ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ କାହିଁକି ରୁଷିଆକୁ ମିଳୁଛି ବାହାର ସମର୍ଥନ

ମସ୍କୋ,୧୫।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଥିବାବେଳେ ରୁଷିଆ କିଛି ଦେଶରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହାୟତା ନେଉଛି। ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ଉତ୍ତର କୋରିଆ ନାଗରିକମାନଙ୍କୁ ରୁଷିଆର ସେନାକୁ ସାହାଯ୍ୟ କରିବାକୁ ପଠାଉଛି। ଏହି ଘଟଣା ରୁଷିଆ ଏବଂ ଉତ୍ତର କୋରିଆ ମଧ୍ୟରେ ବଢୁଥିବା ସମ୍ପର୍କକୁ ଦର୍ଶାଉଛି। ତେବେ ଏହା କେବଳ ଉତ୍ତର କୋରିଆରେ ସୀମିତ ନୁହେଁ। ଏଥି ସହିତ ରୁଷିଆ ଅନ୍ୟ ଦେଶରୁ ମଧ୍ୟ ସହାୟତା ଗ୍ରହଣ କରୁଛି।

ସୂଚନା ଅନୁସାରେ ଜେଲେନସ୍କି ରବିବାର ତାଙ୍କର ଦୈନିକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଉତ୍ତର କୋରିଆ କେବଳ ଅସ୍ତ୍ରଶସ୍ତ୍ର ନୁହେଁ ରୁଷିଆର ସେନାକୁ ମାନବ ସମ୍ବଳ ମଧ୍ୟ ଯୋଗାଉଛି। ସେ କହିଛନ୍ତି, ଆମେ ରୁଷିଆ ଏବଂ ଉତ୍ତର କୋରିଆ ଭଳି ଶାସନ ମଧ୍ୟରେ ସହଯୋଗ ବୃଦ୍ଧି ପାଉଛି। ଏହା କେବଳ ଅସ୍ତ୍ର ବିନିମୟରେ ସୀମିତ ନୁହେଁ, ବରଂ ରୁଷିଆର ସେନାକୁ ସାହାଯ୍ୟ କରିବାକୁ ଉତ୍ତର କୋରିଆ ଲୋକଙ୍କୁ ପଠାଯାଉଛି।
ସୂଚନାଯୋଗ୍ୟ, ରୁଷିଆ ଏବଂ ଉତ୍ତର କୋରିଆ ମଧ୍ୟରେ ଏହି ସମ୍ପର୍କ ସାମ୍ନାକୁ ଆସିଥିଲା ଯେତେବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚଳିତ ବର୍ଷ ଜୁନରେ ଉତ୍ତର କୋରିଆ ଗସ୍ତରେ ଯାଇଥିଲେ। ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ଥିଲା ଯେ ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା, ଯେଉଁଥିରେ ଯଦି କୌଣସି ଦେଶ ବାହ୍ୟ ଆକ୍ରମଣର ଶିକାର ହୁଅନ୍ତି, ତେବେ ଅନ୍ୟ ଦେଶ ତୁରନ୍ତ ସାମରିକ ସହାୟତା ଯୋଗାଇବ।

Share