Categories: ଜାତୀୟ

ରାଜସ୍ଥାନ ନିର୍ବାଚନ ପ୍ରଚାରରୁ ଦୂରେଇ ରହୁଛନ୍ତି ରାହୁଲ, ଘରୋଇ କନ୍ଦଳ ହେବ କି କାଳ

ଜୟପୁର,୧୧।୧୧: ୫ରାଜ୍ୟର ନିର୍ବାଚନ ନେଇ ଅକ୍ଟୋବର ୯ରୁ ବାଜି ସାରିଛି ନିର୍ବାଚନୀ ବିଗୁଲ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବରେ ଦେଖାଯାଇଛି। ସେମିଫାଇନାଲର ପ୍ରଥମ ରାଉଣ୍ଡରେ ମିଜୋରାମରେ ମତଦାନ ସରିଥିବାବେଳେ ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ହେବା ବାକି ରହିଛି। ଆଗକୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନାରେ ନିର୍ବାଚନ ପାଇଁ ସବୁ ଦଳ ଅଣ୍ଟା ଭିଡି ସାରିଲେଣି। ଭାଜପା ଓ କଂଗ୍ରେସ ସବୁ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରଦାର କରିଥିବାବେଳେ ଟକ୍କର ମଧ୍ୟ ଜୋରଦାର ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ନଭେମ୍ବର ୨୫ରେ ରାଜସ୍ଥାନରେ ମତଦାନ ଥିବାବେଳେ ଏଠାରେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କମାଣ୍ଡ ସମ୍ଭାଳିଛନ୍ତି। କିନ୍ତୁ କଂଗ୍ରେସ ପକ୍ଷରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କମାଣ୍ଡ ସମ୍ଭାଳିଥିବା ଦେଖିବାକୁ ମିଳିଛି। ନିର୍ବାଚନ ବିଗୁଲ ବାଜିବା ପର ଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ରାଜସ୍ଥାନ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗି ରହିଛି। ଏହାକୁ ନେଇ ବିଭିନ୍ନ ପ୍ରକାର ଅନୁମାନ ମଧ୍ୟ ଲଗାଯାଉଛି।
ରାଜସ୍ଥାନରେ କଂଗ୍ରେସ ପାର୍ଟିର ଷ୍ଟାର ପ୍ରଚାରକ ଲିଷ୍ଟରେ ରାହୁଲଙ୍କ ନାଁ ତୃତୀୟରେ ରହିଛି। ପ୍ରଥମ ନମ୍ବରରେ ମଲ୍ଲିକାର୍ଜ୍ଜୁନ ଖାର୍ଗେ ଥିବାବେଳେ ଦ୍ୱିତୀୟ ନମ୍ବରରେ ସୋନିଆ ଗାନ୍ଧୀ ଅଛନ୍ତି। କିନ୍ତୁ ରାହୁଲଙ୍କ ରାଜସ୍ଥାନ ପ୍ରଚାର ମଇଦାନକୁ ନ ଓହ୍ଲାଇବା କିଛି ଅଲଗା ଦିଗ ଦର୍ଶାଉଛି। ପାର୍ଟିର ଘରେଇ କନ୍ଦଳକୁ ନେଇ ରାହୁଲ ନିର୍ବାଚନ ପ୍ରଚାରରୁ ଦୂରେଇ ରହୁଛନ୍ତି ବୋଲି ଅନୁମାନ କରାଯାଉଛି।
ଯଦିଓ ଏଠାରେ ଜୋରଦାର ଟକ୍କର ହେବ ବୋଲି ରାହୁଲ ଗାନ୍ଧୀ କହି ସାରିଛନ୍ତି କିନ୍ତୁ ଏଠାକୁ ନ ଆସିବା ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି, ରାହୁଲଙ୍କ ଫୋକସ ଅନ୍ୟ ୪ରାଜ୍ୟ ଉପରେ ରହିଛି। ବିଗୁଲ ବାଜିବା ପର ଠାରୁ ପ୍ରିୟଙ୍କା ଗାନ୍ଧୀ ୨ଟି ରାଲି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖାର୍ଗେ ୨ଟି ଜନସଭାକୁ ସମ୍ବୋଧିତ କରି ସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ରାହୁଲଙ୍କର ଦେଖା ଦର୍ଶନ ମିଳିପାରୁ ନାହିଁ। ଶେଷ ଥର ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ସେପ୍ଟେମ୍ବର ୨୩ରେ ଜୟପୁରରେ ରାହୁଲ ଏକ ସମ୍ମିଳନୀରେ ଭାଗ ନେଇଥିଲେ। ଏହା ପୂର୍ବରୁ ଅଗଷ୍ଟ ୯ରେ ବାଂସବାଡା ଜିଲାର ମାନଗଢ ଧାମରେ ଏକ ରାଲିରେ ଯୋଗ ଦେଇଥିଲେ। ତେବେ ଦିଓ୍ବାଲୀ ପରେ ରାହୁଲ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଆଶା କରାଯାଉଛି।

Share