ଶ୍ରମିକଙ୍କୁ ଉପେକ୍ଷା କାହିଁକି

ଡ. ଅସୀମା ସାହୁ

 

ଆମ ଦେଶର ଅର୍ଥନୀତି ଶ୍ରମିକଙ୍କ ଶ୍ରମଦାନ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ। ସେନ୍‌ସସ୍‌ ଆଣ୍ଡ ଇକୋନମିକ୍‌ ଇନ୍‌ଫର୍‌ମେଶନ୍‌ ସେଣ୍ଟରର ୨୦୨୦ ରିପୋର୍ଟ ଅନୁସାରେ ଭାରତରେ ପାଖାପାଖି ୫୦ କୋଟି ୧୦ ଲକ୍ଷ ଶ୍ରମିକ ଅଛନ୍ତି। ସେଥିରୁ ୯୪ ଶତକଡ଼ା ଅସଙ୍ଗଠିତ ଶ୍ରମିକ ଥିବାବେଳେ ମାତ୍ର ୬ ଶତକଡ଼ା ହେଲେ ସଙ୍ଗଠିତ ଶ୍ରମିକ। ବିଡ଼ମ୍ବନା ଏତିକି ଯେ, ଶିକ୍ଷା, ସ୍ବାସ୍ଥ୍ୟବୀମା, ଖାଦ୍ୟ ସୁରକ୍ଷା, କୌଶଳ, ପେନ୍‌ସନ, ପିଏଫ୍‌ ତଥା ଜବ୍‌ ସିକ୍ୟୁରିଟି ବା ଚାକିରି ସୁରକ୍ଷା ଆଦି ସାମାଜିକ ସୁରକ୍ଷାଗୁଡ଼ିକର ସୁବିଧା ଏଇ ସ୍ବଳ୍ପ ସଙ୍ଗଠିତ ଶ୍ରମିକମାନେ ପାଉଛନ୍ତି। ଅଥଚ ବିଶାଳ ଅସଙ୍ଗଠିତ ଶ୍ରମିକ ସର୍ବନମ୍ନ ଜୀବନଧାରଣର ସୁବିଧା ସୁଯୋଗରୁ ଆଜି ମଧ୍ୟ ବଞ୍ଚିତ। କରୋନା ମହାମାରୀ ପାଇଁ ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ହରାଇ ଘରକୁ ଫେରିଛନ୍ତି। ପ୍ରବାସୀଙ୍କ କର୍ମନିଯୁକ୍ତି ଚାହିଦା ବୃଦ୍ଧି ପାଉଛି। କୃଷି କ୍ଷେତ୍ରରେ ପ୍ରବଳ ଶ୍ରମ ଯୋଗାଣର ଚାପ ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି। କୋଭିଡ୍‌ ପରବର୍ତ୍ତୀ ଅର୍ଥନୈତିକ ସଙ୍କୋଚନ ସମୟରେ ଆଗତ ହୋଇଥିବା କେନ୍ଦ୍ର ବଜେଟ ୨୦୨୧-୨୨ରେ ମଧ୍ୟ ଅଣସଙ୍ଗଠିତ ଏଇ ବିଶାଳ ଶ୍ରମଶକ୍ତିକୁ ଅବହେଳା କରିବା ଅର୍ଥନୀତିଜ୍ଞଙ୍କୁ ନିରାଶ କରିଛି।
ଆଶ୍ଚର୍ଯ୍ୟର କଥା ହେଲା, ଲକ୍‌ଡାଉନ୍‌ ସମୟରେ ନିଯୁକ୍ତି ସଂକ୍ରାନ୍ତୀୟ ଗବେଷଣା କଲାବେଳେ ଅସଙ୍ଗଠିତ ଶ୍ରମିକଙ୍କ ବାବଦରେ କୌଣସି ତଥ୍ୟ ସଂଗ୍ରହ ହୋଇ ନ ଥିବା ଭଳି ବିଷମ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା। ଏପରି କି ସଂସଦରେ ସରକାର ସ୍ବୀକାର କଲେ ଯେ, କୋଭିଡ୍‌ ସମୟରେ କେତେ ଲୋକ କର୍ମସଂସ୍ଥାନ ହରାଇ ନିଜ ଗାଁକୁ ଲେଉଟି ଥିଲେ ତାହାର ହିସାବ ତାଙ୍କ ପାଖରେ ନାହିଁ। ଅଥଚ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏଇ ଶ୍ରମିକମାନଙ୍କର ଅବଦାନ ଅତୁଳନୀୟ। ଅବଶ୍ୟ ଚଳିତ ୨୦୨୧-୨୨ ବଜେଟରେ ଅସଙ୍ଗଠିତ ଶ୍ରମିକମାନଙ୍କର ଏକ ଜାତୀୟ ଡାଟା ବେସ୍‌ର ପ୍ରସ୍ତୁତି ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗିଗ୍‌ ବା ନିର୍ମାଣ ଶ୍ରମିକଙ୍କ ପାଇଁ ନୂଆ ପୋର୍ଟାଲ୍‌ ବ୍ୟବସ୍ଥା କଥା କୁହାଯାଇଛି। ଏହା ଦ୍ୱାରା ସ୍ବାସ୍ଥ୍ୟ, ବାସଗୃହ, କୌଶଳ, ବୀମା ଋଣ ଏବଂ ଖାଦ୍ୟ ନିରାପତ୍ତା ବାବଦରେ ଯୋଜନା ପ୍ରଣୟନ କରାଯାଇପାରିବ। ହେଲେ ଏପରି ପୋର୍ଟାଲ୍‌ କେତେଦୂର ସକ୍ଷମ ହୋଇପାରିବ ତାହା ସମୟ ସାପେକ୍ଷ। ଗିଗ୍‌ ଏବଂ ପ୍ଲାଟଫର୍ମ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଭାରତରେ ଏକ ଯୋଜନା ପ୍ରଚଳିତ ହୋଇଛି। ସାରା ବିଶ୍ୱରେ ଏପରି ଯୋଜନା ପ୍ରଥମ ବୋଲି ଦାବି କରାଯାଉଛି। ମାତ୍ର ବାସ୍ତବ କ୍ଷେତ୍ରରେ ୨୦୧୯ ଓ ୨୦୨୦ରେ ସଂସଦରେ କିଛି ଲେବର୍‌ କୋଡ୍‌ ପାସ୍‌ ହୋଇଥିଲା; ଯାହା କି ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଓ ସାର୍ବଜନୀନ ମଜୁରି ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ଦାବି କରାଯାଉଥିବା ଚଳିତ ଯୋଜନାରେ ସେସବୁ ସୁରକ୍ଷା କୋଡ୍‌ର ଏହା ଏକ ପୁନରାବୃତ୍ତି ମାତ୍ର। କାରଣ ଏଥିପାଇଁ କୌଣସି ବ୍ୟୟ ବରାଦ କରାଯାଇ ନାହିଁ। ଏହା କେବଳ ଏକ ମାର୍ଗଦର୍ଶକ ରୂପେ କାର୍ଯ୍ୟ କରିବ। ଗିଗ୍‌ ଶ୍ରମିକଙ୍କୁ ନିଯୁକ୍ତି ଦେଉଥିବା କମ୍ପାନୀ ତାଙ୍କ ବାର୍ଷିକ ବ୍ୟବସାୟର ୧ରୁ ୨ ଶତକଡ଼ା ଏହି ସାମାଜିକ ସୁରକ୍ଷା ପାଣ୍ଠିକୁ ପ୍ରଦାନ କରିବେ। କେନ୍ଦ୍ର ତଥା ରାଜ୍ୟ ସରକାର ମଧ୍ୟ ଏହି ପାଣ୍ଠିରେ ଅନୁଦାନ ଦେବେ। ଅସୁବିଧାଟି ହେଲା, ଏହି କୋଡ୍‌ରେ ପ୍ଲାଟ୍‌ଫର୍ମ, ଗିଗ୍‌ କିମ୍ବା ଅସଙ୍ଗଠିତ ଶ୍ରମିକଙ୍କର ସଂଜ୍ଞାକୁ ଆଦୌ ନିରୂପଣ କରାଯାଇନାହିଁ। ତେଣୁ ହିତାଧିକାରୀ ଚିହ୍ନଟ ନ ହେବା କାରଣରୁ ଯୋଜନାଟି ଏକ ପ୍ରହସନରେ ପରିଣତ ହେବା ଅସମ୍ଭବ ନୁହେଁ।
