କାହିଁକି ଏନ୍‌ଏସି ଘୋଷଣା କରିଥିଲେ ନବୀନ ସରକାର, ଏମିତି କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୧।୯(ଅନିଲ ଦାସ): ନୂତନ ଏନ୍‌ଏସି ଗଠନକୁ ନେଇ ବିଧାନସଭାରେ ଦାବି ଜୋର୍‌ ଉଠିଛି। ଗତ ସରକାର ସମୟରେ ୫୭ଟି ଏନଏସି ପ୍ରସ୍ତାବ ଆସିଥିବା କୁହାଯାଉଥିବା ବେଳେ ଭାଜପା ସରକାରଙ୍କ ପାଖରେ ସେମିତି କିଛି ପ୍ରସ୍ତାବ ନାହିଁ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଙ୍ଗଳବାର ବିଧାନସଭାରେ ବିବୃତ୍ତି ରଖିଛନ୍ତି।
ସରକାରୀ ପ୍ରସ୍ତାବରେ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ନାହିଁ। ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏନ୍‌ଏସି ଘୋଷଣା କରିଥିଲେ। କିନ୍ତୁ ଏ ନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ କି ନୂଆ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ବିଧାନସଭା ପ୍ରଶ୍ନକାଳରେ ବିଜେଡି ସଭ୍ୟ ପ୍ରତାପ ଦେବଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଗତ ସରକାର ସମୟରେ ୫୭ଟି ନୂତନ ଏନ୍‌ଏସି ପାଇଁ ପ୍ରସ୍ତାବ ଆସିଥିଲା। ସେହି ପ୍ରସ୍ତାବଗଡ଼ିକ ଜିଲାପାଳଙ୍କଠାରୁ ଆସିଥିଲା କି। ଯଦି ଆସିଥିଲା ତେବେ ଏହାର ସ୍ଥିତି କ’ଣ ଅଛି। ସେଥିରୁ ସରକାର କେତୋଟିକୁ ଏନ୍‌ଏସି କରିବାକୁ ପଦକ୍ଷେପ ନେଇଛନ୍ତି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏନେଇ ଜିଲାପାଳଙ୍କଠାରୁ କୌଣସି ସରକାରୀ ପ୍ରସ୍ତାବ ଆସିନାହିଁ। ଜିଲାପାଳମାନଙ୍କୁ କେବଳ ଚିଠି ହୋଇଥିଲା। ଜିଲାପାଳଙ୍କ ପାଖରୁ ଉତ୍ତର ମିଳିନାହିଁ। ଜିଲାପାଳଙ୍କ ପାଖରୁ ନୂଆ ଏନ୍‌ଏସି ନେଇ ଯଦି କୌଣସି ପ୍ରସ୍ତାବ ଆସିବ ସରକାର ତାହା ଉପରେ ବିଚାରବିମର୍ଶ କରିବା ପରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ବିଜେଡି ସଭ୍ୟ ସଞ୍ଜୀବ ମଲ୍ଲିକ ପ୍ରଶ୍ନ ନମ୍ବର ୬୬୨ରେ ଭଦ୍ରକ ଜିଲା ବନ୍ତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ସରକାରଙ୍କ ପ୍ରସ୍ତାବ ଅଛି କିନାହିଁ ବୋଲି ଜାଣିବାକୁ ଚାହିଁଥିଲେ। ମନ୍ତ୍ରୀ ଉତ୍ତରରେ କହିଥିଲେ, ଭଦ୍ରକ ଜିଲାର ବନ୍ତଠାରେ ଏନ୍‌ଏସି ଗଠନ ସଂକ୍ରାନ୍ତ ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇଛି। ଏ ସଂକ୍ରାନ୍ତ ବିଧିବଦ୍ଧ ପ୍ରସ୍ତାବ ଆସିବା ପରେ ପ୍ରଚଳିତ ଓଡ଼ିଶା ପୌର ଅଧିନିୟମ ୧୯୫୦ ଓ ନିର୍ଦ୍ଦେଶାବଳୀର ବ୍ୟବସ୍ଥା ତଥା ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି ଅନୁସାରେ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ସରକାର କେବେ ଦେବେ। ଏହାକୁ ଏନ୍‌ଏସି କରାଯିବ କି ନାହିଁ ବୋଲି ପଚାରିଥିଲେ। ଭାଜପା ସଭ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା ଚିକିଟି, କଂଗ୍ରେସ ସଭ୍ୟ ପବିତ୍ର ସାଉଁଟା ଲକ୍ଷ୍ମୀପୁରକୁ ଏନ୍‌ଏସି କରିବାକୁ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ, ବିଧିବ୍ୟବସ୍ଥା ଭିତରେ ଯଦି ଆସୁଥିବ ତେବେ ସେଗୁଡ଼ିକୁ ଏନ୍‌ଏସି କରିବାରେ ସରକାରଙ୍କର ଆପତ୍ତି ନାହିଁ।

Share