ଭାଜପା ଭୁଆଁବୁଲାଇ ନିର୍ବାଚନ ଜିତିଛି କାହିଁକି ଏମିତି କହିଲେ ପୂର୍ବତନ ଉପବାଚସ୍ପତି

ଦାରିଙ୍ଗବାଡି,୨୫।୮ (ଅରୁଣ ସାହୁ): ଚଳିତ ସାଧାରଣ ନିର୍ବାଚନରେ ଭାଜପା ଲୋକଙ୍କୁ ଭୁଆଁ ବୁଲାଇ ଜିତିଥିବା ବିଜେଡି ଆୟୋଜିତ ଜନଜାଗରଣ ସଭାରେ ଅଭିଯୋଗ କରିଛି। ନିଜ ନିର୍ବାଚନ ଇସ୍ତାହାରରେ ଭାଜପା ଜନସାଧାରଣଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ସରକାର ଗଠନ ପରେ ତାହା ପାଳନ କରୁନାହିଁ ବୋଲି ଶନିବାର ବିଜେଡିର ଜି.ଉଦୟଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଅଭିଯୋଗ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ସରକାର ନିର୍ବାଚନ ବେଳେ ଗରିବ ଲୋକ, ଚାଷୀ, ବୃଦ୍ଧ, ଅସହାୟ ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାକୁ ପାଳନ କରନ୍ତୁ। ନିର୍ବାଚନ ସମୟରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ପିଛା ୩ ହଜାର ୧ ଶହ ଟଙ୍କାରେ କିଣାଯିବ ଭାଜପା କହିଥିଲେ ସୁଦ୍ଧା ତାହା ଏଯାଏ ପାଳନ କରିନାହିଁ। ବିନା କଟ୍‌ନୀଛଟ୍‌ନୀରେ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କାରେ କିଣିବାକୁ ସେ ଦାବି କରିଛନ୍ତି। ସେହିପରି ସମସ୍ତ ଭତ୍ତାଧାରୀଙ୍କୁ ଭାଜପା ୩ ହଜାର ଲେଖାଏ ଭତ୍ତା ଦେବାକୁ ଘୋଷଣା କରି ଏବେ ୮୦ବର୍ଷ ବୟସର ବୃଦ୍ଧାବୃଦ୍ଧଙ୍କୁ ପ୍ରଦାନ କରାଯିବ ବୋଲି କାହିଁକି କହୁଛି ବୋଲି ସାଲୁଗା ପ୍ରଶ୍ନ ଉଠାଇଥିଲେ। ଏହି ଜନଜାଗରଣ ସଭାରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଦିଲୀପ ପ୍ରଧାନ, ବାବୁନି ପଣ୍ଡାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।