Categories: ଜାତୀୟ

‘ଇଭିଏମ୍‌ ଏକ କଳା ବାକ୍ସ’ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ରାହୁଲ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ତାଙ୍କ ପୋଷ୍ଟରେ ଶିବସେନା ସିନ୍ଦେ ଦଳର ପ୍ରାର୍ଥୀ ରବୀନ୍ଦ୍ର ଓ୍ବାୟକରଙ୍କ ସହ ଜଡ଼ିତ ଏକ ଖବର ମଧ୍ୟ ଶେୟାର କରିଛନ୍ତି। ଇଭିଏମ୍‌ ସହିତ ଟାମ୍ପରିଂ କରି ଜିତିବା ଅଭିଯୋଗ ହୋଇଛି।

ରାହୁଲ ‘ଏକ୍ସ’ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, ଇଭିଏମ୍‌ ହେଉଛି ଭାରତରେ ଏକ ‘କଳା ବାକ୍ସ ’। ଏଗୁଡ଼ିକୁ ଯାଞ୍ଚ କରିବାକୁ କାହାକୁ ଅନୁମତି ନାହିଁ। ଆମର ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ନେଇ ଗମ୍ଭୀର ଚିନ୍ତା ବଢୁଛି। ଯେତେବେଳେ ଅନୁଷ୍ଠାନଗୁଡ଼ିକର ଉତ୍ତରଦାୟିତ୍ୱ ଅଭାବ ହୁଏ, ଗଣତନ୍ତ୍ର ଲଜ୍ଜାଜନକ ହୋଇଯାଏ ଏବଂ ଠକେଇର ସମ୍ଭାବନା ବଢ଼ିଯାଏ।

 

ରାହୁଲ ମିଡ୍‌ ଡେ’ର ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ଯାଞ୍ଚରେ ବନରାଇ ପୋଲିସ ରବୀନ୍ଦ୍ରଙ୍କ ସମ୍ପର୍କୀୟ ମଙ୍ଗେଶ ମାଣ୍ଡିଲକରଙ୍କ ବିରୋଧରେ ଅନେକ ପ୍ରମାଣ ପାଇଛନ୍ତି। ମାଙ୍ଗେଶଙ୍କ ଉପରେ ଇଭିଏମ୍‌ରେ ଟାମ୍ପରିଂ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ରବୀନ୍ଦ୍ର ମୁମ୍ବାଇ ଉତ୍ତର ପଶ୍ଚିମ ଲୋକ ସଭା ଆସନରୁ ୪୮ ଭୋଟ୍‌ରେ ଜିତିଛନ୍ତି। ଭୋଟ୍‌ ଗଣିବା ସମୟରେ ମଙ୍ଗେଶ ଯେଉଁ ଫୋନ୍‌ ବ୍ୟବହାର କରୁଥିଲେ ତାହା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌) ସହିତ ସଂଯୁକ୍ତ ଥିଲା ବୋଲି ଅଭିଯୋଗ ହୋଇଥିଲା।

Share