
ରାଉରକେଲା,୩୧।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲାରେ ହେବ ୧୦୦କି.ମି ବିଶିଷ୍ଟ ରି୍ଂରୋଡ୍। ଏହାଦ୍ୱାରା ରାଉରକେଲା ସହରକୁ ଚତୁଃପାର୍ଶ୍ୱରୁ ଯୋଡି ଏକ ବିକଶିତ ସୁଗମନାଗମନ ସହର ଭାବେ ଉଭା କରିବାର ଲକ୍ଷ୍ୟ ରହିଛି। ସେହିପରି ରାଉରକେଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ ବେଦବ୍ୟାସ ପୀଠର ବ୍ରାହ୍ମଣୀ ନଦୀ ଉପରେ ୩୫କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଆକର୍ଷଣୀୟ ଝୁଲାପୋଲ ନିର୍ମାଣ କରାଯିବ। ଏହି ଝୁଲାପୋଲର ଚଲାପଥ ସମ୍ପୂର୍ଣ୍ଣ କାଚରେ ନିର୍ମିତ ହେବ। ପର୍ଯ୍ୟଟକମାନେ ଯାତ୍ରା କରିବା ସମୟରେ ବ୍ରାହ୍ମଣୀ ନଦୀର ଦୃଶ୍ୟପଟ୍ଟ ସ୍ପଷ୍ଟ ଭାବେ ଅବଲୋକନ କରିପାରିବେ। ଏହାର ଭିତିପ୍ରସ୍ତର ସ୍ଥାପନ ମେ ମାସରେ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରବିବାର ରାଉରକେଲାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଘୋଷଣା କରିଛନ୍ତି।