ସଙ୍କଟ ସମୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ କାହିଁକି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ? ଜାଣନ୍ତୁ

ନୂଆଦିଲ୍ଲୀ,୨।୧୦: ମଙ୍ଗଳବାର ଇସ୍ରାଏଲ ଉପରେ ଇରାନ ପ୍ରାୟ ୨୦୦ ଵାଲାଷ୍ଟିକ ମିସାଇଲ ମାଡ଼ କରିଛି। ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଇସ୍ରାଏଲ ଏକ ପ୍ରକାର ସଙ୍କଟ ସମୟ ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଶୁଭେଚ୍ଛା ଜଣାଇଲେ ଏହା ସମସ୍ତଙ୍କ ମନରେ ପ୍ରଶ୍ନ ଆଣିପାରେ।

ପ୍ରକୃତ କଥା ହେଉଛି ଗୋଟିଏ ପଟେ ସଙ୍କଟର ସ୍ଥିତି ଥିଲେ ମଧ୍ୟ ଇସ୍ରାଏଲ ତଥା ୟହୁଦି ସମ୍ପ୍ରଦାୟର ଲୋକେ ବୁଧବାର ନବବର୍ଷ(ରୋଶ୍ ହାଶାନା) ପାଳନ କରୁଛନ୍ତି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କର ପୋଷ୍ଟରେ ଲେଖିଛନ୍ତି, ”ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ଇସ୍ରାଏଲ ତଥା ବିଶ୍ୱରେ ଥିବା ୟହୁଦି ସମ୍ପ୍ରଦାୟର ଲୋକମାନଙ୍କୁ ନବବର୍ଷ(ରୋଶ୍ ହାଶାନା) ଶୁଭେଚ୍ଛା। ନୂତନ ବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି, ଭରସା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ।”

ତେବେ ଇରାନର ସହଯୋଗୀମାନଙ୍କ ଇସ୍ରାଏଲ ଲଗାତାର ଆକ୍ରମଣ କରିବା ପରେ ଇରାନ ଏହି ପ୍ରତିକ୍ରିୟା ଦେଇଛି। ହିଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲା ଏବଂ ଇସ୍ମାଇଲ ହାନିୟାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଇରାନ ଏହି ଆକ୍ରମଣ କରିଥିଲା। ତେବେ ଏଥିରେ ଇସ୍ରାଏଲର ବିଶେଷ କିଛି କ୍ଷତି ହୋଇ ନଥିଲା ବେଳେ ଇସ୍ରାଏଲ ଏହାର ପ୍ରତିଜବାବ ଦେବାକୁ ପ୍ରସ୍ତୁତ ହେଉଛି।

Share