ଅନ୍ତରୀକ୍ଷ ଅନ୍ଧକାରମୟ କ’ଣ ପାଇଁ ତା’ର ଉତ୍ତର ଆମର ଦେଖିବା ପ୍ରକ୍ରିୟା ସହ ଜଡ଼ିତ। ପ୍ରକୃତ କଥା ହେଲା ଆମେ ଆଲୋକକୁ ସେତେବେଳ ପର୍ଯ୍ୟନ୍ତ ଦେଖିପାରି ନ ଥାଉ ଯେପର୍ଯ୍ୟନ୍ତ ଆମ ଆଖି ତାକୁ ଅବଶୋଷିତ ନ କରିଥାଏ। ଅର୍ଥାତ୍ କୌଣସି ଜିନିଷ ଆମକୁ ସେତେବେଳେ ଦେଖାଯାଏ ଯେବେ ପ୍ରକାଶ ତା’ସହ ବାଧାପ୍ରାପ୍ତ ହୋଇ ଆମ ଆଖି ପର୍ଯ୍ୟନ୍ତ ପହଞ୍ଚେ। ଆମେ ସେଇ ପ୍ରକାଶକୁ ଦେଖିପାରୁ ଯାହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚିଥାଏ। ଉଦାହରଣସ୍ବରୂପ ଯେତେବେଳେ ଅନ୍ଧାର ଘରେ ଟର୍ଚ୍ଚ ମରାଯାଏ ତାର ପ୍ରକାଶ ସିଧା ସଳଖ ଆମ ଆଖିକୁ ପହଞ୍ଚତ୍ ନ ଥାଏ। ବରଂ ଟର୍ଚ୍ଚ ଆଲୋକ ଯେଉଁ ଦିଗରେ ଯାଇଛି ସେହି ଦିଗର ଧୁଳିକଣା ସହ ତାହା ବାଧାପ୍ରାପ୍ତ ହୋଇ ପ୍ରତିବିମ୍ବିତ ହୁଏ ଓ ସେହି ପ୍ରତିବିମ୍ବିତ ଆଲୋକ ଆମ ଆଖି ପର୍ଯ୍ୟନ୍ତ ପହଞ୍ଚେ। ଆଉ ଆମେ ଜାଣିପାରୁ ଯେ, ଟର୍ଚ୍ଚ ଜଳି ଆଲୋକିତ ହେଉଛି। ଆମ ପୃଥିବୀର ବି ବାୟୁମଣ୍ଡଳ ଅଛି। ସୂର୍ଯ୍ୟଙ୍କ ପ୍ରକାଶ ବାୟୁମଣ୍ଡଳର କଣିକାରେ ବାଡେଇ ହୋଇ ଆମକୁ ଚାରିଆଡ ଆଲୋକିତ ହେବାର ଅନୁଭବ ଦିଏ। ଅର୍ଥାତ୍ କୋଠରୀରେ ଯଦି ଧୂଳିକଣା ଅବା ବାୟୁ କଣିକା ନ ଥାଆନ୍ତା ତେବେ କେବଳ କାନ୍ଥରେ ବାଜି ଫେରୁଥିବା ଟର୍ଚ୍ଚର ଆଲୋକ ଦେଖାଯାଇଥାନ୍ତା। ଆଉ ଯଦି କାନ୍ଥ ବି ନ ଥାନ୍ତା ତେବେ ଆଖି ପର୍ଯ୍ୟନ୍ତ ପ୍ରତିବିମ୍ବିତ ଆଲୋକ ପହଞ୍ଚି ନ ଥାଆନ୍ତା। ଆଉ ଆମକୁ କିଛି ଦେଖାଯାଇ ନ ଥାଆନ୍ତା। ଠିକ ଏମିତି କିଛି ଘଟେ ଅନ୍ତରୀକ୍ଷରେ। ଅନ୍ତରୀକ୍ଷରେ ଆମେ ଯେବେ ସୂର୍ଯ୍ୟଙ୍କ ସହ ଆଖପାଖର ଅନ୍ତରୀକ୍ଷକୁ ଦେଖିବାକୁ ପ୍ରୟାସ କରୁ ଆମକୁ କିଛି ଦେଖା ଯାଇ ନ ଥାଏ ଓ ଅନ୍ତରୀକ୍ଷ ଅନ୍ଧକାରମୟ ଦେଖାଯାଏ। ଏଠାରେ ଆମକୁ ଏହା ବି ବୁଝିବାକୁ ହେବ ଯେ, ଯଦି ଆମକୁ କିଛି ଦେଖା ଯାଉ ନାହିଁ ତେବେ ଆମ ମସ୍ତିସ୍କ ତାକୁ ଅନ୍ଧାରଭରା ବୋଲି ଭାବି ନିଏ। ଅନ୍ତରୀକ୍ଷ ହେଉଛି ଏମିତି ଏକ କୋଠରୀ ସଦୃଶ ଯାହାର ନା କାନ୍ଥ ଅଛି ନା ପଦାର୍ଥର କୌଣସି କଣିକା ଅଛି। ଯେଉଁ ପିଣ୍ଡ ଅଛି ତାହା ବହୁତ ଦୂରରେ ଅଛି। ଯେତେବେଳେ ଆମେ ଚନ୍ଦ୍ର କିମ୍ବା ଅନ୍ୟ ଗ୍ରହକୁ ଦେଖୁ ସେତେବେଳେ ପ୍ରକୃତରେ ଆମେ ସେଠାରୁ ବାଧାପ୍ରାପ୍ତ ହୋଇ ଫେରୁଥିବା ସୂର୍ଯ୍ୟଙ୍କ କିରଣକୁ ଦେଖୁ। ତେବେ ଅନ୍ତରୀକ୍ଷ ଓ ଚନ୍ଦ୍ରରେ କୌଣସି ବାୟୁମଣ୍ଡଳ ନାହିଁ, ତେଣୁ ଆଲୋକ ବାଧାପ୍ରାପ୍ତ ହୋଇ ବିଚ୍ଛୁରିତ ହୁଏ ନାହିଁ। ଆଉ ତାହା ଆମ ଆଖି ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ ଓ ଅନ୍ତରୀକ୍ଷ ଅନ୍ଧକାରମୟ ଦେଖାଯାଏ। ଏହାଛଡ଼ା ଦୂରରେ ଦେଖାଯାଉଥିବା ତାରା ଓ ଗାଲାକ୍ସି ଧୀରେ ଧୀରେ ଆମଠୁ ଦୂରେଇ ଯାଉଛନ୍ତିି। କାରଣ ୟୁନିଭର୍ସର ବିସ୍ତାର ହେଉଛି। ଯଦି ଆମେ ଏକ ଅପରିବର୍ତ୍ତିତ ଓ ଏକ ସୀମିତ ବିଶ୍ୱ ଭିତରେ ରହୁଥାନ୍ତେ ତେବେ ଆକାଶ ସବୁ ସମୟରେ ଆଲୋକିତ ଦେଖାଯାଉଥାନ୍ତା।