ଲୋକଙ୍କ ପାଖକୁ ଯାଇ ସମସ୍ୟା ସମାଧାନକୁ ବିରୋଧ କାହିଁକି: ବିଜେଡି

ଭୁବନେଶ୍ୱର,୫।୭(ଅନିଲ ଦାସ): ଭୁବନେଶ୍ୱରରେ ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଗାଁ ଗହଳିରେ ରହୁଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଭଲ ନୁହେଁ କି? କାହିଁକି କିଛି ଲୋକ ଏଭଳି ପଦକ୍ଷେପ ଉପରେ କ୍ରୋଧିତ ଏବଂ ଈର୍ଷାନ୍ବିତ ହେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି।
ବିଜେଡି ମୁଖପାତ୍ର ଈପ୍ସିତା ସାହୁ ମଙ୍ଗଳବାର ଖବରଦାତା ସମ୍ମିଳନୀରେ କହିଛନ୍ତି, ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ସେମାନଙ୍କ ଦୁଆର ମୁହଁକୁ ନେବାକୁ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଠାଇଛନ୍ତି। ଏଭଳି ପଦକ୍ଷେପ ଯୋଗୁ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୁର ଏବଂ ଅନ୍ୟାନ୍ୟ ଜିଲାର ହଜାର ହଜାର ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ।
ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ଶାସନ କରିବାକୁ ଅଭ୍ୟସ୍ତ ଲୋକମାନେ ଏହି ଅଭିନବ ପଦକ୍ଷେପକୁ ବୁଝିପାରିବେ ନାହିଁ। ମାଲକାନଗିରିର ଲୋକମାନେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସି ସେମାନଙ୍କ ଅଭିଯୋଗ ଜଣାଇବା ସମ୍ଭବ ନୁହେଁ। ଯେଉଁମାନେ ରାଜନୀତିରେ ନବାଗତ ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ନୁହନ୍ତି ସେମାନେ ଏହା ବୁଝିପାରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟକୁ ଯାଇ ସେମାନଙ୍କୁ ଭେଟିବା, ସେମାନଙ୍କ ସମସ୍ୟାକୁ ଶୁଣିବା ଏବଂ ସମାଧାନ କରିବାକୁ ପୃଥିବୀର କୌଣସି ଶକ୍ତି ଅଟକାଇପାରିବ ନାହିଁ ବୋଲି ଈପ୍ସିତା କହିଛନ୍ତି।

Share