Categories: ଖେଳ

ହକିକୁ ସ୍ବାଗତ କରୁଛି ସମଗ୍ର ବିଶ୍ୱ

ଭୁବନେଶ୍ୱର,୧୬ା୧(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହୋଇଛି ହକି ବିଶ୍ୱକପ୍‌-୨୦୨୩। ବିଶ୍ୱକପ୍‌କୁ ନେଇ ସମଗ୍ର ଓଡ଼ିଶା ଉତ୍ସବମୁଖର। ଐତିହାସିକ କଳିଙ୍ଗ ଷ୍ଟାଡିୟମ ଓ ହକିର ଏନ୍ତୁଡ଼ିଶାଳ ରାଉରକେଲାର ବିର୍ସାମୁଣ୍ଡା ଇଣ୍ଟରନ୍ୟାଶନାଲ ହକି ଷ୍ଟାଡିୟମ ମଧ୍ୟ ପ୍ରାୟ ହାଉସ୍‌ଫୁଲ୍‌ ରହିଛି। କଳିଙ୍ଗ ଷ୍ଟାଡିୟମର ଦର୍ଶକ କ୍ଷମତା ୧୫ ହଜାର ରହିଥିବା ବେଳେ ବିଶ୍ୱର ସର୍ବବୃହତ୍‌ ବିର୍ସାମୁଣ୍ଡ ଷ୍ଟାଡିୟମରେ ବସିପାରିବେ ୨୦ ହଜାରରୁ ଅଧିକ ଦର୍ଶକ। ତେବେ କେବଳ ଓଡ଼ିଶା ବା ଭାରତ ନୁହେଁ, ସମଗ୍ର ବିଶ୍ୱର ଦର୍ଶକଙ୍କ ମଧ୍ୟରେ ହକିକୁ ନେଇ ଦେଖାଦେଇଛି ଅଫୁରନ୍ତ ଉତ୍ସାହ। ସଡ଼କରେ ନିଜ ନିଜ ଦଳର ସମର୍ଥତ୍ତ ଟିମ୍‌ର ଜର୍ସି ସହିତ ଫ୍ୟାନ୍‌ମାନଙ୍କୁ ଦେଖିବାକୁ ମିଳୁଛି। ଏଭଳି ସ୍ଥିତି କେବଳ ଓଡ଼ିଶା ନୁହେଁ, ଭାରତ ପାଇଁ ମଧ୍ୟ ଗର୍ବର ବିଷୟ। ମନ୍ଦିରମାଳିନୀ ଭୁବନେଶ୍ୱର ଏହାର ଐତିହାସିକ କୀର୍ତ୍ତିରାଜି ପାଇଁ ପରିଚିତ। ବିଶ୍ୱକପ୍‌ ପୂର୍ବରୁ ସହରଟି ଆଲୋକମାଳାରେ ସଜ୍ଜିତ ହୋଇଛି। ସେହିପରି ଷ୍ଟିଲ ପ୍ଲାଣ୍ଟ ଓ ଶିଳ୍ପ ପାଇଁ ପରିଚିତ ରାଉରକେଲା ସହରରେ ମଧ୍ୟ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ। ରାଉରକେଲାରେ ଏକାଧିକ ଫ୍ୟାନ୍‌ ପାର୍କ ମଧ୍ୟ ନିର୍ମାଣ କରାଯାଇଛି।

ଓଡ଼ିଶାବାସୀଙ୍କ ହକି ପ୍ରତି ଉଚ୍ଛ୍ବସିତ ଭଲପାଇବା କାରଣରୁ ଭୁବନେଶ୍ୱର, ରାଉରକେଲା ଓ ପୁରୀରେ ଓଲି ଲ୍ୟାଣ୍ଡ ବା ଓଲି ରାଇଜ ନିର୍ମାଣ କରାଯାଇଛି। ଓଲି ଲ୍ୟାଣ୍ଡରେ ବିଭିନ୍ନ ଐତିହାସିକ ଭାସ୍କର୍ଯ୍ୟକୁ ସ୍ଥାନ ମିଳିଛି। କୋଣାର୍କ ଚକ୍ର, ମୃଗ, ସମ୍ବର ଏବଂ ହକି ବିଶ୍ୱକପ୍‌ର ଏକ ପ୍ରତିକୃତି ସହିତ ଓଲି ରାଇଜ ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ରଖାଯାଇଛି। ଏହାସହିତ ହକି ବିଶ୍ୱକପ୍‌ ସମୟ ଜାନୁୟାରୀ ୧୫-୨୯ ତାରିଖ ଯାଏ ଡଟ୍‌ ଫେଷ୍ଟ ମଧ୍ୟ ଅନୁଷ୍ଠିତ ହେବ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରାଯାଉଛି। ଏହି ଇଭେଣ୍ଟଗୁଡ଼ିକ କେବଳ ସ୍ଥାନୀୟ ଦର୍ଶକ ନୁହନ୍ତି ବରଂ ବିଦେଶୀମାନଙ୍କୁ ମଧ୍ୟ ଆକୃଷ୍ଟ କରିବାରେ ସମର୍ଥ ହୋଇଛି। ଓଡ଼ିଶା ନିଜର ଆତିଥେୟତା ପାଇଁ ପ୍ରସିଦ୍ଧି ହାସଲ କରିଥିବା ବେଳେ ସମଗ୍ର ବିଶ୍ୱର ଆଥ୍‌ଲେଟ ଓ ପ୍ରତିନିଧି ଏହାର ମଜା ନିଅନ୍ତୁ ବୋଲି କହିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୟସ ଓ ଲିଙ୍ଗଗତ ବିବିଧତା ସତ୍ତ୍ୱେ ସମସ୍ତ ବର୍ଗର ଦର୍ଶକ ଯେଭଳି ମ୍ୟାଚ୍‌କୁ ଉପଭୋଗ କରିପାରିବେ ସେନେଇ ଓଡ଼ିଶା ସରକାର ଓ ହକି ଇଣ୍ଡିଆ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Share