ଅଯୋଧ୍ୟାରେ ମୋଦି କାହିଁକି ଲଗାଇବେ ଏହି ଗଛ: କ’ଣ ରହିଛି ଏହାର ଏହାର ପୌରାଣିକ ମହତ୍ୱ

ନୂଆଦିଲ୍ଲୀ,୪।୮: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ ଜନ୍ମଭୂମି ପରିସରରେ ଏକ ପାରିଜାତର ବୃକ୍ଷ ଲଗାଇବେ ବୋଲି ଜଣାପଡ଼ିଛି। ତେବେ ଏହା ପଛରେ କ’ଣ ମହତ୍ୱ ଓ ବିଶେଷତ୍ୱ ରହିଛି ଜାଣିଛନ୍ତି କି, ଯାହାକୁ ଭୂମିପୂଜା ସମାରୋହର ଏକ ଅଂଶ ବୋଲି କୁହାଯାଇଛି। ତେବେ ଏଠାରେ କହି ରଖୁଛୁ ଯେ, ପାରିଜାତ ବୃକ୍ଷ ବେଶ୍‌ ସୁନ୍ଦର। ଏହାର ଫୁଲକୁ ଭଗବାନ ବିଷ୍ଣୁଙ୍କ ଶୃଙ୍ଗାର ଓ ପୂଜାରେ ବ୍ୟବାହାର କରାଯାଇଥାଏ। ତେଣୁ ଏହାକୁ ହରଶୃଙ୍ଗାର ବୋଲି ମଧ୍ୟ କୁହାଯାଇଥାଏ। ହିନ୍ଦୁଧର୍ମରେ ଏହି ବୃକ୍ଷର ବେଶ୍‌ ମହତ୍ୱ ରହିଛି। ଏଭଳି ବି ମାନ୍ୟତା ରହିଛି ଯେ, ପାରିଜାତ ଫୁଲକୁ ଛୁଇଁ ଦେବା ମାତ୍ରେ ବ୍ୟକ୍ତିଙ୍କର ସମସ୍ତ ଥକ୍କାପଣ ଦୂର ହୋଇଯାଏ। ପାରିଜାତ ବୃକ୍ଷର ଉଚ୍ଚତା ୧୦ ରୁ ୨୫ ଫୁଟର ହୋଇଥାଏ। ଏହି ଗଛର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଥିରେ ଅଧିକ ମାତ୍ରାରେ ଫୁଲ ହୋଇଥାଏ। ଗୋଟିଏ ଦିନରେ ଏହାର ଯେତେ ଫୁଲ ତୋଳାଗଲେ ମଧ୍ୟ ଆର ଦିନ ଆହୁରି ଅଧିକ ଫୁଲ ଫୁଟିଥାଏ। ଏହି ଫୁଲ ରାତିରେ ଫୁଟୁଥିବା ବେଳେ ସକାଳେ ସବୁ ଝଡ଼ିଯାଇଥାଏ। ତେଣୁ ଏହାକୁ ରାତିର ରାଣୀ ବୋଲି କୁହାଯାଏ। ସମଗ୍ର ବିଶ୍ୱରେ ଏହି ଫୁଲର ମାତ୍ର ୫ ପ୍ରଜାତି ରହିଛି ବୋଲି କୁହାଯାଏ। ଭଗବାନ ଲକ୍ଷ୍ମୀଙ୍କର ମଧ୍ୟ ଏହା ପ୍ରିୟ ଫୁଲ। ତେଣୁ ଏହି ଫୁଲକୁ ମା’ଙ୍କ ପୂଜାରେ ବ୍ୟବହାର କଲେ ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି। ସୂଚନାଯୋଗ୍ୟ, ପାରିଜାତ ବୃକ୍ଷର ଉତ୍ପତ୍ତି ସମୁଦ୍ର ମନ୍ଥନରୁ ହୋଇଛି। ଯାହାକୁ ଇନ୍ଦ୍ରଦେବ ନିଜ ବାଟିକାରେ ଲଗାଇଥିଲେ।
ଏହି ବୃକ୍ଷର ଖୁବ ଔଷଧୀୟ ଗୁଣ ମଧ୍ୟ ରହିଛି। ତେଣୁ ମୋଦି ଅଯୋଧ୍ୟାରେ ଭୂମି ପୂଜନ ସମାରୋହରେ ଏହି ଗଛକୁ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Share