Categories: ଖେଳ

ଯୋଗରାଜଙ୍କ ଶରଣରେ ସଚିନଙ୍କ ପୁଅ

ଚଣ୍ଡିଗଡ,୨୫।୯: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଗୋଆ ଦଳ ପକ୍ଷରୁ ଏକ ଟୁର୍ନାମେଣ୍ଟ ଖେଳିବା ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ଭାରତର ପୂର୍ବତନ କ୍ରିକେଟର୍‌ ଯୁବରାଜ ସିଂଙ୍କ ପିତା ଯୋଗରାଜଙ୍କ ସହ ଅର୍ଜୁନଙ୍କ ଅଭ୍ୟାସ ଅଧିବେଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସଚିନ ତାଙ୍କ ପୁଅର ଦାୟିତ୍ୱ ଯୋଗରାଜଙ୍କୁ ଦେଇଛନ୍ତି। ଅର୍ଜୁନଙ୍କୁ ୨୩ ବର୍ଷ ବୟସ କିନ୍ତୁ ସେ ଏପର୍ଯ୍ୟନ୍ତ ତାଙ୍କର ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବାର ସୁଯୋଗ ପାଇ ନାହାଁନ୍ତି। ତାଙ୍କୁ ଆଇପିଏଲ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା କିନ୍ତୁ ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ସେ ପାଇ ନ ଥିଲେ। ଏହା ସହ ସେ ଗତ ବର୍ଷ ସୟଦ ଅଲି ମୁସ୍ତାକ ଟି-୨୦ ଟୁର୍ନାମେଣ୍ଟରେ ମୁମ୍ବାଇ ପାଇଁ ମାତ୍ର ୨ଟି ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ଅର୍ଜୁନ ମୁମ୍ବାଇ ଦଳରେ ମନୋନୀତ ନ ହେବାରୁ ସେ ଗୋଆ ପକ୍ଷରୁ ଖେଳିବା ଆରମ୍ଭ କରିଛନ୍ତି।
ପଞ୍ଜାବୀ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ ବ୍ୟତୀତ ଭାରତର ପୂର୍ବତନ କ୍ରିକେଟର ଯୋଗରାଜ ସିଂ ମଧ୍ୟ ଜଣେ କୋଚ ଭାବରେ ପ୍ରସିଦ୍ଧ। ୧୯୮୦ରେ ତାଙ୍କୁ ଭାରତୀୟ ଦଳରେ ଖେଳିବାର ସୁଯୋଗ ମିଳିଥିଲା। ସେ ୧୯୮୧ରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ପାଇଁ ଏକମାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚରେ ଡାହାଣହାତୀ ଦ୍ରୁତ ବୋଲର ଯୋଗରାଜ କେବଳ ଗୋଟିଏ ଉଇକେଟ ନେଇଥିଲେ। ସେ ଭାରତର ପୂର୍ବତନ କୋଚ ଜନ ରାଇଟଙ୍କୁ ବୋଲ୍ଡ କରିଥିଲେ। ଯୋଗରାଜ ସିଂ ଭାରତ ପାଇଁ ମାତ୍ର ୬ଟି ଦିନିକିଆ ଖେଳିଥିଲେ। ତାଙ୍କ ନାମରେ ୪ଟି ଉଇକେଟ ଅଛି।

Share