ଏନ୍‌କାଉଣ୍ଟର କାହିଁକି

ନ୍ୟାୟିକ ବ୍ୟବସ୍ଥାର ଅନୁମତି ବିନା ହତ୍ୟା(ଏକ୍ସଟ୍ରା ଜୁଡିସିଆଲ କିଲିଂ) ବା ଏନ୍‌କାଉଣ୍ଟର ଭାରତରେ ଏକ ସାଧାରଣ ଘଟଣା। ବହୁ ସମୟରେ ଅଭିଯୁକ୍ତମାନେ ନ୍ୟାୟିକ ହେପାଜତରେ ଥିଲେ ବି ସେମାନଙ୍କୁ ହତ୍ୟା କରାଯାଏ। ଏମିତିକି ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଭିଯୁକ୍ତ ସୁରକ୍ଷା ଲାଗି ସୁପ୍ରିମ କୋର୍ଟରେ ପିଟିଶନ ଦାଏର କରିଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଉଛି। ଅଭିଯୁକ୍ତମାନଙ୍କୁ ସ୍ଥାନାନ୍ତର କରାଯାଉଥିବାବେଳେ ସେମାନଙ୍କ ହତ୍ୟା ଘଟଣାକୁ ଶୁଟିଂ କରାଯାଉଛି। ଏନ୍‌କାଉଣ୍ଟରକୁ ଯୁକ୍ତିଯୁକ୍ତ ମନେକରାଯାଉଥିବାରୁ ଏଭଳି କରାଯାଉଛି। ନ୍ୟାୟିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ଏବଂ ଦଣ୍ଡାଦେଶ ପାଇଁ ଅପେକ୍ଷା କରାଯାଇପାରିବ ନାହିଁ- ଏଭଳି ସିଦ୍ଧାନ୍ତ ଏନ୍‌କାଉଣ୍ଟର ପାଇଁ ପ୍ରୟୋଗ କରାଯାଉଛି। ଖରାପ ଦଣ୍ଡ ପାଇବା ପୂର୍ବରୁ ଦୋଷୀ ସାବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ଏବଂ ଆଇନ ବ୍ୟବସ୍ଥା ବାହାରୁ ସେମାନଙ୍କୁ ଗୁଳିକରି ହତ୍ୟା କରାଯିବା ବିଚାରରୁ ବି ଏନ୍‌କାଉଣ୍ଟର ଆସିଥାଇପାରେ। ୨୭ ଅଗଷ୍ଟ ୨୦୧୩ରେ ଲୋକ ସଭା ସଦସ୍ୟ ଗୁରୁଦାସ ଦାସଗୁପ୍ତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ କିଛି ପ୍ରଶ୍ନ ପଚାରିଥିଲେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ ଏନ୍‌. ସନ୍ତୋଷ ହେଗ୍‌ଡେଙ୍କ ନେତୃତ୍ୱରେ ଗଠିତ ଆୟୋଗର ନିଷ୍କର୍ଷରେ ମଣିପୁରର ୬ଟି ପୃଥକ୍‌ ଘଟଣାରେ ୭ଜଣଙ୍କ ଏନ୍‌କାଉଣ୍ଟର ନକଲି ଥିବା ବିଷୟ ଭାରତ ସରକାର ଅବଗତ ଅଛନ୍ତି କି ନାହିଁ ସେ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ଆଉ ଏକ ପ୍ରଶ୍ନ ଥିଲା, ମଣିପୁରରେ ସମସ୍ତ ଏନ୍‌କାଉଣ୍ଟରର ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ ଦାବି କରିଛନ୍ତି କି ନାହିଁ। ସରକାର ଉତ୍ତର ଦେଇଥିଲେ ଯେ, ହେଗ୍‌ଡେ କମିଶନଙ୍କ ନିଷ୍କର୍ଷ ବିଷୟରେ ସରକାର ଅବଗତ ଅଛନ୍ତି, କିନ୍ତୁ ଏନ୍‌ଏଚ୍‌ଆର୍‌ସି ତଦନ୍ତ ଦାବି କରି ନ ଥିବାରୁ ସରକାର ଏହା ଉପରେ କିଛି କରିପାରିଲେ ନାହିଁ। ୨୪ ନଭେମ୍ବର ୨୦୧୨ରେ ପୂର୍ବତନ ବିଚାରପତି ହେଗ୍‌ଡେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଜେ.