Categories: ଜାତୀୟ

ମଣିପୁର ସ୍ଥିତି ସମ୍ପର୍କରେ କାହିଁକି ନୀରବ ରହୁଛନ୍ତି ମୋଦି? ଖାର୍ଗେଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୫।୭ : ମଣିପୁରରେ ହୋଇଥିବା ହିଂସାକୁ ନେଇ ମୌସୁମୀ ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୌସୁମୀ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଛି। ମଣିପୁର ହିଂସା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିବୃତ୍ତି ଦେବାକୁ ଦାବି କରି ବିରୋଧୀ ଦଳ ଜିଦ ଧରିଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଗୃହର ନେତା ପୀୟୁଷ ଗୋୟଲଙ୍କ ମଧ୍ୟରେ ମଙ୍ଗଳବାର ବିତର୍କକୁ ନେଇ ତୀବ୍ର ବାକ୍‌ ଯୁଦ୍ଧ ହୋଇଥିଲା।

ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ନିୟମ ୨୬୭ ଅନୁଯାୟୀ ୫୦ ରୁ ଅଧିକ ସଦସ୍ୟ ନୋଟିସ ଦେଇଛନ୍ତି, କିନ୍ତୁ ସରକାର ପ୍ରସ୍ତୁତ ନୁହଁନ୍ତି। ଅନ୍ୟପକ୍ଷରେ ଭାଜପା ପକ୍ଷରୁ ପୀୟୂଷ ଗୋୟଲ କହିଥିଲେ ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।

ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୃହରେ ଏହି ସମସ୍ୟାର ଉତ୍ତର ଦେଇ ନ ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେତେବେଳେ ଏତେ ସଂଖ୍ୟକ ଲୋକ ଏହା ବିଷୟରେ କହିବାକୁ ଚାହାଁନ୍ତି, ସେମାନେ କାହିଁକି କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ନୁହଁନ୍ତି? କାହିଁକି ମୋଦି ଏଠାକୁ ଆସି ପରିସ୍ଥିତି ସମ୍ପର୍କରେ ଗୃହକୁ ଜବାବ ଦେଇ ପାରିବେ ନାହିଁ। ମଣିପୁର ବିଷୟରେ ଗୃହରେ କହିବାକୁ ପ୍ରସ୍ତୁତ ନୁହଁନ୍ତି।

ପ୍ରଶ୍ନ କାଳରେ ରାଜ୍ୟସଭାରେ ଉତ୍ତେଜନା ମଧ୍ୟରେ ଅଧ୍ୟକ୍ଷ ଜଗଦୀପ ଧନକର ସଦସ୍ୟମାନଙ୍କୁ ଗୃହରେ ବ୍ୟବସ୍ଥା ବଜାୟ ରଖିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ପ୍ରଶ୍ନ କାଳ ସଂସଦୀୟ କାର୍ଯ୍ୟର ହୃଦୟ ଅଟେ। ଏହା ଉତ୍ତରଦାୟିତ୍ୱ ଏବଂ ସ୍ବଚ୍ଛତା ସୃଷ୍ଟି କରେ। ଏହା ଗୃହର ପ୍ରତ୍ୟେକ ସଦସ୍ୟଙ୍କୁ ସରକାରଙ୍କଠାରୁ ଉତ୍ତର ମାଗିବାକୁ ଅନୁମତି ଦେଇଥାଏ। ଏହା ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ସହାୟକ ହୋଇଥାଏ। ସରକାର ଇନପୁଟ ଏବଂ ମତାମତ ସଂଗ୍ରହ କରୁଥିବାରୁ ଏହା ସରକାରଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ମୁଁ ସଦସ୍ୟମାନଙ୍କୁ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରୁଛି। ଶୃଙ୍ଖଳାର ଅଭାବ ପ୍ରତି ଆମକୁ ଶୂନ୍ୟ ସହନଶୀଳତା ରହିବା ଆବଶ୍ୟକ। ସମ୍ମାନ ଏବଂ ଅନୁଶାସନ ଆମର ପରିଚୟ ହେବା ଉଚିତ।

Share