Categories: ଜାତୀୟ

ଶ୍ରୀରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବମୁଖର ସମଗ୍ର ଦେଶ, ଅଯୋଧ୍ୟାରେ ପହଞ୍ଚିଲେଣି ଅନେକ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟାରେ ଶ୍ରୀରାମଲାଲା ବିରାଜମାନର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଐତିହାସିକ କରିବାପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଭବ୍ୟ ଉତ୍ସବକୁ ଦେଖିବାପାଇଁ ହଜାର ହଜାର ସଂଖ୍ୟାରେ ରାମଭକ୍ତ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମନ୍ଦିର ପରିସରରେ କୀର୍ତ୍ତନ, ଭଜନ, ରାମାୟଣ ଓ ରମଚରିତ ମାନସ ଚାଲିଛି। ବିଭିନ୍ନ ନଦୀର ପବିତ୍ର ଜଳରେ ରାମଲାଲାଙ୍କ ବିଗ୍ରହକୁ ସ୍ନାନ କରାଯାଇଛି। ଏଥିସହ ସାହିୟା ଅଧିବାସ, ଅଘୋର ହୋମ ଏବଂ ରାତ୍ରି ଜାଗରଣ ତଥା ବାସ୍ତୁ ଶାନ୍ତି ଅନୁଷ୍ଠାନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ଗତକାଲି ମନ୍ଦିର ପରିସରରେ ୮୧ଟି କଳସ ସ୍ଥାପନା କରାଯାଇଥିଲା। ଏହା ପୂର୍ବରୁ ଗତ ଗୁରୁବାର ଦିନ ରାମଲାଲାଙ୍କ ମୂର୍ତ୍ତିକୁ ସାର୍ବଜନୀନ କରାଯାଇଥିଲା। ଆସନ୍ତାକାଲି ପୌଷ ଶୁକ୍ଳ ଦ୍ୱାଦଶୀ ତିଥିରେ ଅପରାହ୍ଣ ୧୨ଟା ୨୦ମିନିଟ୍‌‌ ସମୟରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣପ୍ରତିଷ୍ଠା କରାଯିବା ସହ ମନ୍ଦିରର ଗର୍ଭଗୃହରେ ଶ୍ରୀବିଗ୍ରହ ରୂପେ ସ୍ଥାପନ ପୂର୍ବକ ପୂଜା କରାଯିବ। ଏହି କାର୍ଯ୍ୟକ୍ରମରେ ୫ ଜଣ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଜୀ ମହାରାଜ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଉପସ୍ଥିତ ରହିବେ। ଏହା ବ୍ୟତୀତ ଅନେକ ସିନେତାରକା, କ୍ରିକେଟର ଏବଂ ବିଭିନ୍ନ କ୍ଷେତରୁ ବଡ଼ ବ୍ୟକ୍ତିବିଶେଷ ଆସି ଅଯୋଧ୍ୟାରେ ପହଞ୍ଚିଲେଣି।

ସୂଚନା ଅନୁସାରେ, ୧୨୫ ଜଣ ଭାରତୀୟ ପରମ୍ପରାର ସନ୍ଥ ଏବଂ ବିଭିନ୍ନ କ୍ଷେତ୍ରରୁ ୨ ହଜାର ୫୦୦ ବ୍ୟକ୍ତିବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି। ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସବୁ ମନ୍ଦିର ଓ ତୀର୍ଥକ୍ଷେତ୍ରଗୁଡ଼ିକରେ ସ୍ୱଚ୍ଛତା ଅଭିଯାନ ଚାଲିଛି। ପାରମ୍ପରିକ ନଗର ଢାଞ୍ଚାରେ ନିର୍ମିତ ଏହି ମନ୍ଦିର ୨ ଦଶମିକ ୭ ଏକର ଜମି ଉପରେ ନିର୍ମାଣ କରାଯାଇଛି। ତିନିମହଲା ବିଶିଷ୍ଟ ମନ୍ଦିରର ଉଚ୍ଚତା ୧୬୧ ଫୁଟ ଥିବାବେଳେ ପୂର୍ବରୁ ପଶ୍ଚିମକୁ ଲମ୍ବ ୩୮୦ ଫୁଟ ଏବଂ ଉତ୍ତରରୁ ଦକ୍ଷିଣକୁ ଓସାର ୨୫୦ ଫୁଟ ରହିଛି। ମନ୍ଦିରରେ ୫ଟି ମଣ୍ଡପ ଯଥା ନୃତ୍ୟ ମଣ୍ଡପ, ରଙ୍ଗମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ ନିର୍ମାଣ କରାଯାଇଛି।

ବିଭିନ୍ନ ଘଟଣାକ୍ରମରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପୂର୍ବରୁ ଗତକାଲିଠାରୁ ଦେଶବ୍ୟାପୀ ପ୍ରାୟ ୨୫ ହଜାର ଛୋଟବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅନ୍ୟପକ୍ଷରେ ଅଯୋଧ୍ୟାର ଭବ୍ୟ ରାମମନ୍ଦିରର ପ୍ରାଣପ୍ରତିଷ୍ଠାକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ କେତେକ ଭୁଲ୍‌‌ ଖବର ପ୍ରସାରିତ ହେଉଥିବା ସରକାରଙ୍କ ନଜରକୁ ଆସିଛି। ଏହି କ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଭୁଲ୍‌‌ ଖବର ଠାରୁ ଦୂରେଇ ରହିବା ପାଇଁ ଗଣମାଧ୍ୟମଗୁଡ଼ିକୁ ସତର୍କ କରାଯାଇଛି। ଯାଞ୍ଚ ନ ହୋଇଥିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ମିଛ ଖବର ପ୍ରସାରଣ ନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବା ସହ ରାମମନ୍ଦିରକୁ ନେଇ ମିଥ୍ୟା ଖବର ଯେପରି ପ୍ରସାରଣ ନ ହୁଏ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ କୁହାଯାଇଛି।

Share