Categories: ଜାତୀୟ

କାହିଁକି ଧସୁଛି ଜୋଷୀମଠ

ନୂଆଦିଲ୍ଲୀ,୯ା୧: ଭୂସ୍ଫଳନ ପ୍ରବଣ ଜୋନ୍‌ ଜୋଷୀମଠରେ ଅବାଧ ନିର୍ମାଣ ସମ୍ପୃକ୍ତ ଅଞ୍ଚଳକୁ ବିପଦ ମୁହଁକୁ ଠେଲିଦେଇଛି। ଏହାର ପ୍ରତିବାଦରେ ହିଲ୍‌ ଟାଉନ୍‌ ବାସିନ୍ଦା ଗୁରୁବାର ବନ୍ଦ ପାଳନ କରିଥିଲେ। ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଦୋକାନବଜାର ବନ୍ଦ ସହ ଚକା ଜାମ୍‌ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ନିର୍ଦ୍ଦିଷ୍ଟ ଭାବେ କେବଳ ଜୋଷୀମଠରେ ୫୦୦ରୁ ଊର୍ଦ୍ଧ୍ୱ ଘର କାନ୍ଥ ଓ ଅନେକ ରାସ୍ତା ଫାଟି କାହିଁକି ଅଁ। କରିଛି?
ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ୫୦ ବର୍ଷ ତଳକୁ ଫେରିବାକୁ ପଡ଼ିବ। ଏହି ଆଧ୍ୟାମତ୍ିକ ସହରର ଭୌଗୋଳିକ ଅବସ୍ଥିତି ଏହାକୁ ବିପଦପୂର୍ଣ୍ଣ କରିଦେଇଛି। ଜୋଷୀମଠ ଏକ ପ୍ରାଚୀନ ଭୂସ୍ଖଳନ ଅଞ୍ଚଳ ଉପରେ ଗଢ଼ିଉଠିଛି। ଏହାସତ୍ତ୍ୱେ ଏଠାରେ ଏକାଧିକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ଋଷିକେଶ-ବଦ୍ରୀନାଥ ଜାତୀୟ ରାଜପଥ(ଏନ୍‌ଏଚ୍‌-୭) ନିର୍ମାଣ କରାଯାଇଛି। ବିଷ୍ଣୁପ୍ରୟାଗରୁ ପ୍ରବାହିତ ଅନେକ ଝରଣା ଉପରେ ନଦୀବନ୍ଧ ଯୋଜନା କରାଯାଇଛି। ଏଥିଯୋଗୁ ଜୋଷୀମଠର ମୃତ୍ତିକା କ୍ଷୟ ହେବାରେ ଲାଗିଛି। ଅବାଧ ନିର୍ମାଣ ଏହି ଅଞ୍ଚଳରେ ଧନଜୀବନ ପାଇଁ ବିପଜ୍ଜନକ ହେବ ବୋଲି ପ୍ରାୟ ୫ ଦଶନ୍ଧି ପୂର୍ବେ ବିଶେଷଜ୍ଞମାନେ ସତର୍କ କରାଇଥିଲେ।

ଜୋଷୀମଠକୁ ନେଇ ପ୍ରଥମ ସତର୍କତାମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ସରକାରଙ୍କ ଦ୍ୱାରା ଗଠିତ ଏମ୍‌.ସି. ମିଶ୍ରା କମିଶନ ନିଜ ରିପୋର୍ଟରେ ଦର୍ଶାଇଥିଲେ ଯେ ଜୋଷୀମଠ ଏକ ପ୍ରାଚୀନ ଭୂସ୍ଖଳନ ଅଞ୍ଚଳରେ ରହିଛି। ଏଠାରେ ନିର୍ମାଣ କାର୍ଯ୍ୟ କରାଗଲେ ସ୍ଥାନୀୟ ଅଧିବାସୀ ଓ ପରିବେଶ ଉପରେ ନକାରାମତ୍କ ପ୍ରଭାବ ପଡ଼ିବ। କାରଣ ଏହା ହାଇ-ରିସ୍କ ସେସ୍‌ମିକ୍‌ ‘ଜୋନ୍‌-ଭି’ ଅଧୀନରେ ଆସୁଛି। ଅର୍ଥାତ୍‌ ଏହି ଅଞ୍ଚଳ ଅତ୍ୟଧିକ ଭୂକମ୍ପ ଓ ଭୂସ୍ଖଳନ ପ୍ରବଣ ବୋଲି ମିଶ୍ରା କମିଶନ ରିପୋର୍ଟରେ ଉଲ୍ଲେଖ କରିଥିଲେ।

ମୃତ୍ତିକା କ୍ଷୟର କାରଣ। ଜୋଷୀମଠ ସହରରେ ନାଳଗୁଡ଼ିକ ଅବରୋଧ ହୋଇଯାଇଥିବାରୁ ଭୂସ୍ଖଳନ ହୋଇପାରେ ବୋଲି ୨୦୦୬ରେ ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜି ବୈଜ୍ଞାନିକ ଡ. ସ୍ବପ୍ନମିତ୍ର ବୈଦେଶ୍ୱରନ୍‌ ପ୍ରଘଟ କରିଥିଲେ। ୨୦୧୩ରେ ଏହାର ପ୍ରଥମ ପ୍ରଭାବ ଦେଖିବାକୁ ମିଳିଥିଲା।

ଉପତ୍ୟକା ହିମାଳୟ ପାଦଦେଶରେ ଥିବାରୁ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଅନେକ ସମୟରେ ହିମବାହ ତରଳି ଓ ଖସି ପ୍ରଳୟଙ୍କରୀ ବନ୍ୟାର ରୂପ ନେଇଥାଏ। ୨୦୨୧ ଫେବୃୟାରୀ ୭ରେ ନନ୍ଦାଦେବୀ ହିମବାହ ତରଳିଯିବାରୁ ଏହି ଅଞ୍ଚଳରେ ବଡ଼ ବନ୍ୟା ଦେଖିବାକୁ ମିଳିଥିଲା। ୧୯୭୮ରେ ଭାଗୀରଥୀ ନଦୀରେ ବନ୍ୟା ଜୋଷୀମଠ ପାଇଁ ବିପଦ ସାଜିଥିଲା। ଏଠାରେ ଜମୁଥିବା ପଟୁମାଟି ମଧ୍ୟ ଅତ୍ୟନ୍ତ ଭଙ୍ଗୁର ହୋଇଥିବାରୁ ଘର ଓ ରାସ୍ତାଗୁଡ଼ିକ ପ୍ରତି ବିପଦ ବଢ଼ିବାରେ ଲାଗିଛି।

ମଧ୍ୟ ସରକାରୀ ଉଦ୍ୟୋଗ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ୍‌ (ଏନ୍‌ଟିପିସି) ପକ୍ଷରୁ ଜୋଷୀମଠରେ ଏକାଧିକ ପାଓ୍ବାର ପ୍ରୋଜେକ୍ଟ ପାଇଁ ଟନେଲ୍‌ ନିର୍ମାଣ ଜାରି ରହିଛି। ବିଶେଷଜ୍ଞଙ୍କ ମତରେ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରି ସମ୍ପୃକ୍ତ ଅଞ୍ଚଳରେ ସାମାଜିକ ବନୀକରଣ କରାଯିବା ଜରୁରୀ। କିନ୍ତୁ ସରକାର ଏ ଦିଗରେ ଯନତ୍ବାନ ନ ହୋଇ କେବଳ ଅନୁଧ୍ୟାନ ପାଇଁ କମିଟି ଗଠନ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share