Categories: ଫୁରସତ

ମଶା କାମୁଡିଲେ କୁଣ୍ଡାଇ ହୁଏ କାହିଁକି

ମଶା ଚୁପି ଚୁପି ଆସି କେତେବେଳେ କାମୁଡିଦେଇ ଉଡ଼ିଯାଏ ଅନେକ ସମୟରେ ଜଣାପଡେନା। ହେଲେ ପରେ ଯେବେ କାମୁଡିଥିବା ସ୍ଥାନ ଲାଲ ପଡ଼ି ଫୁଲିଯାଏ ଏବଂ କୁଣ୍ଡେଇ ହୁଏ ଜଣାପଡ଼େ ମଶା କାମୁଡିଛି ବୋଲି। ତେବେ କେବେ ଭାବିଛନ୍ତି ମଶା କାମୁଡିଲେ ଏମିତି କୁଣ୍ଡେଇ ହୁଏ କାହିଁକି?

ଏହା ପଛର କାରଣ ହେଉଛି- ମଶା ତା’ର ଷ୍ଟ୍ର ପରି ସୁଣ୍ଢ(ପ୍ରୋବୋସିସ୍‌)କୁ ମଣିଷର ତ୍ୱଚା ଭିତରେ ପ୍ରବେଶ କରାଇ ରକ୍ତ ନଳୀକୁ ଚିହ୍ନଟକରି ସେଥିରୁ ରକ୍ତ ଶୋଷିଥାଏ। ଯେହେତୁ ସେ ରକ୍ତକୁ ଖାଇଥାଏ ରକ୍ତ ଶୋଷିବା ସମୟରେ ତାର ସଲାଇଭା ଆମ ଶରୀର ଭିତରକୁ ଯାଇଥାଏ। ଏହି ସଲାଇଭାରେ ଆଣ୍ଟିକଗୁଲାଣ୍ଟ ଥାଏ, ଯାହା ବ୍ୟକ୍ତିଙ୍କ ବ୍ଲଡ଼ କ୍ଲଟ ହେବା କିଛି ସମୟ ପାଇଁ ବନ୍ଦ କରିଦିଏ। କାରଣ ଯଦି ମଶା ରକ୍ତ ଶୋଷିବାବେଳେ ବ୍ଲଡ କ୍ଲଟ ହୋଇଯାଏ ତେବେ ସେ ରକ୍ତ ଶୋଷି ପାରିବ ନାହିଁ। ଏହାଛଡ଼ା ଲାଳରେ ଥିବା ରାସାୟନିକ ତତ୍ୱ ଲାଗି ମଣିଷ ଶରୀରରେ ଆଲର୍ଜି ସୃଷ୍ଟି ହୋଇଥାଏ। ଆଉ ଶରୀର ଭିତରକୁ ବାହାରର କିଛି ପ୍ରବେଶ କରିବା ଦ୍ୱାରା ଆମ ଇମ୍ୟୁନସିଷ୍ଟମ ବା ପ୍ରତିରୋଧ କ୍ଷମତା ସକ୍ରିୟ ହୋଇଉଠେ। ଏହି ଇମ୍ୟୁନ ସିଷ୍ଟମ ଦ୍ୱାରା ନିର୍ଗତ ରସାୟନ ହିଷ୍ଟାମାଇନ୍‌ ପାଇଁ ସେହି ସ୍ଥାନ ଫୁଲିଥାଏ। ଏହା ମଶା କାମୁଡ଼ିଥିବା ସ୍ଥାନରେ ରକ୍ତ ପ୍ରବାହ ଓ ଶ୍ୱେତ ରକ୍ତ କଣିକାର ମାତ୍ରା ବଢାଇଦିଏ। ତେଣୁ ସେହି ସ୍ଥାନ ଫୁଲିଯାଏ। ତା’ସହ କାମୁଡିଥିବା ସ୍ଥାନ କୁଣ୍ଡେଇ ହୁଏ କାରଣ ଏହି ହିଷ୍ଟାମାଇନ ହିଁ କାମୁଡା ସ୍ଥାନ ନିକଟସ୍ଥ ସବୁ ନର୍ଭକୁ ସିଗ୍ନାଲ ଦିଏ। ଆଉ ଏହି ନର୍ଭ ସବୁ ମସ୍ତିସ୍କକୁ ସିଗ୍ନାଲ ପଠାନ୍ତି। ଏହାପରେ ଯାଇ ଆମକୁ ମଶା କାମୁଡିଥିବା ଜଣାପଡ଼େ ଓ ମଶା କାମୁଡିଥିବା ସ୍ଥାନ କୁଣ୍ଡାଇ ହୁଏ।

ମଶା କାମୁଡେ କାହିଁକି: ମଶା ମଣିଷର ରକ୍ତ ପିଇବା ଲାଗି କାମୁଡେ ବୋଲି ତ ସମସ୍ତେ ଜାଣନ୍ତି। ତେବେ ପ୍ରକୃତ କଥା ହେଲା ସବୁ ମଶା କାମୁଡନ୍ତି ନାହିଁ କେବଳ ମାଈ ମଶା କାମୁଡିଥାଏ। କାରଣ ମଣିଷ ରକ୍ତରେ ଥିବା ନ୍ୟୁଟ୍ରିଏଣ୍ଟ ମଶାର ଅଣ୍ଡା ତିଆରିରେ ସାହାଯ୍ୟ କରେ।

Share