Categories: ଜାତୀୟ

‘ଛାତ୍ରୀ କାହିଁକି ଉତ୍ତେଜିତ କଲେ?’ ପ୍ରଶ୍ନକଲେ କର୍ନାଟକ ମନ୍ତ୍ରୀ

ବେଙ୍ଗାଲୁରୁ,୯।୨: ହିଜାବ ପ୍ରସଙ୍ଗକୁ ନେଇ କର୍ନାଟକରେ ସ୍ଥିତି ଅଣାୟତ ହେଉଥିବା ବେଳେ ମାଣ୍ଡ୍ୟା କଲେଜରୁ ସାମ୍ନାକୁ ଆସିଥିବା ଘଟଣାରେ ମୁସଲିମ ଛାତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି ସି ନାଗେଶ।

“ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଛାତ୍ରୀଛାତ୍ର ଗୋଷ୍ଠୀ ବୁର୍ଖାରେ ଥିବା ଛାତ୍ରୀଙ୍କୁ ଘେରାଉ କରିବାକୁ ଚାହୁଁ ନ ଥିଲେ। କିନ୍ତୁ ସେ ଯେତେବେଳେ ଅଲାହ ହୁ ଆକବର ସ୍ଲୋଗାନ ଦେଲେ, ତାଙ୍କ ପାଖରେ ଜଣେ ହେଲେ ଛାତ୍ରୀଛାତ୍ର ନ ଥିଲେ। କଲେଜ କ୍ୟାମ୍ପସରେ ସେ କାହିଁକି ଅଲାହ ହୁ ଆକବର କହୁଛନ୍ତି? କ୍ୟାମ୍ପସରେ ‘ଅଲାହ ହୁ ଆକବର’ କିମ୍ବା ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ଆମେ କଦାପି ପ୍ରୋତ୍ସହନ ଦେଇ ପାରିବା ନାହିଁ” ବୋଲି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ନାଗେଶ କହିଛନ୍ତି।

“କେହି ଆଇନ ବ୍ୟବସ୍ଥା ନିଜ ହାତକୁ ନେଇ ପାରିବେ ନାହିଁ। ସରକାର କାହାକୁ କ୍ଷମା କରିବେ ନାହିଁ” ବୋଲି ମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ମୁସ୍‌କାନ ନାମକ ଜଣେ ମୁସଲିମ ଛାତ୍ରୀ କଲେଜ ଯାଉଥିବା ବେଳେ ସାଫ୍ରନ ସ୍କାର୍ଫ ପିନ୍ଧିଥିବା ଛାତ୍ରଗୋଷ୍ଠୀ ତାଙ୍କୁ ଘେରି ‘ଜୟ ଶ୍ରୀରାମ’ ନାରା ଦେଇଥିଲେ। ଏହାର ଜବାବରେ ‘ଅଲାହ ହୁ ଆକବର’ କହିଥିଲେ ଉକ୍ତ ଛାତ୍ରୀ। ଛାତ୍ରମାନେ ତାଙ୍କ ପିଛା କରୁଥିବା ବେଳେ ‘ଅଲାହ ହୁ ଆକବର’ ସ୍ଲୋଗାନ ଦେଇ କଲେଜ ଆଡ଼କୁ ଚାଲିଯାଇଥିଲେ। ପରେ କଲେଜ ଅଧିକାରୀ ଛାତ୍ରୀ କଲେଜ ଭିତରକୁ ନେଇ ଯାଇଥିଲେ।

Share