Categories: ଜାତୀୟ

ପଛରୁ କାହିଁକି ଜୋତା ମାରୁଛ? ସାହାସ ଅଛି ତ ସାମ୍ନାକୁ ଆସ

ମୁମ୍ବାଇ,୩।୯: ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ମହାରାଷ୍ଟ୍ରରେ ରାଜନୀତି ତୀବ୍ର ହୋଇଛି। ବିରୋଧୀ ଏମଭିଏ ନେତାମାନେ କ୍ରମାଗତ ଭାବରେ ଶିନ୍ଦେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷୁଛନ୍ତି। ଏପରିକି ମହାବିକାଶ ଆଘାଡି ଏ ସମ୍ପର୍କରେ ସାରା ରାଜ୍ୟରେ ବିରୋଧ କରିଥିଲେ, ଯେଉଁଥିରେ ଏନସିପି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହାର ଜବାବ ଦେଇଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ଅଗଷ୍ଟ ୨୬ରେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଖସିପଡିଥିଲା। ମାଲଭାନ ତହସିଲର ରାଜକୋଟ ଦୁର୍ଗରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା, ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାର କ୍ଷମା ମାଗିଥିଲେ।
ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ବିରୋଧରେ ଏମଭିଏ ନେତାମାନେ ‘ଜୁତ ମାରୋ ଆନ୍ଦୋଳନ’ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ସମୟରେ ନେତାମାନେ ମୁମ୍ବାଇର ହୁତାମା ଚକ ଠାରୁ ଗେଟୱେ ଅଫ୍‌ ଇଣ୍ଡିଆ ପର୍ଯ୍ୟନ୍ତ ଏକ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ପଦଯାତ୍ରାରେ ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ଶରଦ ପାୱାର, ସୁପ୍ରିୟା ସୁଲେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏକ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କ ଫଟୋରେ ଚପଲମାଡ ବି କରିଥିଲେ। ଏହି ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି ଅଜିତ ପାୱାର କହିଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେଉଁମାନେ ମୋ ବିରୁଦ୍ଧରେ ଜୋତା ମାରିବା ଆନ୍ଦୋଳନ ଆରମ୍ଭ କରିଥିଲେ, ମୋତେ ଏହିପରି ଜୋତା ମାରନ୍ତୁ ନାହିଁ, ଯଦି ଆପଣଙ୍କର ସାହସ ଅଛି ତେବେ ଆଗକୁ ଆସନ୍ତୁ। ତା’ପରେ ମୁଁ ଦେଖିବି। ଏହିପରି ପ୍ରତାରଣା କରନ୍ତୁ ନାହିଁ। ଏଥିସହ ସେ କହିଛନ୍ତି ଯେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପରେ ରାଜ୍ୟରେ ଏପରି ଘଟଣା ଘଟିବାକୁ କୌଣସି ସରକାର ଚାହୁଁନାହାଁନ୍ତି। ଶିବାଜୀ ସମସ୍ତଙ୍କର ଭଗବାନ ଏବଂ ଆମେ ମଧ୍ୟ ଜନସାଧାରଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛୁ।

Share