Categories: ଜାତୀୟ

ଭାରତରେ ଇସ୍ରାଏଲ ଦୂତାବାସରେ ବିସ୍ପୋରଣରେ କାହାର ହାତ? ଇରାନର ନୁହେଁ ତ !…

ନୂଆଦିଲ୍ଲୀ,୨୬।୧୨ : ଭାରତର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର  ଥିବା ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାନୁସାରେ, ଏହି ବିସ୍ଫୋରଣ ଇସ୍ରାଏଲ ଦୂତାବାସ ପଛରେ ଥିବା ଏକ ଖାଲି ପ୍ଲଟରେ ଘଟିଛି। ବର୍ତ୍ତମାନ ଏହି ବିସ୍ଫୋରଣ ପଛରେ କିଏ ଅଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି। ସ୍ପେଶାଲ ସେଲର ଟିମ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପଏଣ୍ଟ ଅନୁଯାୟୀ ଅନୁସନ୍ଧାନରେ ନିୟୋଜିତ ଅଛନ୍ତି।

ଇସ୍ରାଏଲ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ଇରାନ ଜଡିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ବାସ୍ତବରେ, କିଛି ବର୍ଷ ପୂର୍ବେ ଇରାନର ଜଣେ ବରିଷ୍ଠ କମାଣ୍ଡର ସେୟଦ ରଜୀ ମୋସାଭି ସିରିଆରେ ଇସ୍ରାଏଲର ସନ୍ଦେହଜନକ ଆକ୍ରମଣରେ ନିହତ ହୋଇଥିଲେ। ଏଭଳି ପରିସ୍ଥିତିରେ ମଧ୍ୟ ଆଶଙ୍କା କରାଯାଉଛି ଏହି ଆକ୍ରମଣ ଏହି ଘଟଣାର ପ୍ରତିଶୋଧ ହୋଇପାରେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୟିଦ ରଜୀ ମୋସାଭି ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ଜଣେ ଅଭିଜ୍ଞ ସାମରିକ ପରାମର୍ଶଦାତା ଥିଲେ। ଦମ୍ମିସକର ଦକ୍ଷିଣ-ପୂର୍ବରେ ଥିବା ସୟିଦା ଜେନାବ ଅଞ୍ଚଳରେ ହୋଇଥିବା ଏୟାର ଷ୍ଟ୍ରାଇକରେ ତାଙ୍କର ମୃତ୍ୟୁ ଘଟିଛି। ମୋସାଭି ଆଇଆରଜିସି କମାଣ୍ଡର କାସୀମ ସୁଲେମାନୀଙ୍କ ଜଣେ ସହଯୋଗୀ ବୋଲି କୁହାଯାଉଛି। ତାଙ୍କୁ ୨୦୨୦ ରେ ଆମେରିକା ଦ୍ୱାରା ହତ୍ୟା କରାଯାଇଥିଲା।

ମୁସାଭି ସିରିଆର ଅନ୍ୟତମ ବରିଷ୍ଠ ଆଇଆରଜିସି ଅପରେଟିଭ ବୋଲି କୁହାଯାଉଥିଲା । ତେହେରାନ ଏବଂ ଦମ୍ମିସକ ମଧ୍ୟରେ ସମ୍ପର୍କକୁ ସମନୟ କରିବାରେ ସେ ସାହାଯ୍ୟ କରିଥିଲେ। ଏହି ପରିପ୍ରେକ୍ଷୀରେ ଇରାନ କହିଥିଲା ଯେ ଇସ୍ରାଏଲକୁ ଏହି ଅପରାଧର ମୂଲ୍ୟ ଦେବାକୁ ପଡିବ। ତେବେ ଇସ୍ରାଏଲ ସେନା ପକ୍ଷରୁ କୌଣସି ମନ୍ତବ୍ୟ ପ୍ରକାଶ ପାଇନାହିଁ।

ନୂଆଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ମଧ୍ୟ ଏହି ବିସ୍ଫୋରଣକୁ ନିଶ୍ଚିତ କରିଛି। ଦୂତାବାସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଆମେ ନିଶ୍ଚିତ କରୁଛୁ ଅପରାହ୍ନ ପ୍ରାୟ ୫ଟା ୧୦ସମୟରେ ଦୂତାବାସ ନିକଟରେ ବିସ୍ଫୋରଣ ଘଟିଛି। ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ଦଳ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Share