କେଶ ଝଡ଼ିବା ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଯାହାକୁ ଦେଖିବ ସେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ କେବେ ଭାବିଛନ୍ତି କି କେଶ ସିନା ଝଡ଼େ ହେଲେ ନିଶ ଦାଢ଼ି ଓ ଶରୀରର ଲୋମ ଝଡ଼ି ନ ଥାଏ କାହିଁକି ?
କେଶ ଝଡ଼ିବା ଏବଂ ନିଶ ଦାଢ଼ି ଓ ଶରୀରର ଲୋମ ନ ଝଡ଼ିବା ହରମୋନର ଫରକ ଯୋଗୁ ହୋଇଥାଏ। କେଶ ଉପରେ ମୁଖ୍ୟତଃ ଡିଏଚ୍ଟି (ଡାୟହାଇଡ୍ରୋଟେଷ୍ଟୋଷ୍ଟେରୋନ୍)ନାମକ ହରମୋନ୍ର ପ୍ରଭାବ ପଡ଼ିଥାଏ। ହେୟାର ଫଲିକଲ୍ସରେ ଏହାର ମାତ୍ରାଧିକ ବୃଦ୍ଧି ଅବା ବହୁ କମ୍ ମାତ୍ରାର ବୃଦ୍ଧି ଯୋଗୁ ହେୟାର ଫଲିକଲ୍ଗୁଡ଼ିକ ସଙ୍କୁଚିତ ହୋଇଯାଏ। ତା’ସହ କେଶ ବୃଦ୍ଧିର ସାଇକେଲ ଛୋଟ ହେଇଯାଏ ଓ କେଶର ମୂଳ ଦୁର୍ବଳ ହୋଇଯାଏ। ତେଣୁ କେଶ ଝଡ଼ିଥାଏ। ହେଲେ ନିଶ, ଦାଢ଼ି ଓ ଶରୀରର ଲୋମ ଉପରେ ଟେଷ୍ଟୋଷ୍ଟେରୋନ୍ର ପ୍ରଭାବ ପଡ଼ିଥାଏ, ଯାହାକି ଏହି ଲୋମ ଗୁଡ଼ିକୁ ବଢିବାରେ ସାହାଯ୍ୟ କରିଥାଏ ଏବଂ ତାକୁ ଝଡ଼ିବାକୁ ଦିଏନା। ଏହିଭଳି ଭାବେ ହରମୋନର ଫରକ୍ ମୁଣ୍ଡ ଓ ଶରୀର ଲୋମର ବ୍ୟବହାରରେ ଫରକ ଆଣିଥାଏ।
ଏହା ବାଦ୍ ଶରୀର ଲୋମର ବୃଦ୍ଧି ଓ ଝଡ଼ିବାର ପ୍ରକ୍ରିୟା ଜିନ୍ ଦ୍ୱାରା ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ମୁଣ୍ଡର କେଶ ଝଡ଼ିବା ଓ ପତଳା ହୋଇଯିବା ସାଧାରଣତଃ ଏଣ୍ଡ୍ରୋଜେନେଟିକ୍ ଏଲୋପେସିୟା ତଥା ଆନୁବଂଶିକ ଚନ୍ଦାପଣ କାରଣରୁ ବି ହୋଇଥାଏ। ଯାହାକି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ଘଟିଥାଏ। ଏହି ସ୍ଥିତି ଖାସ୍ କରି ମୁଣ୍ଡର କେଶ ପାଇଁ ଦାୟୀ ହୋଇଥାଏ। ଅନ୍ୟପକ୍ଷେ ନିଶ, ଦାଢ଼ି ଓ ଶରୀର ଲୋମର ବିକାଶର ସଂରଚନା ଭିନ୍ନ ଭିନ୍ନ ହୋଇଥାଏ। ଯାହାକି ସାଧାରଣତଃ ଆନୁବଂଶିକ ରୂପରେ ନିର୍ଦ୍ଧାରିତ ହୋଇଥାଏ। ଏହି କାରଣରୁ ମଧ୍ୟ ଶରୀରର ଲୋମ ଝଡ଼ିବା ବା ପତଳା ହେବା ମୁଣ୍ଡର କେଶଠାରୁ କମ୍ ହୋଇଥାଏ।
ଶରୀର ଲୋମ ବୃଦ୍ଧିର ଚକ୍ର, କେଶ ବୃଦ୍ଧିର ଚକ୍ରଠାରୁ ଭିନ୍ନ ହୋଇଥାଏ। କେଶ ବୃଦ୍ଧିର ଚକ୍ର ଲମ୍ବା ହୋଇଥାଏ। କିନ୍ତୁ ଶରୀରର ଲୋମ ବୃଦ୍ଧିର ଚକ୍ର ଛୋଟ ହୋଇଥାଏ। କେଶ ଝଡ଼ିବା ସାଧାରଣତଃ ସେହି ଚକ୍ରର ଟେଲୋଜେନ ସୋପାନରେ ହୋଇଥାଏ। ଅର୍ଥାତ୍ ଯେଉଁଠି କେଶ ବୃଦ୍ଧି ଅଟକିଯାଏ, ସେଇଠି କେଶ ଝଡ଼ିବା ଆରମ୍ଭ ହୁଏ। ଅନ୍ୟପକ୍ଷେ ଶରୀରର ଲୋମବୃଦ୍ଧିର ଚକ୍ର ଛୋଟ ହୋଇଥିବା ଯୋଗୁ ଏହା ବହୁତ କମ୍ ଝଡ଼ିଥାଏ । ଆଉ ଏହା ସାଧାରଣତଃ ନୂଆ ଲୋମ ଦ୍ୱାରା ବଦଳିଥାଏ।
ଏସବୁବାଦ୍ ମୁଣ୍ଡର କେଶ ଆଜିକାଲି ଅତ୍ୟଧିକ ଚାପ ଓ ଅବ୍ୟବସ୍ଥିତ ଜୀବନ ଶୈଳୀ କାରଣରୁ ବି ଝଡ଼ୁଛି।