Categories: ଖେଳ

ଅଶ୍ୱିନଙ୍କୁ କାହିଁକି ଏତେ ଡରୁଛି ଅଷ୍ଟ୍ରେଲିଆ? ରେକର୍ଡ କହୁଛି…

ନୂଆଦିଲ୍ଲୀ,୪।୨: ଫେବୃୟାରୀ ୯ରୁ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଅଷ୍ଟ୍ରେଲିଆ। ୪ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଉପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଟିକେଟ ନିର୍ଭର କରୁଛି। ଏହି କାରଣରୁ ଉଭୟ ଟିମ୍‌ ସିରିଜ ଜିତିବା ଲାଗି ଜୋରଦାର ପ୍ରୟାସ କରିବେ ବୋଲି ଅନୁମାନ କରାଯାଉଛି। ଏସବୁ ଭିତରେ ଅଷ୍ଟ୍ରେଲିଆ ପାଇଁ ଚ୍ୟାଲେଞ୍ଜ ପାଲଟିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତର ସ୍ପିନ୍‌ ଟ୍ରାକ୍‌ରେ ତାଙ୍କୁ ସାମ୍ନା କରିବା କଷ୍ଟକର ହେବ ବୋଲି ଅଷ୍ଟ୍ରେଲିୟ ଖେଳାଳି ଭୟଭୀତ ଅଛନ୍ତି। ଅଶ୍ୱିନଙ୍କୁ ସାମ୍ନା କରିବା ଲାଗି ଭାରତର ମହେଶ ପିଥିୟାଙ୍କୁ ନେଟ ବୋଲର ଭାବେ ଅଷ୍ଟ୍ରେଲିଆ ଦଳ ସାମିଲ କରିଛି। ମହେଶ ଅଶ୍ୱିନଙ୍କ ଭଳି ବୋଲିଂ କରୁଥିବାରୁ ତାଙ୍କୁ କ୍ରିକେଟରଙ୍କ ନକଲ ବୋଲି କୁହାଯାଉଛି।

ଆସନ୍ତୁ ଜାଣିବା ଅଶ୍ୱିନଙ୍କୁ ଏତେ ଭୟ କାହିଁକି?
-ଅଶ୍ୱିନ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସଫଳ ବୋଲର। ସେ ଏଯାବତ ୮୮ ମ୍ୟାଚ୍‌ ଖେଳିଥିବା ବେଳେ ୪୪୯ ଉଇକେଟ ନେଇଛନ୍ତି। ୩୦ ଥର ସେ ଗୋଟିଏ ଇନିଂସରେ ୫ ଉଇକେଟ ନେଇଛନ୍ତି। ୭ ଥର ମ୍ୟାଚ୍‌ରେ ସେ ୧୦ରୁ ଅଧିକ ଉଇକେଟ ନେଇଛନ୍ତି।

-ଅଷ୍ଟ୍ରେଲିଆ ବିପକ୍ଷରେ ଅଶ୍ୱିନ ଏଯାବତ ୧୮ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ତାଙ୍କ ନାମରେ ୮୯ ଉଇକେଟ ଅଛି। ନିଜ କ୍ୟାରିୟରରେ ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଛନ୍ତି।

-ସିରିଜ ଭାରତରେ ହେବାକୁ ଯାଉଛି। ଘରୋଇ ପିଚ୍‌ରେ ଅଶ୍ୱିନଙ୍କ ରେକର୍ଡ ବେଶ ଭଲ ଅଛି। ଏଯାବତ ସେ ୫୧ ଟେଷ୍ଟରେ ୩୧୨ ଉଇକେଟ ନେଇଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ବିଷୟରେ କଥା ହେଲେ ଅଶ୍ୱିନ ୧୮ ମ୍ୟାଚ୍‌ରେ ୮୯ ଉଇକେଟ ନେଇଛନ୍ତି। ସେଥିରୁ ୫୦ ଉଇକେଟ ଭାରତରେ ହୋଇଥିବା ଟେଷ୍ଟ ମ୍ୟାଚ୍‌ରୁ ଆସିଛି।

-ଅଶ୍ୱିନ ନିଜ କ୍ୟାରିୟରରେ ଡେଭିଡ୍‌ ଓ୍ବାନର୍ର୍ରଙ୍କୁ ୧୦ ଥର, ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ୬ ଥର ଆଉଟ୍‌ କରିଛନ୍ତି। ଉଭୟ ଚଳିତ ଥର ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂର ସ୍ତମ୍ଭ ବୋଲି କୁହାଯାଉଛି। ଏଥିଲାଗି ଭାରତ ଅଶ୍ୱିନଙ୍କ ଉପରେ ନିର୍ଭର କରୁଛି।

Share