ଭୁବନେଶ୍ୱର,୨୧।୭: ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଏବଂ ଶାସକ ଦଳର ମନ୍ତ୍ରୀବୃନ୍ଦ ଉପସ୍ଥିତ ଥିଲେ । କିନ୍ତୁ ଜଣେ ବି କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳି ନ ଥିଲା । ତେବେ ସର୍ବଦଳୀୟ ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଏତେ ପୁରୁଣା ଦଳ ହେଲେ ବିଧାୟକ ଦଳ ନେତା ବଛା ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରୁଛି। ମୋତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି ହେଲେ ସେ କହିଲେ ମୋତେ ନିର୍ଦ୍ଦେଶ ଆସିନି।