କାହିଁକି ଭର୍ତ୍ତୁହରିଙ୍କୁ ହେଉଛି ବିରୋଧ, ସମ୍ବିଧାନର ନିୟମ ହେଉଛି…

ନୂଆଦିଲ୍ଲୀ,୨୧।୬: ଆସନ୍ତା ସୋମବାରଠାରୁ ହେବାକୁ ଯାଉଛି ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ । ଯାହା ଉପରେ ରହିଛି ସାରା ଦେଶର ନଜର । ନବ ନିର୍ବାଚିତ ଏମପିମାନେ ଶପଥ ନେବାକୁ ଯାଉଛନ୍ତି । ପ୍ରୋଟେମ ସ୍ପିକର୍‌ ତାଙ୍କୁ ଶପଥ ପାଠ କରାଇବେ । ପ୍ରୋଟେମ ସ୍ପିକର୍‌ ମଧ୍ୟ ବାଚସ୍ପତି ନିର୍ବାଚନ ହେବା ପରେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ତାଙ୍କ ଅଧ୍ୟକ୍ଷତାରେ ହିଁ ସ୍ଥାୟୀ ବାଚସ୍ପତିଙ୍କୁ ନିଯୁକ୍ତି ଦିଆଯିବ । ଦରକାର ପଡ଼ିଲେ ଏହା ସହମତି ଆଧାରରେ ହୋଇପାରେ କିମ୍ବା ନିର୍ବାଚନ ମାଧ୍ୟମରେ । ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ପୂର୍ବରୁ ଭାଜପାର କଟକ ଏମପି ଭର୍ତ୍ତୃହରି ମହତାବଙ୍କୁ ପ୍ରୋଟେମ ସ୍ପିକର୍‌ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହାକୁ ନେଇ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଗୋଟେ ପରେ ଗୋଟେ ସାମ୍ବିଧାନିକ ପରମ୍ପରା ଭଙ୍ଗ ହେଉଥିବା କହିଛି କଂଗ୍ରେସ । ଏହାର କ’ଣ। କ’ଣ ରହିଛି ସମ୍ବିଧାନର ନିୟମ।

ଭର୍ତ୍ତୃହରି ମହତାବ ହେଉଛନ୍ତି ୭ ଥରର ଏମପି । ପୂର୍ବରୁ ସେ ବିଜେଡିରେ ଥିଲେ । ନିର୍ବାଚନର କିଛି ଦିନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି । ତେବେ ପ୍ରୋଟେମ ସ୍ପିକର୍‌ ଭାବେ ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଛି। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗୋଟେ ପରେ ଗୋଟେ ସାମ୍ବିଧାନିକ ପରମ୍ପରା ଭଙ୍ଗ କରି ଚାଲିଥିବା କହିଛନ୍ତି କଂଗ୍ରେସ ନେତା କେ. ସି. ବେଣୁଗୋପାଳ । ପରମ୍ପରା ଅନୁଯାୟୀ ଲୋକ ସଭାର ସବୁଠାରୁ ବରିଷ୍ଠ ସାଂସଦ ହିଁ ପ୍ରୋଟେମ ସ୍ପିକର୍‌ ହୋଇଥାନ୍ତି । ଭର୍ତ୍ତୃହରି ମହତାବ ୭ ଥରର ଏମପି ହୋଇଥିବା ବେଳେ କଂଗ୍ରେସର କେ. ସୁରେଶ ୮ ଥରର ଏମପି । ତେଣୁ କେ. ସୁରେଶ ହିଁ ପ୍ରୋଟେମ ସ୍ପିକର୍‌ ନିଯୁକ୍ତି ହେବା କଥା ବୋଲି ଟ୍ବିଟ କରିଛନ୍ତି କେସି ବେଣୁଗୋପାଳ । ଅନ୍ୟତମ କଂଗ୍ରେସ ନେତା ମାନିକମ ଟାଗୋର୍‌ ମଧ୍ୟ ବେଣୁଗୋପାଳଙ୍କ ସ୍ବର ସହ ସ୍ବର ମିଳାଇଛନ୍ତି ।

କଂଗ୍ରେସ ନେତା ଜୟରାମ ରମେଶଙ୍କ କହିବା କଥା, ବର୍ତ୍ତମାନ ଲୋକ ସଭାରେ ଦୁଇ ଜଣ ବରିଷ୍ଠ ଏମପି ଅଛନ୍ତି । କଂଗ୍ରେସର କେ. ସୁରେଶ ଅଷ୍ଟମ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ ଭାଜପାର ବୀରେନ୍ଦ୍ର କୁମାର ମଧ୍ୟ ଅଷ୍ଟମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ବୀରେନ୍ଦ୍ର କୁମାର ମନ୍ତ୍ରୀ ହୋଇଛନ୍ତି । ଏଭଳି ସ୍ଥିତିରେ କେ. ସୁରେଶ ହିଁ ପ୍ରୋଟେମ ସ୍ପିକର୍‌ ହେବା କଥା । କିନ୍ତୁ ଭାଜପା ପ୍ରୋଟେମ ସ୍ପିକର୍‌ ପଦବୀ ନିଜ ହାତକୁ ନେଇଥିବା କହିଛନ୍ତି ଜୟରାମ ରମେଶ ।

ପ୍ରୋଟେମ ସ୍ପିକର୍‌ ଭାବେ ଭର୍ତ୍ତୃହରି ମହତାବଙ୍କ ନିଯୁକ୍ତିକୁ କଂଗ୍ରେସ ବିରୋଧ କରିଥିବା ବେଳେ ଭାଜପା ଦେଇଛି ରିଲାକ୍ସ ଜବାବ। ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ, କଂଗ୍ରେସକୁ ଦେଇଛନ୍ତି ଏହି ରିଲାକ୍ସ ଜବାବ । କହିଛନ୍ତି, ଗ୍ରାଣ୍ଡ ଓଲ୍ଡ ପାର୍ଟି ଟିକେ ରିଲାକ୍ସ ହେଉ ଏବଂ ନିଜର ଲଗାତାର ତୃତୀୟ ପରାଜୟ ଉପରେ ଫୋକସ କରୁ ।

ସାମ୍ବିଧାନିକ ପରମ୍ପରା କହୁଛି, ଲୋକ ସଭାର ସବୁଠାରୁ ବରିଷ୍ଠ ଏମପି ହିଁ ପ୍ରୋଟେମ ସ୍ପିକର୍‌ ନିଯୁକ୍ତ ହେବା କଥା । ୧୯୫୬ ମସିହାରୁ ଏହି ପରମ୍ପରା ରହି ଆସିଥିଲା । କିନ୍ତୁ କିଛି ସମୟରେ ଏହାର ଉଲ୍ଲଂଘନ ହୋଇଛି । ୧୯୭୭ରେ ଡି. ଏନ. ତିୱାରୀ ହୋଇଥିଲେ ପ୍ରୋଟେମ ସ୍ପିକର୍‌ । କିନ୍ତୁ ସେତେବେଳେ ସେ ସବୁଠାରୁ ବରିଷ୍ଠ ଏମପି ନ ଥିଲେ । ୨୦୧୯ରେ ୭ ଥରର ଏମପି ବୀରେନ୍ଦ୍ର କୁମାର ହୋଇଥିଲେ ପ୍ରୋଟେମ ସ୍ପିକର୍‌ । ସେତେବେଳେ ସେ ମଧ୍ୟ ସବୁଠାରୁ ବରିଷ୍ଠ ନ ଥିଲେ । ସେତେବେଳେ ୮ ଥରର ଏମପି ଥିବା ମେନକା ଗାନ୍ଧୀଙ୍କୁ ମଧ୍ୟ ଅଣଦେଖା କରାଯାଇଥିଲା । ଠିକ ଏଥର ଯେମିତି କେ. ସୁରେଶଙ୍କୁ ଅଣଦେଖା କରାଯାଇଛି ।

ଯେତେବେଳେ କୌଣସି ଦଳକୁ ଏକର ସଂଖ୍ୟା ଗରିଷ୍ଠତା ମିଳି ନ ଥାଏ, ସେତେବେଳେ ପ୍ରୋଟେମ ସ୍ପିକରଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିଥାଏ । ଯାହା ସାମ୍ବିଧାନିକ ପରମ୍ପରାର ଉଲ୍ଲଂଘନ କରାଯାଇ ଏଥର ଭର୍ତ୍ତୃହରି ମହତାବଙ୍କ ଉପରେ ନ୍ୟସ୍ତ କରାଯାଇଛି । ମନ୍ତ୍ରୀ ପଦକୁ ନେଇ ଅସନ୍ତୁଷ୍ଟ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, ବାଚସ୍ପତି ପଦ ଉପରେ ନଜର ରଖିଛି । କିନ୍ତୁ ଭାଜପା ଛାଡ଼ିବା ମୁଡରେ ନାହିଁ । ସେପଟେ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ଭର୍ତ୍ତୃହରିଙ୍କ ନିଯୁକ୍ତିକୁ ବିରୋଧ କରୁଥିବାବେଳେ ଯଦି ଟିଡିପି ପ୍ରାର୍ଥୀ ଛିଡ଼ା କରାଏ, ତେବେ କଥା ସରିଲା । ଯଦି ଟିଡିପି ପ୍ରାର୍ଥୀଙ୍କ ପଛରେ ପୁରା ଇଣ୍ଡିଆ ମେଣ୍ଟ ଛିଡ଼ା ହୋଇଯାଏ, ତେବେ ବିଜେପିର ସବୁ ଆଶା ହୁଏତ ପାଣି ଫୋଟକା ଭଳି ମିଳାଇ ଯାଇପାରେ । ଆଉ ପ୍ରଥମ ଥର ପାଇଁ ଦେଶରେ ହୋଇପାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ।

