Categories: ଜାତୀୟ

ଦେଶ ପାଇଁ କାହିଁକି ଦାନ ମାଗୁଛି କଂଗ୍ରେସ, କ’ଣ ଏହି କ୍ରାଉଡ ଫଣ୍ଡିଂ

ନୂଆଦିଲ୍ଲୀ,୧୮।୧୨: କିଛିଦିନ ତଳେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ସେମାନଙ୍କ ଇଚ୍ଛା ଅନୁଯାୟୀ ହୋଇ ନ ଥିଲେ ମଧ୍ୟ କଂଗ୍ରେସର ଉତ୍ସାହରେ କୌଣସି ହ୍ରାସ ଘଟିନାହିଁ। ଗୋଟିଏ ପଟେ ଭାରତ ଯୋଡୋ ଯାତ୍ରାର ଭାଗ -୨ ଆରମ୍ଭ କରିବାକୁ ଦଳ କହୁଛି, ଅନ୍ୟପକ୍ଷରେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଅନଲାଇନ ଦାନ ସଂଗ୍ରହ ପାଇଁ ‘ଦେଶ ପାଇଁ ଦାନ’ ନାମକ ଏକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ଦଳର ଏହି ଅଭିଯାନର ଟ୍ୟାଗଲାଇନ ହେବ – କଂଗ୍ରେସ ଆପଣଙ୍କୁ ଆବଶ୍ୟକ କରେ, ଏକ ଭଲ ଦେଶ ପାଇଁ ଭାରତ ଆପଣଙ୍କୁ ଆବଶ୍ୟକ କରେ।
ଏହି ପ୍ରସଙ୍ଗରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ କହିଛନ୍ତି ଯେ ‘ଦେଶ ପାଇଁ ଦାନ’ ଆରମ୍ଭ କରିବାକୁ ସେ ଗର୍ବିତ। ଏହା କୌଣସି ଦଳ ଦ୍ୱାରା କରାଯାଇଥିବା ସବୁଠାରୁ ବଡକ୍ରାଉଡ ଫଣ୍ଡିଂ ହେବ। ବର୍ତ୍ତମାନ ବୁଝନ୍ତୁ, କଂଗ୍ରେସର ସାଧାରଣ ସମ୍ପାଦକ ଯେଉଁ କ୍ରାଉଡ ଫଣ୍ଡିଂ କଥା କହୁଛନ୍ତି, ବାସ୍ତବରେ ଏହା କ’ଣ ଆଉ କଂଗ୍ରେସକୁ କାହିଁକି ଚାନ୍ଦାର ଆବଶ୍ୟକତା ପଡିଲା।
ଏକ ର୍ନିଦ୍ଦିଷ୍ଟ ପ୍ରକଳ୍ପ, ବ୍ୟବସାୟିକ ଉଦ୍ୟୋଗ କିମ୍ବା ସାମାଜିକ କଲ୍ୟାଣ ପାଇଁ ସାଧାରଣ ଜନତାଙ୍କଠାରୁ ଅଳ୍ପ ପରିମାଣର ଅର୍ଥ ସଂଗ୍ରହ କରିବାର ପ୍ରକ୍ରିୟା ହେଉଛି କ୍ରାଉଡ ଫଣ୍ଡିଂ। ଏଥିରେ ଯେକୌଣସି ୱେବସାଇଟ, ଆପ କିମ୍ବା ୱେବ ଆଧାରିତ ପ୍ଲାଟଫର୍ମ କିମ୍ବା ସୋସିଆଲ ନେଟୱାର୍କିଂ ବ୍ୟବହୃତ ହୁଏ। ଏହି ମାଧ୍ୟମରେ, ପାଣ୍ଠି ସଂଗ୍ରହ କରୁଥିବା ବ୍ୟକ୍ତି ବା ସଂଗଠନ ସମ୍ଭାବ୍ୟ ଦାତା କିମ୍ବା ନିବେଶକମାନଙ୍କୁ ପାଣ୍ଠି ସଂଗ୍ରହର କାରଣ ଏବଂ ସାଧାରଣ ଜନତା କିପରି ଏହି ଅଭିଯାନରେ ସହଯୋଗ କରିପାରିବେ ତାହା କହିଥାଏ। ଏ ସମ୍ପର୍କରେ ଏଥିରେ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ଦିଆଯାଇଛି।
କ୍ରାଉଡ ଫଣ୍ଡିଂ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଏହାର ୱେବସାଇଟରେ ସମ୍ପୂର୍ଣ୍ଣ ବିବରଣୀ ଦେଇଛି। ୧୮ ବର୍ଷରୁ ଅଧିକ ଭାରତୀୟମାନେ ଏହି ଅଭିଯାନ ମାଧ୍ୟମରେ ୧୩୮, ୧୩୮୦ ଟଙ୍କା, ୧୩,୮୦୦ଟଙ୍କା କିମ୍ବା ଏହାଠାରୁ ୧୦ଗୁଣ ଦାନ କରିପାରିବେ।

Share