ଏମ୍‌. ଲିଙ୍ଗ୍‌ଡୋ ଏବଂ କର୍ନାଟକର ପୂର୍ବତନ ଡିଜିପି ଅଜୟ କୁମାର ସିଂଙ୍କୁ ନେଇ ସୁପ୍ରିମକୋର୍ଟ ଏକ ୩ ଜଣିଆ କମିଶନ ଗଠନ କରିଥିଲେ। ୧୯୭୯ ରୁ ୨୦୧୨ ମଧ୍ୟରେ ମଣିପୁରରେ ମଣିପୁର ପୋଲିସ ଓ ସୁରକ୍ଷା ବଳ ଦ୍ୱାରା କରାଯାଇଥିବା ୧୫୨୮ ଏନ୍‌କାଉଣ୍ଟର ଉପରେ ଅନୁଧ୍ୟାନ କରିବାର ଦାୟିତ୍ୱ ଏହି କମିଶନ ନେଇଥିଲେ। ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିବା ପୀଡ଼ିତ ପରିବାର ସଂଘ (ଇଇଭିଏଫ୍‌ଏଏମ୍‌) ଏକ ପିଟିଶନ ଦାଏର କରିବା ପରେ ସମ୍ପୂର୍ଣ୍ଣ ବିଷୟ ସାମ୍ନାକୁ ଆସିଥିଲା। କମିଶନ ୧୫୨୮ଟି ହତ୍ୟାକାଣ୍ଡରୁ ପ୍ରଥମ ୬ଟିକୁ ତଦନ୍ତ ପରିସରକୁ ନେଇଥିଲା ଏବଂ ୨୦୧୩ ସୁଦ୍ଧା ସମସ୍ତ ଏନ୍‌କାଉଣ୍ଟର ନକଲି ବୋଲି ଜଣାପଡ଼ିଥିଲା। ହତ୍ୟାକାରୀମାନେ ଆର୍ମଡ ଫୋର୍ସେସ୍‌ ସ୍ପେଶିଆଲ ପାଓ୍ବାର ଆକ୍ଟ (ଏଏଫ୍‌ଏସ୍‌ପିଏ) ଦ୍ୱାରା ସୁରକ୍ଷିତ ଥିବାରୁ ଅଭିଯୁକ୍ତଙ୍କୁ ହତ୍ୟା କରିଥିଲେ। କେବଳ ଉତ୍ତରପୂର୍ବାଞ୍ଚଳ ଏବଂ କଶ୍ମୀର ନୁହେଁ ଅନ୍ୟ ସ୍ଥାନରେ ବି ଏନ୍‌କାଉଣ୍ଟର ହେଉଛି।
ମଣିପୁର ଏବେ ଅନ୍ୟ କାରଣ ପାଇଁ ପୁଣିଥରେ ବିଶ୍ୱସ୍ତରରେ ଖବର ପାଲଟିଛି। ଏଠାରେ ଏନ୍‌କାଉଣ୍ଟର ହତ୍ୟା ଘଟଣା ଘଟୁଛି, ଯେଉଁଥିରୁ ଆମ ଭଳି ନାଗରିକମାନେ ଦୂରେଇ ରହିଛୁ। ବିଶେଷକରି ମଣିପୁରରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ଏ ପ୍ରକାର ହତ୍ୟାର ବାସ୍ତବତା ରହିଛି ବୋଲି ସରକାର ଲୋକ ସଭାରେ ସ୍ବୀକାର କରିବା ପରେ ଭାରତରେ ବ୍ୟବସ୍ଥାରେ କ’ଣ ଘଟୁଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଦୁର୍ଭାଗ୍ୟବଶତଃ, ଦେଶରେ ଏନ୍‌କାଉଣ୍ଟର ପୂର୍ବଭଳି ଚାଲିଛି। ସାମାଜିକ ସ୍ତରରେ ଏଭଳି ହତ୍ୟାକାଣ୍ଡ ବିରୋଧରେ ଅଧିକ ନକାରାମତ୍କ ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ଦେଖାଯାଏ, ସାମାଜିକ ସ୍ତରରେ ‘ଭଲ’ ଏବଂ ‘ଖରାପ’ ଲୋକ ଧାରଣା ଥିବାରୁ ଓ ଏହା ଗ୍ରହଣୀୟ ହେଉଥିବାରୁ ଏପରି ପଦ୍ଧତିର ବ୍ୟବହାରକୁ ଅନୁମତି ମିଳୁଛି। ଏନ୍‌କାଉଣ୍ଟର ଘଟଣାଗୁଡ଼ିକ ବି ଗଣମାଧ୍ୟମରେ ପ୍ରକାଶ ପାଇଥାଏ, ଯେଉଁଠାରେ ହତ୍ୟା ପାଇଁ ବ୍ୟବସ୍ଥାକୁ ଦାୟୀ କରିବା ମୁଖ୍ୟ ପ୍ରସଙ୍ଗ ହୁଏ ନାହିଁ କି ଏ ବିଷୟରେ ଦୃଢ଼ ସ୍ବର ଉଠେନାହିଁ। ନାଗରିକ ସମାଜ ପକ୍ଷରୁ ସେଭଳି ନକାରାମତ୍କ ପ୍ରତିକ୍ରିୟା ପ୍ରକାଶ ପାଉନାହିଁ। ଏଣୁ ଏହିସବୁ କାରଣରୁ ସରକାର ଯାହା କରୁଛନ୍ତି ତାହା ଆଗକୁ ଜାରି