୧୯୯୬ରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ସରକାରରେ ବାଚସ୍ପତି ଥିଲେ କଂଗ୍ରେସ ନେତା ପି. ଏ. ସାଙ୍ଗମା । ସହମତି ଆଧାରରେ ସାଙ୍ଗମା ହୋଇଥିଲେ ବାଚସ୍ପତି । ପୁଣି ସେହିଭଳି ୧୯୯୮ରେ ବାଜପେୟୀଙ୍କ ଦ୍ବିତୀୟ ଟର୍ମରେ ଟିଡିପି ନେତା ଜିଏମସି ବାଲୟୋଗୀ ହୋଇଥିଲେ ବାଚସ୍ପତି । ୨୦୧୮ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କୌଣସି ରାଜନୈତିକ ଦଳକୁ ଏକକ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା । କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କଂଗ୍ରେସ ବିଧାୟକ ଦୀପକ ସକ୍ସେନା ହୋଇଥିଲେ ପ୍ରୋଟେମ ସ୍ପିକର୍‌ । କିନ୍ତୁ ବାଚସ୍ପତି ନିଯୁକ୍ତି ବେଳକୁ ଭାଜପା, ତାର ବିଧାୟକ ବିଜୟ ଶାହଙ୍କୁ ଛିଡ଼ା କରାଇଲା । କଂଗ୍ରେସ ଏନ. ପି. ପ୍ରଜାପତିଙ୍କୁ ବାଚସ୍ପତି ପଦ ପାଇଁ ଛିଡ଼ା କରାଇଥିଲା । ଏଭଳି ସ୍ଥିତିରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବା କଥା । କିନ୍ତୁ ପ୍ରୋଟେମ ସ୍ପିକର୍‌ ଦୀପକ ସକ୍ସେନା ରୁଲ-୫ର କଥା କହି ଭୋଟିଂ କରାଇ ନ ଥିଲେ । ବରଂ କଂଗ୍ରେସ ନେତା ଏନ. ପି. ପ୍ରଜାପତିଙ୍କୁ ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ । ତେଣୁ ଏଭଳି ସ୍ଥିତିରେ ବୋଧ ହୁଏ, ମଧ୍ୟପ୍ରଦେଶ ଏପିସୋଡ ରିପିଟ ନ ହେବାକୁ ଆଗୁଆ ସତର୍କ ହୋଇଯାଇଛି ଭାଜପା ।

ପରମ୍ପରା କହୁଛି ବାଚସ୍ପତି ପଦ ଯଦି ଶାସକ ଦଳ ପାଖରେ ରହିବ, ତେବେ ଉପ ବାଚସ୍ପତି ପଦ ବିରୋଧୀଙ୍କୁ ମିଳିବା ଦରକାର । କିନ୍ତୁ ଗତ ୫ ବର୍ଷରେ ଲୋକ ସଭାରେ ଉପ ବାଚସ୍ପତି ନ ଥିଲେ । ତେବେ ସେତେବେଳେ ବିରୋଧୀଙ୍କ ପାଖରେ ସଂଖ୍ୟା ନ ଥିବା ବେଳେ ଏବେ ବିରୋଧୀ କିନ୍ତୁ ବଳବାନ ହୋଇଛନ୍ତି । ତଥାପି ବିରୋଧୀଙ୍କୁ ଉପ ବାଚସ୍ପତି ପଦ ଦେବା ମୁଡରେ ଭାଜପା ଥିଲା ଭଳି ଲାଗୁନି । ପାରିବାରିକ ସମ୍ପର୍କର ସମୀକରଣ ପ୍ରୟୋଗ କରି ଚନ୍ଦ୍ରବାବୁ ନାଇଡୁଙ୍କ ଶାଳୀ ତଥା ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି. ପୁରନ୍ଦେଶ୍ବରୀଙ୍କୁ ଉପ ବାଚସ୍ପତି କରିବାକୁ ବିଜେପି ଯୋଜନା ଚଳାଇଥିବା ଶୁଣିବାକୁ ମିଳୁଛି । କିନ୍ତୁ ସବୁକିଛି ନାଇଡୁଙ୍କ ମୁଡ ଉପରେ ର୍ନିଭର କରୁଛି ।

Share