Categories: ଜାତୀୟ

ସବୁବେଳେ ସୋନିଆଙ୍କୁ ସାକ୍ଷାତ୍‌ କରିବା କ’ଣ ଜରୁରୀ, ଦିଦିଙ୍କ ପ୍ରଶ୍ନ…

କୋଲକାତା,୨୫।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟସ୍ତରରେ ତାଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସ)କୁ ବିସ୍ତାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥି ଲାଗି ଅନ୍ୟ ଦଳର ନେତାମାନଙ୍କୁ ବାଡ଼ ଡିଆଁଇବା କାମ ସେ ଆରମ୍ଭ କରିଛନ୍ତି ଏବଂ ଏଥିରେ ଦିଦିଙ୍କୁ ସଫଳତା ମଧ୍ୟ ମିଳୁଥିବା ଜଣାପଡିଛି। ମଙ୍ଗଳବାର କଂଗ୍ରେସ ନେତା କିର୍ତ୍ତୀ ଆଜାଦ ଏବଂ ପୂର୍ବତନ କଂଗ୍ରେସ ଏମ୍‌ପି ଅଶୋକ ତନୱାର ଟିଏମସିରେ ଯୋଗ ଦେଇଥିବା ବେଳେ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମାଙ୍କ ସହ ୧୧ ଜଣ କଂଗ୍ରେସ ବିଧାୟକ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି। ଏସବୁ ମଧ୍ୟରେ ମମତା ବାନାର୍ଜୀଙ୍କ ଏକ ବିବୃତ୍ତି କଂଗ୍ରେସକୁ ଆଉ ଏକ ବଡ ଝଟକା ଦେଇଛି। ମମତାଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା । ଦିଦି ଯଉଁ ସ୍ବରରେ ସ୍ପଷ୍ଟ ଭାବରେ ଉତ୍ତର ଦେଇଛନ୍ତି ତାହା ଦର୍ଶାଉଛି ଯେ ସେ ଆଉ କଂଗ୍ରେସ ସହିତ ବୁଝାମଣା କରିବାକୁ ଚାହୁଁନାହାଁନ୍ତି। କଂଗ୍ରେସ ଅଧ୍ୟକ୍ଷାଙ୍କୁ ଭେଟିବା ବିଷୟରେ ପଚରାଯିବାରୁ ମମତା ଦିଦି କହିଛନ୍ତି ଯେ ଏଥର ମୁଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ୍‌ କରିବା ଲାଗି ସମୟ ମାଗିଥିଲି। ପଞ୍ଜାବ ନିର୍ବାଚନରେ ସମସ୍ତ ନେତା ବ୍ୟସ୍ତ ଅଛନ୍ତି। କାମ ପ୍ରଥମେ । ତେଣୁ ସୋନିଆ ଗାନ୍ଧୀଙ୍କୁ ଆମେ ପ୍ରତ୍ୟେକ ଥର କାହିଁକି ଭେଟିବା? ଏହା ସାମ୍ବିଧାନିକ ଭାବରେ ବାଧ୍ୟତାମୂଳକ କି? ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ମମତା କହିଛନ୍ତି ଯେ ଉତ୍ତରପ୍ରଦେଶରେ ଭାଜପାକୁ ପରାସ୍ତ କରିବା ଲାଗି ତୃଣମୂଳ କଂଗ୍ରେସ ଅଖିଳେଶ ଯାଦବଙ୍କୁ ସହାୟତା ଯୋଗାଇ ଦିଆଯିବ। ମମତା କହିଛନ୍ତି ଯେ କମଳାପତି ତ୍ରିପାଠୀଙ୍କ ପରିବାର ବର୍ତ୍ତମାନ ତୃଣମୂଳ ସହିତ ଥିବାରୁ ସେ ବାରାଣାସୀ ମଧ୍ୟ ଯିବେ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳାପତି ତ୍ରିପାଠୀଙ୍କ ପରିବାରର ରାଜେଶପତି ଏବଂ ଲଲିତେଶପତି ତ୍ରିପାଠୀ ଅକ୍ଟୋବରରେ ତୃଣମୂଳକଂଗ୍ରେସରେ ଯୋଗ ଦେଇଥିଲେ। ନଭେମ୍ବର ୩୦ ରେ ମମତା ଦୁଇ ଦିନିଆ ଭ୍ରମଣରେ ମହାରାଷ୍ଟ୍ର ଯିବେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବେ ବୋଲି କହିଛନ୍ତି।

Share