ରଖିବେ। ଏହି ପ୍ରସଙ୍ଗରେ ନ୍ୟାୟପାଳିକା କିଛି ଆଗ୍ରହ ଦେଖାଇଥିଲେ ମଧ୍ୟ ଅତୀତ କିମ୍ବା ଏବକାର ଏନ୍‌କାଉଣ୍ଟର ଘଟଣା ଉପରେ ସରକାରଙ୍କୁ ଦାୟୀ କରିନାହିଁ। ଏଥିରୁ ବୁଝାପଡ଼ିଛି, ଭାରତରେ ଏନ୍‌କାଉଣ୍ଟର ଏକ ସାଧାରଣ ଘଟଣା ହୋଇଯାଇଛି। ଯେ ପର୍ଯ୍ୟନ୍ତ ଏହାକୁ ନେଇ ଅନ୍ୟମାନେ ଚିନ୍ତାପ୍ରକଟ କରିନାହାନ୍ତି, ସେଯାଏ ଏହା ଏକ ସମସ୍ୟା ଭାବେ ବିବେଚିତ ହୋଇପାରିବ ନାହିଁ। ତେବେ ଚଳିତ ମାସରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଏଭଳି ଘଟଣା କଥା ଉଠିଛି। ଅନ୍ୟ ଦେଶରେ ଏକ ଏନ୍‌କାଉଣ୍ଟର ଅଭିଯୋଗ ଭାରତ ସରକାରଙ୍କ ବିରୋଧରେ ଆସିଛି। ଏଯାବତ୍‌ ଏହା ଉପରେ କୌଣସି ପ୍ରମାଣ ସାମ୍ନାକୁ ଆସିନାହିଁ। ତେବେ ସବୁବେଳେ ଆମେ ଯେଭଳି ନିର୍ଦ୍ଦୋଷର ଆଭିମୁଖ୍ୟ ଗ୍ରହଣ କରୁ ଏବେ ସେଭଳି କରିବାକୁ ପଡ଼ିବ ଏବଂ ଆଶା କରିବା, ସବୁ ଅଭିଯୋଗ ଅସତ୍ୟ ହେଉ। କିନ୍ତୁ ଆମ ଦେଶ ଭିତରେ ସ୍ଥିତି କ’ଣ ତାହା ଉପରେ ବିଚାର କରିବା ଦରକାର। ଏହି ସମସ୍ୟା ଏବେ ଦେଶରେ ବୃଦ୍ଧିପାଇଛି ଓ ନିୟମିତ ଦେଖାଯାଉଛି। ଏକ ଓପଚାରିକ ବ୍ୟବସ୍ଥା ଥିବାବେଳେ ସମାନ୍ତରାଳ ଭାବେ ଏକ ଅନୌପଚାରିକ ତଥା ନିଷ୍ଠୁର ନ୍ୟାୟ ବ୍ୟବସ୍ଥା ଚାଲିଛି ଏବଂ ଓପଚାରିକ ଭାବେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ତୁଳନାରେ ଏହା ଅଭିଯୁକ୍ତଙ୍କୁ ଅନେକ ଗୁଣ ଅଧିକ ମୃତ୍ୟୁଦଣ୍ଡ ଦେଉଛି। ଗତ ବର୍ଷ ଦି ହିନ୍ଦୁ ଫ୍ରଣ୍ଟଲାଇନ ପତ୍ରିକାର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ୨୦୧୬ରୁ ୨୦୨୨ ମଧ୍ୟରେ ୮୦୦ରୁ ଅଧିକ ଏନ୍‌କାଉଣ୍ଟର ହତ୍ୟା ରେକର୍ଡ କରାଯାଇଛି। ଏହି ସମାନ ଅବଧିରେ ଓପଚାରିକ ଭାବେ ଦୋଷୀ ସାବ୍ୟସ୍ତ ହେବା ପରେ ଫାଶୀ ପାଇଥିବା ଲୋକଙ୍କ ସଂଖ୍ୟା ୫ ଥିଲା।
ଆମକୁ ଆମ କଥା ବୁଝିବା ବା ପାଖରୁ ନିରୀକ୍ଷଣ କରିବା ଲାଗି ବାହ୍ୟ ଚାପକୁ ଗ୍ରହଣ କରାଯିବା ଉଚିତ ନୁହେଁ। କିନ୍ତୁ ଭାରତରେ ବିଷୟଗୁଡ଼ିକ ବହୁ ସମୟରେ ସେହିପରି ଚାଲିଥିବା ମନେହେଉଛି। ମଣିପୁରରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇ ମାର୍ଚ୍ଚ ୨୦୧୨ରେ ଭାରତ ଗସ୍ତରେ ଆସିଥିବା ଜାତିସଂଘର ସ୍ବତନ୍ତ୍ର ରିପୋର୍ଟର ଖ୍ରୀଷ୍ଟୋଫ ହେନ୍ସଙ୍କୁ ଦିଆଯାଇଥିଲା। ଆମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଏହାର ଆବଶ୍ୟକତା ଥିଲା କି?

  • ଆକାର ପଟେଲ

Email:aakar.patel@gmail.com