ଚଳିତ ବଜେଟରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପାଇଁ ୧୩,୩୦୬.୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି; ଯାହା କି ୨୦୨୦-୨୧ ବଜେଟ ତୁଳନାରେ ୪୧୩ କୋଟି ଟଙ୍କା କମ୍‌। ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ପ୍ରଚଳିତ ବିଭିନ୍ନ ସ୍କିମ୍‌ ନିମନ୍ତେ ୧୧ ହଜାର ୧୦୪ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଏହା ମଧ୍ୟ ଗତବର୍ଷ ତୁଳନାରେ ୩.୪ ଶତକଡ଼ା କମ୍‌। ଆଶା କରାଯାଉଥିଲା ସରକାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ପାଇଁ ଅଧିକ ଧ୍ୟାନ ଦେବେ। ମାତ୍ର ସେପରି କୌଣସି ସମ୍ଭାବନା ପରିଲକ୍ଷିତ ହେଲା ନାହିଁ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କର ବଜେଟ ଭାଷଣରେ ଟେକ୍ସଟାଇଲ୍‌, ଜାହାଜ ଚଳାଚଳ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରରେ ବିଭିନ୍ନ ସ୍କିମ୍‌ ଘୋଷଣା କରି ବୃହତ୍‌ ନିଯୁକ୍ତି ସମ୍ଭାବନାର ପ୍ରତିଶ୍ରୁତି ଦେଲେ। ଆସନ୍ତା ତିନିବର୍ଷରେ ୭ଟି ବୃହତ୍‌ ଟେକ୍ସଟାଇଲ୍‌ ପାର୍କ ବା ମେଗା ଇନ୍‌ଭେଷ୍ଟମେଣ୍ଟ ଟେକ୍ସଟାଇଲ୍‌ ପାର୍କ/ମିତ୍ରା ପ୍ରତିଷ୍ଠା ପାଇଁ ଘୋଷଣା କରାଗଲା। ନିଯୁକ୍ତି ପାଇଁ ଏପରି ‘ଶ୍ରମ ସଘନ’ ସ୍କିମ୍‌ ନିଶ୍ଚିତ ଭାବରେ ଏକ ସୁଖବର। ଅର୍ଥାତ୍‌ ଏଠାରେ ନିଯୁକ୍ତିର ସମ୍ଭାବନା ଅଧିକ। ମାତ୍ର ଏଥିରେ ହୋଇଥିବା ବ୍ୟୟବରାଦ ଅତ୍ୟନ୍ତ ସ୍ବଳ୍ପ। ସଡ଼କ ପରିବହନ ଏବଂ ରାଜପଥ ଓ ଅର୍ଥନୈତିକ କରିଡର ଏବଂ ଜାତୀୟ ରାଜପଥ ପାଇଁ ୧ ଲକ୍ଷ ୮ ହଜାର ୨୩୦ କୋଟି ଟଙ୍କା ବ୍ୟୟବରାଦ କରାଗଲା। ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବା ପାଇଁ ସରକାରୀ/ ବେସରକାରୀ ସହଯୋଗିତା ଢାଞ୍ଚାରେ ୧୮ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଗଲା। ଏ ସମସ୍ତ ସ୍କିମ୍‌ ଏବଂ ପଦକ୍ଷେପ ନିଶ୍ଚିତ ଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। କିନ୍ତୁ ତାହା ଏତେ ଶୀଘ୍ର ସମ୍ଭବ ନୁହେଁ। ଏପରି ବିଳମ୍ବିତ ପ୍ରକ୍ରିୟାରେ ଏବେର ବେକାର ଶ୍ରମିକ କରିବେ କ’ଣ? ତୁରନ୍ତ ନିଯୁକ୍ତିର ଆଶା କ୍ଷୀଣ ଲାଗୁଛି। ସେହିପରି ବୃହତ୍‌ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ‘ପୁଞ୍ଜି ସଘନ’। ଏଥିରେ ମେଶିନ୍‌ର ବହୁଳ ବ୍ୟବହାର ହୁଏ। ଅଧିକ ଶ୍ରମିକଶକ୍ତି ଅନାବଶ୍ୟକ। ଚଳିତ ବଜେଟରେ ପୁଞ୍ଜି ସଘନ ଉତ୍ପାଦନ ପାଇଁ ବିପୁଳ ବ୍ୟୟ ବରାଦ କରାଯାଇଛି।
ଏବେ ଆସନ୍ତୁ ଏମ୍‌ଏସ୍‌ଏମ୍‌ଇ ବା ‘ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ’ର କଥା ବିଚାର କରିବା। ଦେଶର ଅସଙ୍ଗଠିତ ଶ୍ରମ ଶକ୍ତିର ଶତକଡ଼ା ୪୦ ଭାଗ ଏମ୍‌ଏସ୍‌ଏମ୍‌ଇରେ ନିଯୁକ୍ତି ପାଇଥାନ୍ତି। ଲକ୍‌ଡାଉନ କାରଣରୁ ଏସବୁ ଉଦ୍ୟୋଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କିଛି ଦେବାଳିଆ ହୋଇଯାଇଛନ୍ତି। ଏମ୍‌ଏସ୍‌ଏମ୍‌ଇ ପାଇଁ ଚଳିତ ବଜେଟରେ ଦିଆଯାଇଥିବା ସହାୟତା ରାଶି ସମୁଦ୍ରକୁ ଶଙ୍ଖେ ପାଣି ଭଳି। ଗତବର୍ଷ ବଜେଟ ଅନୁସାରେ ବ୍ୟୟ ହୋଇଥିବା ୭ ହଜାର ୫୭୨ କୋଟି ଟଙ୍କାକୁ ପାଖାପାଖି ୨ଗୁଣିତ କରି ୧୫ ହଜାର ୭ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାର ୬୪ ଭାଗ ଏମ୍‌ଏସ୍‌ଏମ୍‌ଇ ଜରୁରୀ ଋଣ ରେଖା ବା ଏମରଜେନ୍ସି କ୍ରେଡିଟ୍‌ ଲାଇନକୁ ସୁନିଶ୍ଚିତ କରିବା ପାଇଁ ଖର୍ଚ୍ଚ ହେବ। ଏଥିରେ ପଞ୍ଜୀକୃତ ବ୍ୟବସାୟୀ, ଉଦ୍ୟୋଗ, ବ୍ୟକ୍ତିଗତ ଉଦ୍ୟୋଗ ଏବଂ ମୁଦ୍ରାଋଣ ନିମନ୍ତେ ବନ୍ଧକ ଶୂନ୍ୟ ଋଣ ଦେବାର ବ୍ୟବସ୍ଥା ରହିଛି। ମାତ୍ର ମୂଳ ଅସୁବିଧାଟି ହେଲା ଅଧିକାଂଶ ଶ୍ରମିକ ବା ଉଦ୍ୟୋଗ ଆଜିଯାଏ ପଞ୍ଜୀକୃତ ହୋଇ ନାହାନ୍ତି। ତେଣୁ ସେମାନେ ନିଶ୍ଚିତ ଋଣ ପାଇବାରୁ ବଞ୍ଚତ୍ତ ହେବେ।
