Categories: ଜାତୀୟ

ମଦ ବୋତଲ ଧରି ପହଞ୍ଚିଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୬।୧୨: ଭାଜପା ଏମ୍‌ପି ପର୍ଭେଶ ଶାହିଦ ସିଂ ବର୍ମା ସୋମବାର ସଂସଦରେ ମଦ ବୋତଲ ପ୍ୟାକେଟ ଦେଖାଇ ଦିଲ୍ଲୀ ସରକାର ସହରରେ ମଦ୍ୟପାନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି।

“କୋଭିଡ୍‌-୧୯ ସମୟରେ ୨୫ ହଜାର ଲୋକ ପ୍ରାଣ ହରାଇଥିଲା ବେଳେ ଦିଲ୍ଲୀ ସରକାର ନୂଆ ଏକ୍ସାଇଜ ପଲିସି କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ଥିଲେ। ଏହାର ଉଦ୍ଦେଶ୍ୟ ଥିଲା କେନ୍ଦ୍ର ଶାସିତ ଅଞ୍ଚଳରେ ମଦ୍ୟପାନକୁ ପ୍ରୋତ୍ସାହିତ କରିବା। ଆଜି ୮୨୪ ନୂଆ ମଦ ଦୋକାନ ଖୋଲା ଅଛି। ଲୋକେ ଏବେ ରେସିଡେନସିଆଲ ଅଞ୍ଚଳ, କଲୋନି, ଗାଁରେ ମଦ ଦୋକାନ ଖୋଲୁଛନ୍ତି। ରାତି ୩ଟା ପର୍ଯ୍ୟନ୍ତ ଖୋଲା ରହୁଛି ମଦ ଦୋକାନ। ବାରରେ ରାତି ୩ ପର୍ଯ୍ୟନ୍ତ ମଦ ପିଇଲେ ମହିଳାଙ୍କୁ ରିହାତି ପ୍ରଦାନ କରାଯାଉଛି। ମଦ୍ୟପାନ କରିବା ପାଇଁ ବୟସ ସୀମାକୁ ୨୫ରୁ ୨୧କୁ ହ୍ରାସ କରି ଦିଆଯାଇଛି। ୨୦୨୨ ବିଧାନସଭା ନିର୍ବାଚନ ପ୍ରଚାର ଲାଗି ସର୍ବାଧିକ ରାଜସ୍ବ ଆୟ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି” ବୋଲି ଦିଲ୍ଲୀର ଭାଜପା ଏମ୍‌ପି ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ ପଲିସି ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବା ପରେ ଦିଲ୍ଲୀରେ ବେସରକାରୀ ମଦ ଦୋକାନ ବନ୍ଦ ହୋଇଯାଇଥିଲା। କିନ୍ତୁ ସେହି ଦୋକାନଗୁଡ଼ିକ ଏବେ ଖୋଲିବାକୁ ଅନୁମତି ମିଳିଛି।

Share