Categories: ଜାତୀୟ

ଜେଲ୍‌ ଯିବା ପରେ କାହିଁକି ଦେଇ ନ ଥିଲେ ଇସ୍ତଫା, ପ୍ରେସମିଟ୍‌ କରି ବଡ଼ ବୟାନ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ଜାମିନ ପାଇବାର ଦିନେ ନ ଯାଉଣୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ କେଜରିଓ୍ବାଲ ଭାଜପାକୁ ଟାର୍ଗେଟ କରି ଗର୍ଜିଛନ୍ତି।

ଜେଲରେ ରହିବା ପରେ ମଧ୍ୟ ସେ କାହିଁକି ତାଙ୍କ ପଦରୁ ଇସ୍ତଫା ଦେଇ ନ ଥିଲେ ଏନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି କେଜରିଓ୍ବାଲ। ସେ କହିଛନ୍ତି, ୭୫ ବର୍ଷ ମଧ୍ୟରେ ଏତେ ସଂଖ୍ୟକ ସଂଖ୍ୟାଗରିଷ୍ଠତା ସହ କୌଣସି ରାଜ୍ୟରେ ଏତେ ବଡ଼ ବିଜୟ ହୋଇ ନାହିଁ, ସେଥିପାଇଁ ଆମ ସରକାରକୁ ହଟାଇବା ପାଇଁ ଏପରି ଷଡଯନ୍ତ୍ର କରାଯାଇଛି। ସେମାନେ ଭାବିଥିଲେ ଏପରି ମାମଲା ରୁଜୁ କରି ଜେଲରେ ରଖିଲେ ମୁଁ ଇସ୍ତଫା ଦେଇଦେବି। ଏହାପରେ ସେମାନେ ସରକାର ଭାଙ୍ଗି ଦେଇଥା’ନ୍ତେ। ସେମାନଙ୍କର ଚାଲ୍‌ ଜାଣିପାରି ନିଷ୍ପତ୍ତି ନେଲି କି, ସେମାନଙ୍କ ଜାଲରେ ଫଶିବି ନାହିଁ ବୋଲି କେଜରିଓ୍ବାଲ କହିଛନ୍ତି।

ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ଆପଣ ଗଣତନ୍ତ୍ରକୁ ଜେଲରେ ରଖନ୍ତି ତେବେ ମୁଁ ସରକାର ଜେଲରୁ ଚଳାଇବି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଜୀ ମଧ୍ୟ ଇସ୍ତଫା ଦେବା ଉଚିତ ନ ଥିଲା। ମୁଁ କେବେ କ୍ଷମତା ଲୋଭୀ ନୁହେଁ। ଦିଲ୍ଲୀରେ ପ୍ରଥମ ଥର ଯେତେବେଳେ କ୍ଷମତାକୁ ଆସିଥିଲି, ମାତ୍ର ୪୯ ଦିନ ପରେ ହିଁ ଇସ୍ତଫା ଦେଇଥିଲି।

ମୋର ଉଦ୍ଦେଶ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହେବା ନୁହେଁ, ବରଂ ଦେଶର ଗଣତନ୍ତ୍ରର ସୁରକ୍ଷା, ଦେଶବାସୀଙ୍କ ସେବା କରିବା ଏବଂ ମୋ ଦେଶର ପ୍ରଗତି କରିବା। ଆୟକର କମିଶନର ବି ଚାକିରି ଛାଡି ଦିଲ୍ଲୀର ବସ୍ତିରେ କାମ କରିଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି। ଆମ ଦଳ ବହୁତ ଛୋଟ। କିନ୍ତୁ ସରକାର ଏତେ ଛୋଟ ଦଳକୁ ଭୟ କରୁଛନ୍ତି ଏବଂ ଏହାକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଦଳର ଚାରିଜଣ ବଡ ନେତାଙ୍କୁ ଜେଲକୁ ପଠାଯାଇଛି। କ’ଣ ଆପଣ ପାର୍ଟିକୁ ଭାଙ୍ଗିବାକୁ ଚାହୁଁଛନ୍ତି ବୋଲି ମୋଦିଙ୍କୁ ଟାର୍ଗେଟ କରିଛନ୍ତି କେଜରିଓ୍ବାଲ।

Share