ୍ରପତି କରାଯାଇପାରିବ।

ଏହା ପରେ ଉପରାଷ୍ଟ୍ରପତି, ସଂସଦର ବାଚସ୍ପତି ଏବଂ ନ୍ୟାୟପାଳିକାର ମୁଖ୍ୟଙ୍କୁ ନେଇ ଗଠିତ ପରିଷଦକୁ ସର୍ବାଧିକ ୫୦ ଦିନ ମଧ୍ୟରେ ନୂତନ ରାଷ୍ଟ୍ରପତିଙ୍କ ପାଇଁ ନିର୍ବାଚନ ବ୍ୟବସ୍ଥା କରିବାକୁ ପଡ଼ିବ। ୨୦୨୧ରେ ଇବ୍ରାହିମ ରଇସି ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ବର୍ତ୍ତମାନ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ୨୦୨୫ରେ ହେବ। ତେବେ ତାଙ୍କ ମୃତ୍ୟୁ ପରେ ଖୁବ ଶୀଘ୍ର ସେଠାରେ ପୁଣି ନିର୍ବାଚନ ଅନୁଷ୍ଠିତ ହେବ।

Share