ନ୍ୟୁୟର୍କ,୧୭।୧୧: ଆମେରିକାର ନିର୍ବାଚନରେ କମଲା ହାରିସ୍ ପରାଜିତ ହୋଇଛନ୍ତି। ହେଲେ ତାଙ୍କ ଟିମ୍ ପକ୍ଷରୁ ଚାନ୍ଦା ସଂଗ୍ରହ କରାଯାଉଛି। କମଲାଙ୍କ ଟିମ୍ ଦ୍ୱାରା ପଠାଯାଇଥିବା ଇମେଲରେ କୁହାଯାଇଛି, ‘ଯେପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିବୁ, ଆମେରିକାର ପ୍ରତିଶ୍ରୁତିର ଆଲୋକ ଉଜ୍ୱଳ ହେବ। ସାରା ଦେଶରେ ଏବେ ବି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ହେବାର ଅଛି, ଯେଉଁଥିରେ ଫଳାଫଳ ଆସିବା ବାକି ଅଛି କିମ୍ବା ପୁନଃଗଣନା ନଚେତ କିଛି ଆଇନଗତ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି। ଏଥିଲାଗି ଆମକୁ ପାଣ୍ଠି ଦରକାର।’
‘ହାରିସ୍ ଫାଇଟ୍ ଫଣ୍ଡ’ ନାମକ ଅଭିଯାନ ମାଧ୍ୟମରେ ଏହି ଅର୍ଥ ସଂଗ୍ରହ କରାଯାଉଛି। ନିର୍ବାଚନ ପୂର୍ବରୁ ‘ହାରିସ୍ ଭିକ୍ଟ୍ରି ଫଣ୍ଡ’ର ଏହା ହେଉଛି ପରିବର୍ତ୍ତିତ ନାମ। ଇମେଲରେ ହାରିସଙ୍କ ଅଭିଯାନରୁ ସେମାନଙ୍କୁ ପାଣ୍ଠିର କେତେ ଆବଶ୍ୟକତା ରହିଛି ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।
ଏକ ରିପୋର୍ଟ ମୁତାବକ, ଟ୍ରମ୍ପ ଅଭିଯାନ ଅପେକ୍ଷା ହାରିସ ଅଭିଯାନରୁ ଅଧିକ ପାଣ୍ଠି ସଂଗ୍ରହ କରାଯାଇଥିଲା। ହାରିସ୍ ପ୍ରାୟ ୧ ବିଲିୟନ ଡଲାର ଚାନ୍ଦା ପାଇଥିବା ବେଳେ ଟ୍ରମ୍ପ ପ୍ରାୟ ୩୯ ମିଲିୟନ ଡଲାର ଆଦାୟ କରାଯାଇଥିଲା। ହାରିସଙ୍କ ଏହି ଅଭିଯାନ ସଫଳ ହୋଇଥିବା ବେଳେ ଆମେରିକା ଇତିହାସରେ ସବୁଠାରୁ ମହଙ୍ଗା ଅଭିଯାନ ବୋଲି ପ୍ରମାଣିତ ହୋଇଥିଲା।
ଏବେ ହାରିସଙ୍କ ନୂଆ ଅଭିଯାନ ଦର୍ଶାଉଛି ଯେ ନିର୍ବାଚନରେ କ୍ଷତି ସତ୍ତ୍ୱେ ଟିମ୍ ପକ୍ଷରୁ ଅର୍ଥ ସଂଗ୍ରହ ପାଇଁ ତାଙ୍କର ଉଦ୍ୟମ ଜାରି ରହିଛି।