ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କାହିଁକି ସ୍ତ୍ରୀ,ପିଲାଙ୍କୁ ବିଦେଶ ପଠାଇଥିଲେ ପାଣ୍ଡିଆନ, ରିପୋର୍ଟ କହୁଛି…

ଭୁବନେଶ୍ୱର,୮ା୬: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ବରଣ କରିଛି। ତେବେ ଏହା ପଛରେ କାର୍ତ୍ତିକ ପାଣ୍ଡିଆନଙ୍କ ଭୂମିକା ରହିଛି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ବର୍ତ୍ତମାନ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ପାଣ୍ଡିଆନ କେଉଁଆଡ଼େ ଚାଲିଯିବା ଏବଂ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ ଛୁଟିରେ ଯିବା। ବିଜେଡି ହାରିବ ବୋଲି ଜାଣି ସାରିଥିଲେ କି ପାଣ୍ଡିଆନ। ତେଣୁ ଫଳାଫଳ ଆସିବା ପୂର୍ବରୁ ସ୍ତ୍ରୀ, ପିଲାଙ୍କୁ ବିଦେଶ ପଠାଇ ଦେଇଥିଲେ। ପରିବାରକୁ ଇଟାଲୀ ପଠାଇବାକୁ ନେଇ ପାଣ୍ଡିଆନ କରିଥିବା ସତ୍ୟପାଠ ଶନିବାର ସାର୍ବଜନୀନ ହେବା ପରେ ଏସବୁ ପାଣ୍ଡିଆନଙ୍କ ଷଡ଼ଯନ୍ତ୍ର ବୋଲି ଜୋର୍‌ଦାର ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଏପ୍ରିଲ ୧୮ରେ ପାଣ୍ଡିଆନ କରିଥିବା ଏକ ସତ୍ୟପାଠ ଏବେ ସାର୍ବଜନୀନ ହୋଇଛି। ଯେଉଁଥିରେ ସେ ତାଙ୍କ ଆଇଏଏସ୍‌ ସ୍ତ୍ରୀ ସୁଜାତାଙ୍କ ୧୫ବର୍ଷର ଝିଅକୁ ଜୁନ୍‌ ୧ରୁ ୧୨ ପର୍ଯ୍ୟନ୍ତ ଇଟାଲୀ ଯିବା ପାଇଁ ସମ୍ମତି ଦେଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି,  ଝିଅର ମାଟ୍ରିକ୍‌ ପରୀକ୍ଷା ପାଇଁ ସୁଜାତାଙ୍କୁ ମେ’ ୩୧ରୁ ନଭେମ୍ବର ୨୬ ପର୍ଯ୍ୟନ୍ତ ୬ମାସ ଛୁଟି ମଞ୍ଜୁର ବି କରିଛନ୍ତି ରାଜ୍ୟ ସରକାର। ତେବେ ଝିଅର ମାଟ୍ରିକ ପରୀକ୍ଷା ପାଇଁ ଛୁଟି ଅନୁମୋଦନ କରିଥିବା ରାଜ୍ୟ ସରକାର କିଭଳି ସୁଜାତାଙ୍କୁ ବିଦେଶରେ ଛୁଟି ବିତାଇବା ନିମନ୍ତେ ଅନୁମତି ଦେଲେ ତାହା ମଧ୍ୟ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ସୁଜାତା ସପରିବାର ବିଦେଶ ଯିବା ସମ୍ଭବପର ନୁହେଁ। ତେବେ ସାଧାରଣ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପାଣ୍ଡିଆନ କାହିଁକି ନିଜର ପରିବାରକୁ ଇଟାଲୀ ପଠାଇ ଦେଇଥିଲେ ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

Share