ଗ୍ରାମୀଣ ଶ୍ରମିକ ପରିବାର କଥା ବିଚାର କଲେ ଜଣାଯାଏ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ବର୍ଷରେ ୧୦୦ ଦିନ ସୁନିଶ୍ଚିତ ନିଯୁକ୍ତି ଦେବା ପାଇଁ ପ୍ରଚଳିତ ଯୋଜନାରେ ୧୪ କୋଟି ୪୦ ଲକ୍ଷ ଶ୍ରମିକ ନିଯୁକ୍ତି ପାଇଥାନ୍ତି। ଲକ୍‌ଡାଉନ୍‌ ସମୟରେ ଅନେକ ପ୍ରବାସୀ ନିଜ ନିଜ ଗାଁକୁ ଫେରିଆସି ଏହି ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାର ସୁବିଧା ନେବା ପାଇଁ ଦରଖାସ୍ତ ପ୍ରଦାନ କରିଥିଲେ। ଇଣ୍ଡିଆ ସ୍ପେଣ୍ଡର ତଥ୍ୟ ଅନୁଯାୟୀ ୯୭ଲକ୍ଷ ପରିବାରଙ୍କୁ ସେ ସମୟରେ ଏମ୍‌ଜିଏନ୍‌ଆର୍‌ଇଜିଏରେ ନିଯୁକ୍ତି ମିଳି ନ ଥିଲା। ଏ ପରିସ୍ଥିତିରେ ଜୁନ୍‌ ୨୦୨୦ରେ ଏମ୍‌ଜିଏନ୍‌ଆର୍‌ଇଜିଏ ପାଇଁ ସେ ବର୍ଷର ମୂଳ ବଜେଟର ବ୍ୟୟବରାଦ ସହ ସଂଶୋଧିତ ବଜେଟରେ ରେକର୍ଡ ୬୧ ହଜାର ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଗଲା। ଅର୍ଥାତ୍‌ ଗତବର୍ଷ ସମୁଦାୟ ୧ ଲକ୍ଷ ୧୧ ହଜାର ୫୦୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା। ଏ ବର୍ଷ ଏଥିପାଇଁ ୭୩ ହଜାର କୋଟି ଟଙ୍କା ରଖାଯାଇଛି। ଅର୍ଥାତ୍‌ ପୂର୍ବାପେକ୍ଷା ୩୫ ଶତକଡ଼ା କମ୍‌। କୋଭିଡ୍‌ର କଳାଛାଇ ହଟି ନାହିଁ। ଗ୍ରାମାଞ୍ଚଳରେ ଶ୍ରମ ବଜାର ଚାପଗ୍ରସ୍ତ ଅବସ୍ଥାରେ ଅଛି। ସେ ଅବସ୍ଥାରେ ଏମ୍‌ଜିଏନ୍‌ଆର୍‌ଇଜିଏ ପାଇଁ ବ୍ୟୟ ହ୍ରାସ କରିବା ଉଚିତ ହୋଇନାହିଁ। ସେପରି ଦେଖିବାକୁ ଗଲେ ଗତବର୍ଷ ଏମ୍‌ଜିଏନ୍‌ଆର୍‌ଇଜିଏ ପାଇଁ ହୋଇଥିବା ପରିବର୍ଦ୍ଧିତ ବ୍ୟୟବରାଦ ଦେଶର ସମସ୍ତ ଜବ୍‌କାର୍ଡଧାରୀ ପରିବାରଗୁଡ଼ିକୁ ବର୍ଷର ୧୦୦ ଦିନ ନିଯୁକ୍ତି ଦେବା ପାଇଁ ଯଥେଷ୍ଟ ନ ଥିଲା।
ସେଣ୍ଟର ଫର୍‌ ମନିଟରିଙ୍ଗ ଇଣ୍ଡିଆନ ଇକୋନମିର ସମୀକ୍ଷା ଅନୁସାରେ ୨୦୧୯ ଆର୍ଥିକ ବର୍ଷ ଅପେକ୍ଷା ୨୦୨୦ରେ ଭାରତର କୃଷିକ୍ଷେତ୍ରରେ ଅସ୍ବାଭାବିକ ଭାବେ ଅଧିକ କର୍ମ ନିଯୁକ୍ତି ହୋଇଥିଲା। ପୂର୍ବବର୍ଷ ଅପେକ୍ଷା ତାହା ୩.