Categories: ଜାତୀୟ

ସେମିନାର ହଲ୍‌ରେ ଶୋଇବାର ରହସ୍ୟ, ସିବିଆଇ ଦେଲା ତାଜୁବ କରିଦେବା ଭଳି କାରଣ…

କୋଲକାତା,୨୧।୮: କୋଲକାତାର ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି। ମହିଳା ଡାକ୍ତରଜଣକ ରାତି ଡ୍ୟୁଟି ସମୟରେ ସେମିନାର ହଲରେ କାହିଁକି ଶୋଇଥିଲେ ଏନେଇ ରହସ୍ୟ ଉପରୁ ପରଦା ଉଠିଛି। ଗତକାଲି ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ପଶ୍ଚିମବଙ୍ଗ ସରକାର ମଧ୍ୟ ଆକ୍ସନ ମୋଡ୍‌କୁ ଆସିଛନ୍ତି। ତଦନ୍ତବେଳେ କୋଲକାତା ପୋଲିସର ଅନେକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ସିବିଆଇ ତଦନ୍ତ ଅନୁଯାୟୀ, ଘଟଣାର ରାତିରେ ସେ ସ୍ଲିପ ଆପନିଆ ଓ୍ବାର୍ଡରେ ନଜର ରଖିଥିଲେ। ସେଠାରେ ରୋଗୀଙ୍କୁ ଶୋଇବା ସମୟରେ ନଜରରେ ରଖିବାକୁ ପଡୁଥିଲା। ଯେହେତୁ ସେହି ୱାର୍ଡରେ ଅନେକ ରୋଗୀ ନଥାନ୍ତି, ଦାୟିତ୍ୱରେ ଥିବା ଡାକ୍ତର ପ୍ରତିଦିନ ରାତିରେ ସେଠାରେ ଶୋଇଥା’ନ୍ତି କିମ୍ବା ବିଶ୍ରାମ ନେଇଥାନ୍ତି। କିନ୍ତୁ ଘଟଣା ଦିନ ସେହି ୱାର୍ଡରେ ଜଣେ ରୋଗୀ ଥିବାରୁ ମହିଳା ଡାକ୍ତର ସେମିନାର ହଲରେ ଶୋଇବାକୁ ଯାଇଥିଲେ।

ତା’ପରେ ଏହି ସେମିନାର ହଲରେ ଡାକ୍ତରଙ୍କ ସହ ବର୍ବର କାଣ୍ଡ ଘଟିଥିଲା। ତାଙ୍କୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା। ପ୍ରମାଣ ସଂଗ୍ରହ ପାଇଁ ସିବିଆଇ ଟିମ୍‌ ଏହି ସେମିନାର ହଲକୁ ୧୦ରୁ ଅଧିକ ଥର ପରିଦର୍ଶନ କରିଛନ୍ତି। ସେମିନାର ହଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଲିଭାଇବାକୁ ଚେଷ୍ଟା କରାଯାଇଛି ବୋଲି ସିବିଆଇ କହିଛି। ସେଥିପାଇଁ ଟିମ୍‌ ସ୍ଥାନକୁ ତନ୍ନତନ୍ନ କରି ପରଖୁଛନ୍ତି।

ସେପଟେ ମଙ୍ଗଳବାର ସୁପ୍ରିମକୋର୍ଟରେ କୋଲକାତା ମାମଲାର ଶୁଣାଣି ହୋଇଥିଲା। କୋଲକାତା ପୋଲିସ ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଶୀର୍ଷ କୋର୍ଟ ଭର୍ତ୍ସନା କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ପଶ୍ଚିମବଙ୍ଗ ସରକାର କୋଲକାତାର ୩ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

Share