ଦେଶ କାହାର

ଭାରତ ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଓ ବିବିଧତାରେ ଏକତା ଏହାର ମୂଳମନ୍ତ୍ର। ଅନେକ ଭାଷା, ଧର୍ମ ଓ ଚାଲିଚଳଣିକୁ ନେଇ ଭାରତ ବିଶ୍ୱରେ ଅନନ୍ୟ।
ଗଣତନ୍ତ୍ରର ଅର୍ଥ ହେଲା ଦେଶର ସଂସାଧନ ଓ ଶାସନତନ୍ତ୍ରର ମାଲିକ ଖୋଦ୍‌ ନିଜେ ଜନତା। ଆମେ ଯୁଆଡେ ଆଖି ବୁଲେଇବା, ଗାଁର ସରକାରୀ ସ୍କୁଲ, ବ୍ଲକର ଡାକ୍ତରଖାନା, ସହରର କଲେଜ, ରାଜଧାନୀର ବିଶ୍ୱବିଦ୍ୟାଳୟ ଓ ଚକ ଚକିଆ ରାସ୍ତା ଆଦି ସବୁର ମାଲିକ ଦେଶର ଜନତା।
ସବୁ ଦେଶର ବା ସବୁ ଆମମାନଙ୍କର। ଆମେ ଆମ ମନଇଚ୍ଛାରେ ଭୋଟ ଦେଇ ପ୍ରତିନିଧି ବାଛୁ, ସରକାର ଗଢୁ ଓ ଭାଙ୍ଗୁ ମଧ୍ୟ। ଅର୍ଥାତ୍‌ ଦେଶର ଉନ୍ନତିରେ ସାଧାରଣ ନାଗରିକର ଭାଗୀଦାରି ଓ ପ୍ରଗତି ହେଇଥାଏ। ଯଦି କ୍ଷମତାରେ ବସିଥିବା ଶାସନତନ୍ତ୍ର ଉପରେ ଜନତା ନାରାଜ ହୁଏ ତା’ହାଲେ ପ୍ରତିବାଦ କରିବାରେ ଆମର ଅଧିକାର ଅଛି, କିନ୍ତୁ ଏହି ଆଳରେ ସରକାରୀ ସମ୍ପତ୍ତିକୁ ଛାରଖାର କରି ଦେଶର କ୍ଷତି କରିବା କେତେଦୂର ଉଚିତ ତାହା ବିଚାରସାପେକ୍ଷ। ୧୯୯୧ର ମଣ୍ଡଳ କମିଶନ ବିରୋଧରେ ଆନ୍ଦୋଳନ ହେଉ ଅଥବା ନାଗରିକ ସଂଶୋଧନ ବିଲ୍‌ ବିରୋଧରେ ଉଗ୍ର ପ୍ରଦର୍ଶନ ହେଉ, ସବୁ ସମୟରେ ଦେଶର ଅପାର ସମ୍ପତ୍ତିକୁ ନଷ୍ଟ କରାଯାଇଛି। ଏହାର ପ୍ରଥମ କାରଣ ହେଲା ଆମ ଯୁବ ଶକ୍ତି ଭିତରେ ଦେଶ ପ୍ରେମର ଅଭାବ।
ଅଗ୍ନିବୀର ଯୋଜନା ବିରୋଧରେ ଆନ୍ଦୋଳନରେ ବେପରୁଆ ଭାବେ ଯୁବ ଶକ୍ତି ଦିଶାହୀନ ଭାବରେ ଯେପରି ଅନେକ ରେଳ ସମ୍ପତ୍ତି ନିଆଁ ଲଗେଇ ନଷ୍ଟ କଲେ ତାହା ଦୁଃଖଦାୟକ। ଏକ ଆକଳନରୁ ଜଣାଯାଏ ଯେ ପ୍ରାୟ ସାତଶହ କୋଟି ତାଙ୍କର ଜାତୀୟ ସମ୍ପତ୍ତି ମାଟିରେ ମିଶିଗଲା।
ଶାନ୍ତିପୂର୍ବକ ଆନ୍ଦୋଳନ କରି କିପରି ଶାସନତନ୍ତ୍ରକୁ ଦୋହଲେଇ ହୁଏ ଓ ଜନତା ଦରକାର ପଡ଼ିଲେ ସରକାରଙ୍କୁ ପାନେ ଚଖେଇ ପାରେ, ତାହା ଅତୀତରେ ହୋଇଥିବା ଆନ୍ନା ଆଦୋଳନ ଏହାର ଏକ ବଳିଷ୍ଠ ଉଦାହରଣ। ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହାକୁ ଭରପୂର ସମର୍ଥନ ମିଳିଥିଲା। ଶସ୍ତା ଲୋକପ୍ରିୟତା ହେଉ କିମ୍ବା କ୍ଷମତା ବିରୋଧୀ ରାଜନେତାଙ୍କ ହାତବାରିସି ହେଉ ଯୁବ ସମାଜର ଏପରି କର୍ତ୍ତୃତ୍ୱ ଚିନ୍ତାଜନକ। ଆମେ ନିକଟ ଅତୀତରେ ଆମେରିକାରେ ବ୍ୟାପିଥିବା ବର୍ଣ୍ଣଭେଦୀ ଆନ୍ଦୋଳନକୁ ଦେଖିଛେ, କିନ୍ତୁ ଏତେବଡ଼ ଆନ୍ଦୋଳନ ଯାହା ସମଗ୍ର ଆମେରିକାରେ ବ୍ୟାପିଥିଲା କୌଣସି ଜାତୀୟ ସମ୍ପତ୍ତି ନଷ୍ଟ ହୋଇ ନ ଥିଲା। ହଂକଂରେ ଚାଇନା ବିରୋଧୀ ଆନ୍ଦୋଳନରେ ହଜାର ହଜାର ଆନ୍ଦୋଳନକାରୀ ଅନେକ ଦିନ ଧରି ବିରୋଧ ପ୍ରଦର୍ଶନ କରିଥିଲେ ମଧ୍ୟ ଜାତୀୟ ସମ୍ପତ୍ତି ନଷ୍ଟ ହୋଇ ନ ଥିଲା। ଏହାର କାରଣ ହେଲା ସେମାନେ ଦେଶର ସମ୍ପତ୍ତିକୁ ନିଜର ସମ୍ପତ୍ତି ଭାବନ୍ତି । କିନ୍ତୁ ଆମ ଦେଶରେ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବାରେ ଆମକୁ ଆନନ୍ଦ ମିଳିଥାଏ। ଅର୍ଥାତ ଆମ ଯୁବଶକ୍ତି ଭିତରେ ପ୍ରଖର ରାଷ୍ଟ୍ର ଭକ୍ତିର ଅଭାବ ପରିଲକ୍ଷିତ ହୁଏ, ଯାହା ବିଦେଶରେ ନ ଥାଏ। ତେଣୁ ଆମମାନଙ୍କୁ ଯୁବଶକ୍ତି ଭିତରେ ଛାତ୍ର ଅବସ୍ଥାରୁ ଦେଶ ପ୍ରେମର ଭାବନା ଭରି ଦେବାକୁ ହେବ। ଇଏ ସେଇ ଦେଶ ଯେଉଁଠି ବନ୍ଦେ ମାତରମ୍‌ର ଗୋଟିଏ ସ୍ବରରେ ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟ ପାଖରେ ଭଗତ ସିଂ, ରାଜଗୁରୁ, ସାଭରକର, ଜୟୀ ରାଜଗୁରୁ, ବାଜି ରାଉତଙ୍କ ଭଳି ଅନେକ ଯୁବ ପ୍ରାଣ ଆହୁତି ଦେଇଥିଲେ। ତେବେ ସ୍ବାଧୀନତାର ରୌପ୍ୟ ଜୟନ୍ତୀ ବର୍ଷ ହେଲା ବେଳକୁ ଯୁବବର୍ଗ ଏତେ ପଥଭ୍ରଷ୍ଟ କ’ଣ ପାଇଁ?
ଭାରତ ପୃଥିବୀର ଏକ ଯୁବା ଦେଶ ଯେଉଁଠି ୬୦ ପ୍ରତିଶତରୁ ଅଧିକ ୩୫ ବର୍ଷରୁ କମ୍‌ ବୟସ୍କ ରହିଛନ୍ତି। ତେଣୁ ଏମାନଙ୍କ ଭିତରେ ଦେଶ ପ୍ରତି ସମ୍ମାନ, ଦେଶପ୍ରେମ ଓ ଦରକାର ପଡିଲେ ଦେଶ ପାଇଁ ବଳିଦାନ ଦେଇପାରୁଥିବା ଯୁବ ସମାଜ ତିଆରି କରିବା ଆମର କର୍ତ୍ତବ୍ୟ। ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଦେଶ ହିତରେ ସରକାର ଅଗ୍ନିପଥ ସ୍କିମ୍‌ ଲାଗୁ କରିବାକୁ ଯାଉଛନ୍ତି I ଏହାଦ୍ୱାରା ଜୀବନର ଏକ ସ୍ବଳ୍ପ ସମୟ ଜଣେ ଯୁବକ ଦେଶର ସେନା ସହିତ ରହି ନିଜକୁ ଏକ ଚରିତ୍ରବାନ, ଶୃଙ୍ଖଳିତ, ଦେଶପ୍ରେମୀ ନାଗରିକ ରୂପେ ଗଢ଼ିତୋଳିବ ଓ ଦେଶର ସେବା କରିବାରେ ସହଭାଗିତା ଦେବ। ଶେଷରେ ଏକ ମୋଟା ଅଙ୍କର ଅବସରକାଳୀନ ଅର୍ଥ ପାଇ ଭବିଷ୍ୟତ ଆତ୍ମନିର୍ଭରଶୀଳ ହୋଇ ସମ୍ମାନର ସହ ଜୀବନ ବିତେଇବ। ତା’ ଛଡ଼ା ସେନାରେ ଲମ୍ବା ଅବଧି କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ପାଇବ। ସୂଚନାଯୋଗ୍ୟ ଯେ, ଅଗ୍ନିବୀରମାନଙ୍କୁ ଭାରତର ଘରୋଇ ଉଦ୍ୟୋଗରେ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ଅନେକ ଶିଳ୍ପପତି ଘୋଷଣା କରି ସାରିଲେଣି। ତେବେ ଦେଶର ଯୁବ ସମାଜକୁ ଏକ ଉତ୍ତମ ଚରିତ୍ର ପ୍ରଦାନ କରି ଶୃଙ୍ଖଳିତ ନାଗରିକ ଭାବରେ ଗଢ଼ିତୋଳିବାରେ ଏହି ଅଗ୍ନିବୀର ଯୋଜନା ସହାୟକ ହେବ ଓ ଦେଶପ୍ରେମର ଭାବନା ଉଜ୍ଜୀବିତ ରଖିବ। ସୂଚନାଯୋଗ୍ୟ ଯେ, ଆମେରିକା ଓ ଫ୍ରାନ୍ସ ପ୍ରଭୃତି ଦେଶରେ ଅଗ୍ନିବୀର ଅନୁରୂପ ସ୍ବଳ୍ପ ସମୟ ପାଇଁ ସେନାରେ କାମ କରିବାର ସୁଯୋଗ ଯୁବ ସମାଜକୁ ଦିଆଯାଇ ଥାଏ।
ଏପରିକି ରୁଷିଆ, ଚାଇନା, ଓ ଇସ୍ରାଏଲ ପ୍ରଭୃତି ଦେଶରେ ବାଧ୍ୟତାମୂଳକ ଭାବରେ ସେନାରେ କାର୍ଯ୍ୟ କରିବାକୁ ପଡ଼ିଥାଏ। ତେବେ ଯେ କୌଣସି ଆନ୍ଦୋଳନ ସମୟରେ ସାଧାରଣ ସମ୍ପତ୍ତିକୁ ନଷ୍ଟ କରିବା ଅର୍ଥ ଦେଶ ଅହିତରେ କାମ କରିବା, ଏହାକୁ କଦାପି ଔଚିତ୍ୟ କରାଯାଇପାରିବନି। ପୂର୍ବରୁ ଜାଠ ଆନ୍ଦୋଳନ ସମୟରେ ୩୫ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଦିଆଗଲା। ସେହିପରି ଗୁଜରାଟର ପାଟିଦାର ଆନ୍ଦୋଳନ ହେଉ ଅଥବା ନିକଟରେ ମହମ୍ମଦ ପୈଗମ୍ବର ପ୍ରକରଣ ହେଉ ସବୁବେଳେ ଦେଶର ସମ୍ପତ୍ତିକୁ ମନଇଚ୍ଛା ନଷ୍ଟ କରିଦିଆଗଲା ଓ ଆମେ ନୀରବଦ୍ରଷ୍ଟା ହୋଇ ରହିଲେ। ଏପରିକି କୃଷକ ଆନ୍ଦୋଳନ ନାମରେ ରାଜପଥକୁ କବଳିତ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶରେ ଶିଳ୍ପ ଓ ବାଣିଜ୍ୟକୁ ଷାଠିଏ ହଜାର କୋଟି ଟଙ୍କାର କ୍ଷତି କରାଗଲା।
ସବୁଠୁ ବଡ଼ କଥା ହେଲା ସ୍ବଳ୍ପ ସମୟ ଭିତରେ ଆମେ ସେସବୁ ଭୁଲିଯାଉ। ଏ ବିଷୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମୟ ସମୟରେ ସଂଜ୍ଞାନ ନେଇ ଅନେକ ଗାଇଡ଼ଲାଇନ୍‌ ପ୍ରଦାନ କରିଥିଲେ ମଧ୍ୟ ସେସବୁ କୌଣସି ପ୍ରଭାବ ପକେଇ ପାରିନାହିଁ I
ଆମକୁ ମନେରଖିବା ଉଚିତ ଯେ, ସରକାର କେବଳ ଆମ ସମ୍ପତ୍ତିର ରକ୍ଷକ ମାତ୍ର, ଅସଲ ମାଲିକ ହେଲେ ଆମେ ଜନତା। ତେଣୁ ସରକାରୀ ସମ୍ପତ୍ତିିକୁ ନଷ୍ଟ କରି ନିଜର ଦାବିକୁ ପ୍ରଭାବୀ କରିବା ଏକ ମୂର୍ଖତା ମାତ୍ର। ଏହି ମାନସିକତାରୁ ଯୁବ ସମାଜକୁ ଦୂରେଇ ନେଇ ଦେଶପ୍ରେମ ଭାବନା ଜାଗ୍ରତ କରିବାର ଆବଶ୍ୟକତା ରହିଛି। ଦେଶ କାହାର? ସରକାରଙ୍କର ନା ବିରୋଧୀଙ୍କର?
ପ୍ରକୃତରେ ଦେଶ ଆମ ସମସ୍ତଙ୍କର। ଯୁବ ସମାଜ ମନରେ ଏକ ଦୃଢ଼ ଚିନ୍ତାଧାରା ରହିବା ଉଚିତ ଯେ, ଏ ଦେଶ ଆମର, ଏହାର ସମ୍ପତ୍ତି ଆମର, ତେଣୁ ଏହାର କ୍ଷତି ଆମର ହିଁ କ୍ଷତି।

  • ଡ. ନରେନ୍ଦ୍ର ସେଠୀ
    ମୋ-୭୦୦୪୦୬୮୧୧୦

Enter your email to get our daily news in your inbox.

All Right Reserved By Dharitri.Com

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

ମାର୍‌ ମାର୍‌ ନାଗରିକକୁ

ସୁଇଜରଲାଣ୍ଡସ୍ଥିତ ବାୟୁମାନ ତଦାରଖ ସଂସ୍ଥା ‘ଆଇକ୍ୟୁଏୟାର’ ମାର୍ଚ୍ଚ ୨୦୨୪ରେ ଏକ ରିପୋର୍ଟ ପ୍ରକାଶ କରିଥିଲା, ଯେଉଁଥିରେ ଦିଲ୍ଲୀ ୨୦୨୩ରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ ବୋଲି...

ଏଇ ଭାରତରେ

ତାମିଲନାଡୁର ତିରୁଚିରାପଲ୍ଲୀର ଦୁଇ ଭଉଣୀ ପ୍ରିୟା ଓ ଅକିଲା ଗୁଣସେକର ମାଣ୍ଡିଆ, ବାଜରା ଆଦି ଚାଷ କରି ଲୋକଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି। ସେ ବ୍ୟବସାୟରେ...

ଏକ ରାଜ୍ୟ ଏକ ଗ୍ରାମ୍ୟ ବ୍ୟାଙ୍କ

ଆଗକୁ ଆମ ଦେଶର ଗ୍ରାମୀଣ ବ୍ୟାଙ୍କଗୁଡିକ ନିମନ୍ତେ ଏକ ସୁଖଦ ସମୟ ଆସୁଛି, କାରଣ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏକ ରାଜ୍ୟ- ଏକ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri