Categories: ଜାତୀୟ

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ ସେମାନଙ୍କ ଜିଦରେ ଅଡି ବସିଛନ୍ତି। ରାଜ୍ୟ ସରକାର ଏମାନଙ୍କ ସହ ଆଲୋଚନା କରିବାକୁ ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମାନଙ୍କ ସହ ୨ଟି ବୈଠକ ଆୟୋଜନ କରିଥିବା ବେଳେ ଏହାର ଫଳାଫଳ କିନ୍ତୁ ଶୂନ୍ୟ ହୋଇଛି। ଏବେ ପୁଣିଥରେ ମମତା ସୋମବାର ଅପରାହ୍ନ ୫ଟାରେ ଡାକ୍ତରମାନଙ୍କ ସହ ବୈଠକ କରିବାକୁ ଡାକିଛନ୍ତି।
ଟ୍ରେନି ଡାକ୍ତରଙ୍କ ପ୍ରତିନିଧିମାନଙ୍କ ପାଖକୁ ଏକ ପତ୍ର ମାଧ୍ୟମରେ କୁହାଯାଇଛି କି ଏହା ପଞ୍ଚମ ଓ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଏକ ବୈଠକକୁ ଆମେ ଆପଣଙ୍କୁ ଆମନ୍ତ୍ରଣ କରୁଛୁ। ଏହି ବୈଠକ ମୁଖ୍ୟମନ୍ତ୍ରୀଙ୍କ କାଳିଘାଟସ୍ଥିତ ବାସଭବନରେ ଅନୁଷ୍ଠିତ ହେବ।
ଏଥର ମଧ୍ୟ ଏହି ଡାକ୍ତରମାନେ ଲାଇଭ ଷ୍ଟ୍ରିମିଂ ଉପରେ ଗୁରୁତ୍ୱ ଦେଇଥିବା ବେଳେ ସେମାନଙ୍କ ପୂର୍ବ ଦାବିକୁ ନେଇ ଅଡିବସିଛନ୍ତି। ସେମାନେ କହିଛନ୍ତି କି ଆମେ ଆପୋଷ ସମାଧାନ କରିବାକୁ ରାଜି ଅଛୁ, ହେଲେ ବୈଠକରେ କ’ଣ ଆଲୋଚନା ହେଲା ଏହାର ଲାଇଭ ଷ୍ଟ୍ରିମିଂ ଜରୁରୀ। କାରଣ ଜନସାଧାରଣ ଆମକୁ ସମର୍ଥନ କରୁଥିବା ବେଳେ ସେମାନେ ବି ଜାଣିବା ଉଚିତ ଭିତରେ କ’ଣ ଆଲୋଚନା ହେଲା।
ଏଥର ରାଜ୍ୟ ସରକାର ଆଶାବାଦି ଅଛନ୍ତି ସେ ବୈଠକମାଧ୍ୟମରେ ଡାକ୍ତାରମାନଙ୍କୁ ବୁଝାଇ ହେବ ଓ ସେମାନେ ପୂର୍ବପରି ସେମାନଙ୍କ କାର୍ଯ୍ୟରେ ଯୋଗେଦେବେ।

Share