ଅଷ୍ଟ୍ରାଜେନିକା ଟିକା ବନ୍ଦ ନ କରିବାକୁ ଡବ୍ଲ୍ୟୁଏଚ୍‌ଓର ପରାମର୍ଶ

ନୂଆଦିଲ୍ଲୀ,୧୩।୩ : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା କମ୍ପାନୀ ଦ୍ୱାରା ବିକଶିତ କୋଭିଡ୍‌ ଟିକା ନେବା ପରେ କେତେଜଣଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ରିପୋର୍ଟ ଆସିବାରୁ ବିଭିନ୍ନ ଦେଶ ଉକ୍ତ ଟିକାଦାନକୁ ବନ୍ଦ କରିଦେଇଛନ୍ତି। ଅଷ୍ଟ୍ରିଆ, ଡେନ୍‌ମାର୍କ, ନରଓ୍ବେ, ଆଇସ୍‌ଲାଣ୍ଡ ପରେ ଥାଇଲାଣ୍ଡ ଏହି ଟିକାକୁ ବନ୍ଦ କରିଛି। ଡେନ୍‌ମାର୍କରେ ଜଣେ ୬୦ ବର୍ଷୀୟ ମହିଳା ଟିକା ନେବା ପରେ ତାଙ୍କ ରକ୍ତ ଜମାଟ ବାନ୍ଧି ମୃତ୍ୟୁ ଘଟିଥିଲା। ଇସ୍ତୋନିଆ, ଲିଥୁଆନିଆ, ଲକ୍ସମବର୍ଗ ଏବଂ ଲାଟଭିଆ ମଧ୍ୟ ଉକ୍ତ ଟିକାଦାନ ବନ୍ଦ ରଖିଛନ୍ତି। ଅଷ୍ଟ୍ରାଜେନିକା ଟିକା ବନ୍ଦ କରିବାର କୌଣସି କାରଣ ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି। ଏହାର ଟିକା ଉପଦେଷ୍ଟା କମିଟି ଅଷ୍ଟ୍ରାଜେନିକା ପ୍ରସ୍ତୁତ ଟିକାର ନିରାପଦ ତଥ୍ୟକୁ ଅନୁଧ୍ୟାନ କରିଛନ୍ତି। ଟିକା ସହ ରକ୍ତ ଜମାଟ ବାନ୍ଧିବାର କୌଣସି ସମ୍ପର୍କ ନାହିଁ।

Share