୫ ଶତକଡ଼ା ଅଧିକ ଥିଲା। କାରଣ ସହରାଞ୍ଚଳର ଅଣକୃଷିକ୍ଷେତ୍ରର ନିଯୁକ୍ତି ମହାମାରୀ କାରଣରୁ ହ୍ରାସ ପାଇଥିଲା। ତେଣୁ ଆଶା କରାଯାଉଥିଲା କି ସହରାଞ୍ଚଳରେ ମଧ୍ୟ ମନରେଗା ଅନୁରୂପ କିଛି କାର୍ଯ୍ୟକ୍ରମ କରିବା ପାଇଁ ବଜେଟରେ ବ୍ୟୟବରାଦର ବ୍ୟବସ୍ଥା ରହିବ। ଏହାଦ୍ୱାରା କୃଷି କ୍ଷେତ୍ର ଅସ୍ବାଭାବିକ ଶ୍ରମ ଚାପରୁ ମୁକ୍ତ ହେବ। ମାତ୍ର ତାହା ହେଲା ନାହିଁ। ତେଣୁ ସହରାଞ୍ଚଳରେ ନିଶ୍ଚିତ ରୋଜଗାର ସୃଷ୍ଟି କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରାଯାଇଛି। ଅବଶ୍ୟ ଓଡ଼ିଶା, ହିମାଚଳପ୍ରଦେଶ, ଝାଡ଼ଖଣ୍ଡ ତଥା କେରଳରେ ଏମ୍‌ଜିଏନ୍‌ଆର୍‌ଇଜିଏ ଅନୁରୂପ କର୍ମନିଯୁକ୍ତି ଯୋଜନା ସହରାଞ୍ଚଳରେ ରାଜ୍ୟଗୁଡ଼ିକ ଦ୍ୱାରା ଲାଗୁ କରାଯିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।
ଅସଙ୍ଗଠିତ ଶ୍ରମିକ ପ୍ରତିଦିନ ଚିନ୍ତା ଓ ଆହ୍ବାନରେ ଜୀବିକାର୍ଜନ କରିବା ନିଶ୍ଚିତ ଏକ ଅର୍ଥନୀତି ପ୍ରତି ଉଦ୍‌ବେଗର ବିଷୟ। ପଞ୍ଜୀକୃତ ହୋଇ ନ ଥିବା କାରଣରୁ ଭାରତୀୟ ‘ଲେବର-ଲ’ ବା ଶ୍ରମ ଆଇନ ସେମାନଙ୍କୁ ନିଜ ପରିସରଭୁକ୍ତ କରିପାରୁ ନାହିଁ। ନିଯୁକ୍ତିଦାତାଙ୍କ ଶୋଷଣ, ମନମୁଖି କାର୍ଯ୍ୟକଳାପ ସହ ବୀମା, ପେନ୍‌ସନ, ପିଏଫ ଓ ଜବ୍‌ ସିକ୍ୟୁରିଟିର ଅଭାବ ଦ୍ୱାରା ସେମାନେ ମାନସିକ ଚାପର ଶିକାର ହେଉଛନ୍ତି। ତେଣୁ ଅସଙ୍ଗତି ଦୂରୀକରଣ ପାଇଁ ଉଭୟ କେନ୍ଦ୍ର ତଥା ରାଜ୍ୟର ମିଳିତ ପ୍ରୟାସ ଓ ପ୍ରୋତ୍ସାହନର ଆବଶ୍ୟକତା ଉପଲବ୍ଧି ହୁଏ। ନୀତି ପ୍ରଣୟନ ବା ବଜେଟ ଉପସ୍ଥାପନ ବେଳେ ଆମ ଶ୍ରମିକ ଭାଇମାନଙ୍କର ମୌଳିକ ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦେବା ସହ ପଞ୍ଜୀକରଣ ପାଇଁ ନିଷ୍ଠାପର ଉଦ୍ୟମ କଲେ ଭଲ ହୁଅନ୍ତା।
ମଧୁବନ, ବାରିପଦା,
ମୟୂରଭଞ୍ଜ, ମୋ: ୯୪୩୭୩୮୦୭୭୦


Enter your email to get our daily news in your inbox.

All Right Reserved By Dharitri.Com

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ...

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା...

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ...

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri