ନୂଆଦିଲ୍ଲୀ, ୭।୯ : ଜାତୀୟ ରାଜଧାନୀ ଦିଲ୍ଲୀରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ବେଞ୍ଚ ବର୍ତ୍ତମାନ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କ ବିଧାନସଭା ତଥା କାର୍ଯ୍ୟନିର୍ବାହୀ କ୍ଷମତା ପରିସରଭୁକ୍ତ ଆଇନଗତ ପ୍ରସଙ୍ଗରେ କାଗଜବିହୀନ(ପେପରଲେସ୍) ଶୁଣାଣି କରିବେ।
ସେପ୍ଟେମ୍ବର ୨୭ରେ ପ୍ରଥମ ଥର ପାଇଁ ଶୁଣାଣି ପେପରଲେସ ଢଙ୍ଗରେ ଅନୁଷ୍ଠିତ ହେବ। ସାମ୍ବିଧାନିକ ବେଞ୍ଚ ଆବେଦନ ଏବଂ ଡକ୍ୟୁମେଣ୍ଟର ସଫ୍ଟ କପି ବ୍ୟବହାର କରି ଏହି ମାମଲାର ଶୁଣାଣି କରିବେ।
ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର କାହାର ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଏହାପୂର୍ବରୁ ମେ ୬ ରେ ଅଫିସରଙ୍କ ଟ୍ରାନ୍ସଫର ପୋଷ୍ଟିଂ ଅଧିକାର ମାମଲା ସମ୍ବିଧାନ ବେଞ୍ଚକୁ ପଠାଯାଇଥିଲା। ସୁପ୍ରିମକୋର୍ଟ କହିଥିଲେ ଯେ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ମାମଲାର ଶୁଣାଣି କରିବେ। ତିନିଜଣିଆ ଖଣ୍ଡପୀଠ ଏହି ମାମଲାକୁ ୫ ଜଣିଆ ସମ୍ବିଧାନ ବେଞ୍ଚକୁ ପଠାଇ ଦେଇଥିଲେ।