କାହିଁକି ଘୁଞ୍ଚିଲା କଙ୍ଗନାଙ୍କ ‘ଏମର୍ଜେନ୍ସି’ ରିଲିଜ୍‌ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମର୍ଜେନ୍ସି’ର ରିଲିଜ୍‌ ତାରିଖ ଘୁଞ୍ଚିଛି। ଏନେଇ କଙ୍ଗନା ନିଜେ ସୂଚନା ଦେଇଛନ୍ତି। ଏବେ କଙ୍ଗନା ତାଙ୍କ ଅପ୍‌କମିଂ ସିନେମା ‘ତେଜସ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ଭିତରେ ସେ ଫିଲ୍ମ ‘ଏମର୍ଜେନ୍ସି’କୁ ନେଇ ଏପରି ସୂଚନା ଦେଇଛନ୍ତି। ଆସନ୍ତା ନଭେମ୍ବର ୨୪ରେ ରିଲିଜ୍‌ ହେବାକୁ ଥିବା ‘ଏମର୍ଜେନ୍ସି’ ଆସନ୍ତା ବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ ହେବ ବୋଲି ଜଣାପଡ଼ିଛି। ଅତ୍ୟଧିକ କାମ ବ୍ୟସ୍ତତା ଯୋଗୁ ଫିଲ୍ମ ରିଲିଜ୍‌ ବଦଳାଯାଇଥିବା କଙ୍ଗନା କହିଛନ୍ତି। ସେ କହିଛନ୍ତି, ”ଏହି ଫିଲ୍ମ ମୋ ପୂରା ଜୀବନର ଲର୍ନିଂ ଆଉ ଅର୍ନିଂ। ଏହା ମୋ ପାଇଁ କେବଳ ଏକ ଫିଲ୍ମ ନୁହେଁ, ଜଣେ ମଣିଷ ଭାବେ ଏଥିରେ ମୋର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୋର ଏହି ଫିଲ୍ମ ଆଉ ଚରିତ୍ରକୁ ବେଶ୍‌ ଭଲପାଇବା ମିଳିଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।“ ଉଲ୍ଲେଖଯୋଗ୍ୟ, ଏହି ସିନେମା ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ। କଙ୍ଗନାଙ୍କୁ ଏହି ଫିଲ୍ମରେ ଇନ୍ଦିରା ଗାନ୍ଧୀ ଭୂମିକାରେ ଦେଖିବାକୁ ମିଳିବ। ସେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ନେଇଛନ୍ତି।

Share