Categories: ଜାତୀୟ

୨୪ ବର୍ଷର ସ୍ବପ୍ନକୁ କାହିଁକି ଭାଙ୍ଗି ଦେଲେ ରଜନୀକାନ୍ତ

ରଜନୀକାନ୍ତ ଭାରତୀୟ ଫିଲ୍ମ ଇତିହାସର ସବୁଠୁ ବଡ଼ ନାମ କହିଲେ ଭୁଲ ହେବ ନାହିଁ। ଏହି ଅଭିନେତାଙ୍କ ଫ୍ୟାନ ଫଲୋଇଂ ବିଷୟରେ କିଏବା ଜାଣି ନାହିଁ। ମାତ୍ର ନିକଟରେ ସେ ନେଇଥିବା କିଛି ନିଷ୍ପତ୍ତି ସଭିଙ୍କୁ ଚକିତ କରି ଦେଇଛି। ରାଜନେତା ହେବାର ତାଙ୍କ ବହୁ ପୂରୁଣା ସ୍ବପ୍ନକୁ କାହିଁକି ନିଜ ହାତରେ ଭାଙ୍ଗି ଦେଲେ ରଜନୀକାନ୍ତ ? ଏ ନେଇ ସେ ଦୁଃଖ ପ୍ରକାଶ କରିବା ସହ ନିଜ ନିଷ୍ପତ୍ତି ପଛର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି। ହେଲେ ଏହା ପଛରେ ଆହୁରି କିଛି ତଥ୍ୟ ରହିଛି, ଯାହା ରହିଛି ଅଗୋଚର ହୋଇ।

୧୯୯୬ ମସିହା କଥା। କେନ୍ଦ୍ରରେ ପି. ଭି. ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାରର ଥାଏ। ସେହି ସମୟରେ କଂଗ୍ରେସ ଛାଡ଼ି ତାମିଲ ମାନିଲା କଂଗ୍ରେସ ନାମକ ନୂଆ ଦଳ ଗଠନ କରିଥିଲେ ଜି.କେ. ମୋପନାର। ତାମିଲନାଡୁ ନିର୍ବାଚନ ପାଇଁ କଂଗ୍ରେସ, ଏଆଇଏଡିକେ ସହ ମେଣ୍ଟ କରିଥିଲା। ନିର୍ବାଚନ ପୂର୍ବରୁ ପ୍ରଚାରବେଳେ ରଜନୀକାନ୍ତଙ୍କୁ ଦୁଇ ଥର ଭେଟିଥିଲେ ପ୍ରଧାନମନ୍ତ୍ରୀ ନରସିଂହ। ରଜନୀଙ୍କୁ କଂଗ୍ରେସରେ ସାମିଲ ହେବାକୁ ଅଫର ଦେଇଥିଲେ ନରସିଂହ। ହେଲେ ଏହାକୁ ଅସ୍ବୀକାର କରିଥିଲେ ସାଇଥ୍‌ ସୁପରଷ୍ଟାର। ଡିଏମ୍‌କେ ସହ ମିଶି ନିର୍ବାଚନ ଜିତିଥିଲେ ମୋପନାର। ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ରଜନୀକାନ୍ତଙ୍କ ଖୋଲା ସମର୍ଥନ। ଏହିଠାରୁ ସାଉଥ ସୁପର ଷ୍ଟାର ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଫ୍ୟାନ୍ସ ଚାହୁଁଥିଲେ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ।

ଏହାପରେ ତାଙ୍କ ଜୀବନରେ ବହୁ ସମୟ ଆସିଥିଲା, ଯେତେବେଳେ ସେ ରାଜନୀତିକୁ ଆସିପାରିଥାନ୍ତେ। କିନ୍ତୁ ଭାଗ୍ୟ ଓ ଉଚିତ୍‌ ସମୟ ଉପରେ ବିଶ୍ୱାସ କରୁଥିବା ରଜନୀ ଅପେକ୍ଷା କରିବାକୁ ଶ୍ରେୟ ମଣିଥିଲେ। ଆଉ ଏବେ ଯେତେବେଳେ ସବୁ କିଛି ଠିକ୍‌ ଥିଲା, ରଜନୀ ରାଜନୀତିକୁ ହିଁ ନା କହିଦେଲେ। ତାଙ୍କ ଜୀବନରେ ଭଗବାନ ଓ ଭାଗ୍ୟ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବୋଧ ହୁଏ, ରାଜନୀତି ଇତିହାସରେ ରଜନୀ ପ୍ରଥମ ବ୍ୟକ୍ତି ଯେ ରାଜନୀତକୁ ଆସିବା ପୂର୍ବରୁ ହିଁ ସନ୍ନ୍ୟାସ ନେଇଛନ୍ତି। କିନ୍ତୁ ତାଙ୍କ ନିଷ୍ପତ୍ତି ସଭିଙ୍କୁ ଚକିତ କରି ଦେଇଛି।

Share