Categories: ଖେଳ

କିଏ ଶିଖାଇବ ମତେ କ୍ୟାଚ ଧରିବା: ହାସନଙ୍କ ଭିଡ଼ିଓ ଭାଇରାଲ…

ଇସଲାମାବାଦ,୮।୧ : ପାକିସ୍ତାନର ଦ୍ରୁତ ବୋଲର ହାସନ ଅଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡିଓରେ ବହୁତ କ୍ରୋଧିତ ଦେଖାଯାଉଛନ୍ତି। ବାସ୍ତବରେ, ଏହି ଭିଡିଓ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟ ମ୍ୟାଚ ପରର। ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ଯେଉଁଠାରେ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ଦଳ ଗୋଟିଏ ବି ବିଜୟ ହାସଲ କରି ପାରି ନ ଥିଲା ଏବଂ ଦଳକୁ ଖାଲି ହାତରେ ଫେରିବାକୁ ପଡିଥିଲା।

ବାସ୍ତବରେ ସିରିଜର ଶେଷ ଟେଷ୍ଟ ମ୍ୟାଚ ପରେ ହାସନ ଅଲିଙ୍କ ଭିଡିଓ ଭାଇରାଲ ହୋଇଥିଲା। ହାସନ ଅଲି ପ୍ରଶଂସକମାନଙ୍କୁ ଅଟୋଗ୍ରାଫ ଦେଉଥିବାବେଳେ ଭିଡ଼ରେ ଉପସ୍ଥିତ ଜଣେ ପ୍ରଶଂସକ ହାସନ ଅଲିଙ୍କୁ ତାଙ୍କ ଫିଲ୍ଡିଂ ବିଷୟରେ ଥଟ୍ଟା କରିବା ଆରମ୍ଭ କରି ଦେଇଥିଲେ। ପ୍ରଶଂସକ କହିଥିଲେ, ହାସନ ଅଲି! ଏଠାକୁ ଆସ, ମୁଁ ତୁମକୁ କିପରି କ୍ୟାଚ ଧରିବାକୁ ହେବ ଶିଖାଇବି। ଏହା ଶୁଣି ପାକିସ୍ତାନୀ ବୋଲର ତାଙ୍କ ନିକଟକୁ ଯାଇ କହିଛନ୍ତି, ଠିକ ଅଛି, ଏଠାକୁ ଆସ, ମୋତେ କିପରି କ୍ୟାଚ ଧରିବାକୁ ହେବ ଶିଖାଅ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ସିଡନୀ ଟେଷ୍ଟ ମ୍ୟାଚରେ ହାସନ ଅଲି ଗୋଟିଏ ବି ଓ୍ବିକେଟ ନେଇ ପାରି ନ ଥିଲେ। ସେ ଉଭୟ ଇନିଂସରେ ବୋଲିଂ କରିଥିଲେ ମଧ୍ୟ ଗୋଟିଏ ୱିକେଟ ନେଇ ପାରି ନ ଥିଲେ। ଏଥି ସହ ଏହି ସିରିଜରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିବା ତାଙ୍କ ସାଥୀ ଖେଳାଳି ଆମେର ଜମାଲ ମ୍ୟାଚର ପ୍ରଥମ ଇନିଂସରେ ୬ ଟି ୱିକେଟ ନେଇଥିଲେ।

ସିରିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୩୬୦ ରନରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ପାକିସ୍ତାନକୁ ୭୯ ରନରେ ପରାସ୍ତ ହୋଇଥିଲା। ପୁରା ସିରିଜରେ ପାକିସ୍ତାନର ଫିଲ୍ଡିଂ ବହୁତ ଖରାପ ଥିଲା। ଦଳର ଖେଳାଳିମାନେ ଅନେକ କ୍ୟାଚ ଛାଡିଥିଲେ। ଏଥିସହିତ ବାବର ଆଜାମଙ୍କ ବ୍ୟାଟିଂ ସିରିଜରେ ଖରାପ ରହିଥିଲା।

 

Share